Unknown

 

 

 

 

 

 

 

 

 

ଭାଗ୍ୟରୁ ଖିଏ

ଏମ୍‍ ସୋଲୋକୋଭ୍

ଅନୁବାଦ

ଅନନ୍ତ ପଟ୍ଟନାୟକ

 

ଭାଗ୍ୟରୁ ଖିଏ

 

ଅପୂର୍ବ ଏକ ଆବେଗ ଆଉ ପ୍ରଖରତାରେ ବସନ୍ତଟା ମାତି ଉଠିଥାଏ ଉଦ୍ଦାମ ହୋଇ ସେଥରକ, ଡନ୍ ନଈର ଉପର ଅଞ୍ଚଳରେ, ଯୁଦ୍ଧ ସରିଯିବାର ପ୍ରଥମ ବର୍ଷରେ ଠିକ୍ ।

 

ମାର୍ଚ୍ଚ ମାସର ଶେଷକୁ, ବେଶ୍ ଉଷୁମୁସିଆ ପବନଟାଏ ବହିବାକୁ ଆରମ୍ଭ କରିଦେଲା । ଆରବ ସାଗରର ଉପକୂଳରୁ ନଈ ଉପରର ଉପତ୍ୟକା ଆଡ଼କୁ । ଦିନ ଦିଇଟାରେ ଉଲାରି ହୋଇ ଖାଲି ହୋଇଗଲା ନଈର ବାଲୁକାମୟ ବାଆଁ କଳଟି ।

 

ବରଫରେ ରୁନ୍ଧି ହୋଇ ଅଣନିଃଶ୍ୱାସୀ ହୋଇ ଯେମିତି, ପଡ଼ି ରହିଥିଲେ ଆଗରୁ ତୃଣମୟ ପ୍ରାନ୍ତର ଷ୍ଟେପିଟିରେ କେଜାଣି କେତେ ଖାଲଖମା, ନଈ ନାଳ, ଝରଣା, ପାଣିର ମାହାରା ସବୁ–ଫୁଲି ଫୁଲି ଉଠିଲେ ସେଗୁଡ଼ିକ । ବରଫର ଆବରଣ ଫଟେଇ ଛୋଟ ଛୋଟ ନଈ ନାଳଗୁଡ଼ିକ ପାଗଳୀଙ୍କ ପରି ନାଚି ଉଠିଲେ ଆପଣା ଆପଣାକୁ ଖେଳାଇ ଦେଇ ପ୍ରାଣର ବନ୍ୟାରେ, ବାଟଘାଟ ସବୁ ଦୁର୍ଗମ କାହିଁକି ଅଗମ୍ୟ ହୋଇ ଉଠିଲା ପୂରାପୂରି ।

 

ବର୍ଷର ସେଇ ଦୁର୍ଦ୍ଦିନରେ, ସେଇ ଦୁର୍ଯୋଗମୟ ପାଗରେ, ଘଟଣାଚକ୍ରରେ ମତେ ପାଣିକାଦୁଅରେ ଯିବାକୁ ହୋଇଥାଏ ଛୋଟ କସାକ୍ ଗାଆଁ ବୁଖାନୋଭସ୍କାୟାକୁ । ବାଟ ଏମିତି କିଛି ବହୁତ ନୁହେଁ–ଷାଠିଏ କିଲୋମିଟର । କିନ୍ତୁ ସେତକ ବି ପାର ହେବା ହୋଇଥାଏ କାଠିକର ପାଠ ।

 

ସୂର୍ଯ୍ୟୋଦୟ ଆଗରୁ ବାହାରି ପଡ଼ିଥାଉଁ ମୁଁ ଆଉ ମୋର ଜଣେ ବନ୍ଧୁ । ହୃଷ୍ଟପୁଷ୍ଟ ଘୋଡ଼ା ହଳକ ଆମର । ଚମଡ଼ାର ଜୋତ ଦୌଡ଼ିରେ ଓଟାରି ହୋଇ ପ୍ରାଣପଣେ ଭିଡ଼ି ବି ଭିଡ଼ିପାରୁ ନଥାନ୍ତି ଓଜନିଆ କାଠବୁହା ଗାଡ଼ିଟାକୁ ଦଖଲାରେ ! ବରଫମିଶା ବାଲିଆ ବାଲିଆ ଭୁଷୁକା କାଦୁଅ, ତୁମ୍ବଯାଏ ଗଳିପଡ଼ୁଥାଏ ଗାଡ଼ିର ଚକ କେଇଟି ।

 

ଘଣ୍ଟାଏ ଖଣ୍ଡେ ବିତିଥାଏ କି ନାହିଁ, ଘୋଡ଼ା ଯୋଡ଼ିକର କଡ଼ପଟରେ, ଜଙ୍ଘରେ, ଜିନ୍‍ର ଚମ ଦୌଡ଼ିର ତଳେ ତଳେ ଠୋପାକୁ ଠୋପା ଦେଖାଦେଲା ଧଳା ଧଳା ଛିଣ୍ଡି ଛିଣ୍ଡା ଦୁଧସର ଭଳି ଫେଣ ! ସକାଳର ସଜ ସଜ ଶୀତୁଳିଆ କନକନିଆ ପବନ–ସେତେବେଳକୁ ଭରିଯାଉଥାଏ କେମିତି ତୀବ୍ର ଆଉ ମଦୁଆ ମଦୁଆ ଘୋଡ଼ା ଝାଳର ବାସନାରେ ବହେ ବହେ ଆଲିକାତାରେ ବୋଳା ଘୋଡ଼ାସାଜର ଉଷୁମୁଳିଆ ଗନ୍ଧରେ ।

 

ଠାଏ ଠାଏ, ଯେଉଁଠି ଘୋଡ଼ାହଳକୁ କଷ୍ଟକର ହେଉଥାଏ ଯିବାପାଇଁ, ଥକିପଡ଼ୁଥାନ୍ତି ସେମାନେ–ସେଠି ଆମେ ଓହ୍ଲାଇପଡ଼ି ଗାଡ଼ିର କରେ କରେ ଚାଲିଥାଉଁ, ତରଳିଆ ବରଫରେ ଓଦା ଓଦା ସଡ଼କଟା, ଭସ୍‍ ଭସ୍ ହେଉଥାଏ ବୁଟ୍‍ତଳେ ଆମର !

 

ସଡ଼କର ଦାଢ଼ରେ ଟାଣ ଟାଣ ରୁଆ ରୁଆ ବରଫର ପ୍ରସ୍ତ ଝକ୍‍ ଝକ୍ କରୁଥାଏ ସକାଳର ଚିକ୍କଣିଆ ଖରାରେ–ତିରିଶ କିଲୋମିଟର ରାସ୍ତା ପାର ହୋଇ ୟେଲାଙ୍କା ନଈର ବାଙ୍କରେ ପହଞ୍ଚିବା ପାଇଁ ଆମକୁ ଲାଗିଗଲା ଛଅ ଘଣ୍ଟା ।

 

ମୁଖୋଭସ୍କୋଇ ଗାଁର ଛୋଟ ନଈଟି ଖରାଦିନେ ଶୁଖି ଠାଉ ଠାଉ ହେଇଥାଏ । କିନ୍ତୁ ଏବେ ଗୋଟାଏ କଲୋମିଟର ଆକ୍ରାନ୍ତରେ ବଡ଼ ଆଲ୍‍ଡାର ଗଛରେ ପୂରିଯାଇ ପାଣିର ପ୍ରାନ୍ତର ସୃଷ୍ଟି କରି ଦେଇଥାଏ । ଆମକୁ ପାରି ହେବାକୁ ପଡ଼ିଲା, ଭଙ୍ଗା ଚଟାଳିଆ ଚଟୁଆରେ । ସେଥିରେ ଅନବରତ ପାଣି ଝରୁଥାଏ । ଥରକେ ତିନିଜଣରୁ ଅଧିକ ଲୋକ ଯିବା ଥାଏ ଅସମ୍ଭବ । ଘୋଡ଼ା ହଳକ ଫିଟାଇ ଦେଲୁ । ନଈ ଆର ପାରିରେ କୋଠଚାଷଗୁଡ଼ିକରେ ଗୋଟାଏ ଦଦରା ‘ବୁଢ଼ା’ ଜିପ୍ ସମୁଦାୟ ଶୀତକାଳଟା ପଡ଼ିଥାଏ, ଆମକୁ ଅପେକ୍ଷା କରି ରହିଥାଏ । ଟଳ ଟଳ ଚଟୁଆଟିରେ ଜିପ୍‍ର ଡ୍ରାଇଭର ଓ ମୁଁ ଦକ ଦକ ମନରେ ଚଢ଼ିଲୁ । ବନ୍ଧୁ ଜଣକ ଜିନିଷପତ୍ର ଜଗି କୂଳରେ ରହିଲେ-। ଚଟୁଆଟିକୁ କୂଳରୁ ଟିକିଏ ଠେଲି ଦେଇଥାଉ କି ନାହିଁ, ତା’ର ପୋପରା ପଟାଗୁଡ଼ିକରେ ପାଣିର ଝର ଫିଟିଗଲା । ହାତ ପାଖରେ କୁଟାପତ୍ର ଯାହା ପାଇଲୁ, ସେଥିରେ ସେଇ ଝରର ମୁହଁଗୁଡ଼ା ବନ୍ଦ କରିବାରେ ଲାଗିଗଲୁ । ଆରପାରି ଧରିବାଯାଏଁ ଅନବରତ ପୋଷକୁ ପୋଷ ପାଣି କାଢ଼ୁଥାଉଁ । ଦୂରରେ ଆରପାରିରେ କୂଳରେ ପହଞ୍ଚିବାକୁ ଘଣ୍ଟାଏ ଖଣ୍ଡେ ଲାଗିଥିବ ନିଶ୍ଚୟ । ଡ୍ରାଇଭର ଗାଆଁ ମୁଣ୍ଡରୁ ଜିପ୍‍ଟି ଆଣି ଛିଡ଼ା କରାଇ ଚଟୁଆରେ ପୁଣି ଚଢ଼ିଲା ।

 

ଆହୁଲାଟା ଧରୁ ଧରୁ କହିଲା, “ଏଇ ରଇଜଳା କାଠ କୁଣ୍ଡଟା ଯଦି ନଈ ମଝିରେ ଖଣ୍ଡ ଖଣ୍ଡ ହୋଇ ଛିଡ଼ି ନ ପଡ଼େ, ଆପଣଙ୍କ ସାଙ୍ଗକୁ ନେଇ ଦି’ଚାରି ଘଣ୍ଟାରେ ଫେରିବି, ଭାବୁଛି ଖୁବ୍ ସଅଳ ହେଲେ ।”

 

ଗାଆଁଟି, ସେହି କୋଠଚାଷର ଗାଆଁଟି ଦିଶୁଥାଏ ଦୂରରେ । ଆଉ ଶରତର ମଝାମଝି ଗଭୀରତାରେ କି ବସନ୍ତର ଆବିର୍ଭାବରେ ନିର୍ଜନ ଜାଗାଗୁଡ଼ିକରେ ଯେଉଁ ନିସ୍ତବ୍ଧତା ନଇଁଆସେ, ପାଣିକୂଳରେ ସେଇ ନିସ୍ତବ୍ଧତା, ସେଇ ନୀରବତା ବିରାଜୁଥାଏ । ପାଣି ଉପର ପବନରେ ବହାରୁଥାଏ ସଢ଼ା ଆଲ୍‍ଡାର ଆମ୍ବୁଲିଆ ଆଉ ସନ୍ତସନ୍ତିଆ ବାସନା । କାହିଁ କେଉଁ ଦୂର ଦୂରାନ୍ତର ଧଳା ଧଳା ଗୋଲାପୀ ଲାଇଲାକ୍ ଫୁଲ ରଙ୍ଗର କୁହୁଡ଼ିରେ ପଖଳା ପଡ଼ିଆର ସୁଲୁସୁଳିଆ ହାଲୁକା ପବନ ବହି ବହି ଆଣୁଥାଏ । ତୁଷାରର ଆଧିପତ୍ୟରୁ ଏଇମାତ୍ର ମୁକ୍ତ ହୋଇଥିବା ଧରଣୀର ଚିର ସବୁଜ ସ୍ପୃଶ୍ୟାତୀତ ଯୌବନର ସୌରଭ ।

 

ପାଶିଧାରର ପାଖଆଖ ବାଲିରେ, ଅଦୂରରେ କେଉଁଠୁ, କେବେ ଖସି ଆସି ପଡ଼ିଥାଏ ଭଙ୍ଗା କାମଡ଼ାବନ୍ଧା ତାଟି । ବସିପଡ଼ିଲି ତାହାରି ଉପରେ ସିଗାରେଟ ଟାଣିବି–ହାୟରେ–ପକେଟରେ ହାତ ପୂରାଇ ଦେଖିଲି, ସିଗାରେଟ ପାକେଟଯାକ ସାକୁ ସାକୁ ହୋଇଛି ପାଣିରେ । ପଙ୍କରେ ଲଟପଟ ହୋଇ ଚଟୁଆଟା ଘୁଷୁରି ହୋଇ ଆସିଲାବେଳେ ବାଟରେ ଗୋଳିଆ ପାଣିର ଢେଉଟାଏ ଦେହରେ ପିଟିହୋଇ ମୋତେ ଭିଜେଇ ଦେଇଥିଲା ଅଣ୍ଟାଯାଏ । ସେତେବେଳେ ସିଗାରେଟ କଥା ଭାବିବାକୁ ସମୟ ଥିଲା କେଉଁଠି ? ଫିଙ୍ଗ୍ ଫିଙ୍ଗ୍ ଆହୁଲାକୁ ! କାଢ଼, କାଢ଼, ତରବରରେ ତରବରରେ ପାଣି କାଢ଼, ଜୀବନ ଯିବ, ପାଣି କାଢ଼ ! ଏଇ ଅବସ୍ଥା ! ଆଉ ଏଇକ୍ଷଣି ମନରେ ଦୁଃଖ, ମନରେ ଅନୁତାପ । ଆଃ, ସାବଧାନ ହେଲିନି କାଇଁକି? ଗରଗର ହୋଇ ଛାଆଁକୁ ଛାଆଁ ପକେଟରୁ ସିଗାରେଟ ପାକେଟଟା ବାହାର କଲି । ଫଉଲି ଯାଇଥାଏ ପୂରାପୂରି । ଆଣ୍ଠୁମାଡ଼ି ଗୋଇଠି ଉପରେ ବସି ସେଇ ଫଉଲି ଫଉଲି ବାଦାମୀ ଦିଶୁଥିବା ସିଗାରେଟଗୁଡ଼ାକୁ ଗୋଟି ଗୋଟି କରି ଶୁଖାଇଦେଲି କାମଡ଼ାଦିଆ ବାଡ଼ ଉପରେ ।

 

ବେଳ ଦିନ ଦି’ପ୍ରହରକୁ ଗଡ଼ିଲା । ମଇ ମାସ ପରି ଖରାର ତେଜ ! ଆଶାହେଲା, ସିଗାରେଟତକ ଶୀଘ୍ର ଶୁଖିଯିବ । ଏଡ଼େ ପ୍ରଚଣ୍ଡ ଖରା ସତେ ! ଅନୁତାପ ହେଲା ମନରେ, ବହଳିଆ ତୁଳାଦିଆ ସାମରିକ ପ୍ୟାଣ୍ଟ ଆଉ ଜ୍ୟାକେଟ କାହିଁକି ପିନ୍ଧି ଆସିଲି ଯେ ! ପ୍ରକୃତରେ ବର୍ଷକ ଗ୍ରୀଷ୍ମର ଆୟମାରମ୍ଭ ସେ ଦିନ । ତଥାପି ଭଲ ଲାଗୁଥାଏ । ନିରୋଳରେ ଏକୁଟିଆ ବସି ନିର୍ଜନ ନିସ୍ତବ୍ଧତାରେ ନିଜକୁ ହରାଇ ଦେବାଲାଗି । କାନଜକା ସାମରିକ ଟୋପି କାଢ଼ିଦେଲି ମୁଣ୍ଡରୁ । ଅବିରାମ ଆହୁଲା ପକାଇ ଶାନ୍ତିରେ ଝାଳେଇ ଯାଇଥାଏ ବାଳଗୁଡ଼ାକ । ଆହୁରି ଭଲ ଲାଗିଲା–ଥିରି ଥିରି ପବନ ତାକୁ ଖେଳେଇ ଖେଳେଇ ଶୁଖେଇ ଦେଉଥାଏ । ଆଉ ମୁଁ ଅଳସ ଚିନ୍ତାହୀନ ଦୃଷ୍ଟିରେ ଦେଖୁଥାଏ, ଗଭୀର ଆନ୍ଦନରେ ଦେଖୁଥାଏ, ଆକାଶର ଫିକାଳିଆ ନୀଳିମାରେ ଛାତି ଫୁଲେଇ ଭାସି ଭାସି ଯାଉଥାଏ ଧଳା ଧଳା ଖଣ୍ଡକୁଖଣ୍ଡ ବଉଦ ।

 

ସଙ୍ଗେ ସଙ୍ଗେ ପଛରୁ ଦେଖିଲି ଗାଆଁର ଘରଗୁଡ଼ିକରୁ କିଏ ଜଣେ ସଡ଼କ ଉପରକୁ ଉଠିଲା । ସେ ଗୋଟିଏ ଛୋଟ ପିଲାର ହାତଧରି ବାଟ କଢ଼ାଉଥାଏ । ଅନୁମାନ କଲି ବୟସ ପାଞ୍ଚ ଛଅ ବର୍ଷ ହେବ, ବେଶି ନୁହେଁ । ସେମାନେ ଲକ୍ଷ୍ୟହୀନ ଯାଯାବର ପରି–ଉଦାସ ଅବସାଦରେ ଝୁଲି ଝୁଲି ଆଣ୍ଠୁଆଣି ପାଣିର ଧାର ଆଡ଼କୁ ମୋହିଁଲେ, ଜିପ୍ ନିକଟରେ ପହଞ୍ଚି ବୁଲିପଡ଼ି ମୋ ଆଡ଼କୁ ଆଗେଇଲେ । ଲୋକଟି ଡେଙ୍ଗା ଅଳ୍ପାଅଳ୍ପ ନହକା, ସିଧା ସିଧା ମୋ ପାଖକୁ ଆସି ଖସଖସିଆ ଗମ୍ଭୀର ସ୍ଵରରେ କହିଲା, “ହୋ ଭାଇ, ସବୁ ଭଲ ତ ?”

 

ହଁ ।

 

ଗୋଟାଏ ବିରାଟ ଟାଆଁସିଆ ହାତ ବଢ଼େଇ ଦେଲା କରମର୍ଦ୍ଦନ ଲାଗି–ମୁଁ ମୋ ହାତ ମିଶାଇଲି । ସେ ପିଲାଟି ଆଡ଼କୁ ଟିକିଏ ଢଳିପଡ଼ି ତାକୁ ନିର୍ଦ୍ଦେଶ ଦେଲା–“ମଉସାକୁ ଦଣ୍ତବତ କର ବାପ, କୁଶଳ ପଚାର, ମନେହେଉଛି ସେ ତୋ ବାପାଭଳି ଆଉ ଜଣେ ଡ୍ରାଇଭର ମ ! ଖାଲି ତୁମେ, ଆଉ ମୁଁ ଲରି ଚଳାଉଥିଲେ, ଚଳାଉ ନଥିଲେ ନା ? ଆଉ ମଉସା ହେଇଟି ସେ ଛୋଟ ମଟରଗାଡ଼ିରେ ଏବେ ଯାଆସ କରନ୍ତି ?”

 

ଆକାଶ ପରି ଜକ୍ ଜକ୍ ସ୍ୱଚ୍ଛ ଆଖି ଯୋଡ଼ିକରେ ସିଧା ସିଧା ମତେ ଅନେଇ ପିଲାଟି ଟିକିଏନାକୁ ହସିଦେଲା, ସାହାସରେ ଛୋଟ ଗୋଲାପୀ ରଙ୍ଗର ଥଣ୍ଡା ହାତଟି ପ୍ରସାରି ଦେଲା, ଉଶ୍ୱାସିଆ କରି ହାତଟି ଚାପିଦେଲି, ପଚାରିଲି–“କିହୋ ବୁଢ଼ାବାବୁ, ତମ ହାତ ଏତେ କାଲୁଆ କାହିଁକି ? ଆଜି ଏ ଗରମରେ ବରଫ ପାଲଟି ଯାଇଚି ଯେ ହାତଟାଏ ! କ’ଣ ତମକୁ ବରଫ କରି ଦେଇଚି ?” ଶୈଶବର ସହଜ ସରଳ ହୃଦୟଭୁଲା ନିଃଶ୍ଵାସରେ ପିଲାଟି ମୋ ଜଙ୍ଘକୁ ଆଉଜି ଆଣ୍ଠୁରେ ଘଷି ହୋଇ ଛଣପଟ ପରି ରକ୍ତାଭ ଭୂରୁ ଦିଓଟି ବିସ୍ମୟରେ ଉପରକୁ ଟେକିଦେଲା ।

 

“ମୁଁ କାହିଁକି ବୁଢ଼ା ହେବି ମଉସା ? ମୁଁ ତ ପିଲାଟାଏ । କାଇଁ ମୁଁ ତ ବରଫ ହୋଇ ଯାଉନି ଥଣ୍ଡାରେ । ବରଫ ବଲ ଗଢ଼ୁଥିଲି ଯେ ହାତ ଦି’ଟା କାଲୁଆ ହୋଇଛି ।”

 

ପିଠି ଉପରୁ, ଅଧାଅଧି ଖାଲି ଲୋଚାକୋଚା ସାମରିକ ଥଳି ଉତାରି ବାପା ଲଥ୍‍କିନି ବସିପଡ଼ିଲେ ମୋ ପାଖରେ, କହିଲେ–“ମୋର ଏଇ ପାସେଞ୍ଜରଟା–ଏଇ ପାଖରେ, କାନ୍ଧରେ ବୁହା ଯାତ୍ରୀଟା ହୃଦସ୍ପର୍ଶୀ ପିଲାଳିଆ ସରଳ ବିଶ୍ଵାସଟିରେ ତା’ର କେମିତି, ମୋର ଆଣ୍ଠୁ ପାଖକୁ ଗୁଞ୍ଜି ଗୁଞ୍ଜି ହୋଇ ଆସିଲେ, ଗୋଟାଏ ଜଞ୍ଜାଳ ସଦାବେଳିଆ ଟିକି ବିଛୁଆତି, ମହାଦୁଷ୍ଟ ସେ ନିଜେ; ଏ ସରିକି ହେଲାଣି ଓ ମତେ ଥକେଇ ଏ ସରିକି କଲାଣି । ତମେ ଯଦି ଲମ୍ବା ଲମ୍ବା ପାଦ ପକାଇ ଚାଲ, ସେ ‘କଦମ’ ପକାଇ ଚାଲିବ । ଏ ପାଦଘୋଷରା ସାଙ୍ଗରେ ଥରେ ସମାନ ପାଦ ପକାଇ ଚାଲନ୍ତ କି ବୁଝନ୍ତ ? ହଇ ହୋ ପାଦେ ବାଟକୁ ମତେ ତିନି ପାଦରେ ଯିବାକୁ ଦେଉଚି ଯେ । ଏମିତି ତ ଚାଲିବୁ, ଆଉ ଦୁହେଁ ତ ଘୋଡ଼ା ଆଉ କଇଁଛ ପରି ବୁଝିଲ । ତମ ମୁଣ୍ଡ ପଛପଟେ ଆଉ ଗୋଟିଏ ଆଖି ଲୋଡ଼ା, ନ ହେଲେ କ’ଣ କରୁଥିବ ସେ, ଜାଣିବ କେମିତି ? ତମେ ପିଠି ଆଡ଼େଇଲାକ୍ଷଣି ସାଇକଲ ପ୍ୟାଡାଲ ଚଳାଇଲା ଭଳି ଗୋଡ଼ ଦୁଇଟାରେ କାଦୁଅ ପାଣି ମନ୍ଥି ଚବର ଚବର କରି ଲାଗିଥିବ ନଇଲେ ମୁନିଆ ମୁନିଆ ତୁଷାରକଣାଗୁଡ଼ାକୁ ରାସ୍ତା କଡ଼ରୁ ଭାଙ୍ଗି ଭାଙ୍ଗି ପିପରମେଣ୍ଟ ମିଠାଇ ପରି ଚୁଷୁଥିବ । ତା’ପରି ଗୋଟାକ ସାଙ୍ଗରେ ଯିବା, ପୁଣି ପାଦରେ ଚାଲି ଚାଲି–ବାବାରେ ବାପ୍, କୋଉ ମଣିଷର କାମରେ ବାବା !” କହି ଟିକିଏ ଚୁପ୍ ରହିଲା ।

 

ପଚାରିଲା–“ଆଉ ତମ ଖବର କ’ଣ, ଭାଇ ! ଉପରବାଲାଙ୍କ ପାଇଁ ଅପେକ୍ଷା, ନା ?”

 

କାହିଁକି କେଜାଣି ଇଚ୍ଛା ହେଲା ନାହିଁ, କହିବାକୁ ଅଡ଼ୁଆ ଅଡ଼ୁଆ ଲାଗିଲା ଜଣେଇବାକୁ–ତମେ ଯାହା ଭାବିଚ, ଭୁଲ । ମୁଁ ତମ ପରି ଡ୍ରାଇଭର ନୁହେଁ । ତେଣୁ ଉତ୍ତର ଦେଇ କହି ପକାଇଲି-

 

“ଅପେକ୍ଷା କରିବାକୁ ହେବ ।”

 

“ସେ ନଇ ଆରପଟୁ ଆସୁଛନ୍ତି ବୋଧହୁଏ ।”

 

“ହଁ, ଆସିବେ ।’’ ଛଣପଟ ଫୁଲ ପରି ଛୋଟ ଭୂରୁ ହଳକୁ ଟେକିଲେ ବିସ୍ମୟରେ ।

 

“ଚଟୁଆଟା ଚଞ୍ଚଳ ଫେରିବ କି ନାହିଁ ଜାଣିଚ କିଛି ?”

 

“ଦି’ଘଣ୍ଟା ଭିତରେ ଆସିପାରେ !’’

 

“ବହୁତ ସମୟ ତ, ବହୁତ ସମୟ ଲାଗିବ ? ତାହାହେଲେ ଟିକିଏ ନିଃଶ୍ଵାସ ମରାଯାଉ, ଏମିତି କିଛି ତରବର ନାହିଁ ମୋର । ହଁ ହେ, ଚାଲି ଯାଉଥିଲି–ତମ ଉପରେ ଆଖି ପଡ଼ିଗଲା । ଭାବିଲି, ଆମ ଗୋଷ୍ଠୀର କେହି ଜଣେ ଡ୍ରାଇଭର ହେବେ । ଖରା ପୋଉଁଛନ୍ତି, ଭାବିଲି ଯାଏ ତାଙ୍କ ସାଙ୍ଗରେ ବସି ପିକା ଟାଣେ ଟିକେ । ଏକୁଟିଆଟା ଧୂଆଁ ଖାଇବାରେ ସୁଖ ନାହିଁ, ଆମୋଦ ନାହିଁ–ଏକା ଏକା ମରିବା ଭଳି ! ଆରେ ତମେ ତ ଖାସା ଅଛ, ନାଇଁ ? ଦେଖୁଛି ସିଗାରେଟ ଟାଣୁଚ ? ଓଦା ହୋଇଗଲା ସେଗୁଡ଼ାକ ଏଁ ! ବୁଝିଲ ଭାଇ, ଭିଜା ଧୂଆଁପତ୍ର ଡାକ୍ତରଦେଖା ଘୋଡ଼ା ପରି କେଉଁ କାମକୁ ଯୋଗ୍ୟ ନୁହେଁ । ତା’ ବଦଳରେ ମୋ ଧୂଆଁପତ୍ର ମେଞ୍ଚାକ ଦଳି ପିକା କରି ଟଣାଯାଉନା: କ’ଣ କହୁଚ–ଚାଲ, ହାତ ଚାଲୁ ।

 

ପତଳା ଖାକି ପ୍ୟାଣ୍ଟର ପକେଟରୁ ସେ ରେଶମୀ କନାର ପୁରୁଣା ଦୋକତା ବଟୁଆଟାଏ ବାହାର କଲେ, ତାକୁ ଫିଟେଇଲା ବେଳେ ଦେଖିଲି ତା’ର ଗୋଟିଏ କଣରେ ସୂକ୍ଷ୍ମ ହାତ ସିଲେଇ ଯୋଗେ ସିଆଁ ହୋଇଥାଏ ଶବ୍ଦ କେତୋଟି, ପଢ଼ିଦେଲି । “ଆମର ପ୍ରିୟତମ ସୈନିକଙ୍କ ମଧ୍ୟରୁ ଜଣେ ଲେବଦନସ୍କାୟା ସେକଣ୍ଡାରୀ ସ୍କୁଲର ଜଣେ ଛାତ୍ରୀ ।”

 

ଘର ତିଆରି ତମାଖୁ, ବେଶ୍‍ କଡ଼ା, ଦୁହେଁ ପିକାକରି ବହେ ବହେ ଟାଣିଲୁ । ଅନେକ ବେଳଯାଏ କେହି କାହାକୁ କିଛି କହୁ ନ ଥାଉ । ପିଲାଟିକୁ ନେଇ କୁଆଡ଼େ ଯିବା ହେଉଛି–ଏମିତିକା ଖରାପ ବାଟରେ ବାହାରିବା କାରଣ କ’ଣ–ପଚାରିବି ବୋଲି ବାହାରିଥାଏ । ସେ କିନ୍ତୁ ଆଗ ପ୍ରଶ୍ନଟାଏ ଉଠାଇଲେ–

 

“ଯୁଦ୍ଧଯାକ ଏଇଥିରେ ଲଥି, ମଟର ଚଳାଉଥିଲ ନାଇଁ ?”

 

“ହଁ, ପ୍ରାୟ ଯୁଦ୍ଧଯାକ ।”

 

“ଆଉ ଯୁଦ୍ଧକ୍ଷେତ୍ରରେ, ସମ୍ମୁଖା ସମ୍ମୁଖୀ ଯୁଦ୍ଧରେ ?”

 

“ହଁ ।”

 

ଆଃ ମୋତେ ବି କମ୍ ଭୋଗିବାକୁ ପଡ଼ିନି ଭାଇ ସେଠି ଯେତେ ତାଠୁ ଯଥେଷ୍ଟରୁ ଅଧିକ ଦୁଃଖ, ଅଧିକ.....

 

ବଡ଼ ବଡ଼ ହାତ ଦୁଇଟିକୁ ଜଙ୍ଘ ଉପରେ ପୋତିଦେଲା ଯେପରି, କାନ୍ଧ ଦୁଇଟି ଝୁଲି ପଡ଼ିଲା । କରେଇ କରେଇ ଦେଖି କେମିତି ଅଦ୍ଭୁତ ଅସ୍ଥିର ହୋଇଉଠିଲେ । କେହି କେବେ ସେଭଳି ଦୃଷ୍ଟି ଦେଖିଛି; ଯେଉଁଥିରେ ପାଉଁଶଗୁଡ଼ାଏ ଛିଞ୍ଚି ହୋଇଥାଏ । କେହି କେବେ ସେଭଳି ଚକ୍ଷୁ ଭେଟିଛି, ଯେଉଁଥିରେ ଗୋଟାଏ ଡହଳ ବିକଳ ଆତ୍ମାର ଅନିର୍ବାଣ କାମନାର ହାହୁତାଶ ଆଉ ବିଷାଦ ଘୋଟିଯାଇଥାଏ–ଯେଉଁ ଚକ୍ଷୁକୁ ଦେଖି ବି ଦେଖି ହୁଏନାହିଁ, ଚାହିଁବି ଚାହିଁ ହୁଏ ନାହିଁ; ସେଇ ଅକସ୍ମାତ୍ ହାବୁଡ଼ି ଥିବା ବନ୍ଧୁଟିର ପାଉଁସିଆ ଦୃଷ୍ଟିରେ ଆଉ ଚକ୍ଷୁରେ ସେହି ବିଷାଦ, ସେଇ ଆକୁଳତା, ସେହି ହାହାକାର ।

 

ସେ ବାଡ଼ରୁ ଖଣ୍ଡେ ଶୁଖିଲା କାଠି ଭାଙ୍ଗି ଆଣିଲା । ସେଥିରେ ସେ ମିନିଟିଏ କାଳ ବାଲି ଉପରେ କେତେ ଅଦ୍ଭୁତ ଚିତ୍ରର ପ୍ରତୀକମାନ ଲେଖିବାକୁ ଲାଗିଲେ, ତା’ପରେ କହିଲେ–

 

“ଅନେକ ସମୟରେ ରାତିରେ ଶୋଇପାରେନି ମୁଁ । ଫାଙ୍କା ଫାଙ୍କା ଆଖିରେ ଅନ୍ଧାରକୁ ଅନାଇଥାଏ, ଆଉ ଭାବୁଥାଏ, କେଉଁଥିପାଇଁ ଏ କ’ଣ କଲୁରେ ଜୀବନ ! ଏ କ’ଣ କଲୁ ତୁ ? ମତେ ଏଭଳି ଖଞ୍ଜ, ଏଭଳି ପଙ୍ଗୁ କରି ଛାଡ଼ିଗଲୁ କାହିଁକି, କାହିଁକି ଦଣ୍ଡ ଦେଲୁରେ ମତେ ? କାହିଁକି ମୋର ଅନ୍ତରାତ୍ମାର ଅନ୍ତୁକୁ ଛିଡ଼ାଇ କୁତୁକୁତା କଲୁରେ–କାହିଁକି ? ନାଃ.....ଉତ୍ତର ପାଏନି, ଉତ୍ତର ପାଏନି ଏହି ପ୍ରଶ୍ନର..... ଘୋର ଅନ୍ଧାରରେ କି ସୂର୍ଯ୍ୟ ଯେତେବେଳେ ଦାଉ ଦାଉ ହୋଇ ଜଳୁଥାଏ ସେତେବେଳେ ବି...ଉତ୍ତର ପାଏନି; ଜାଣେ, ପାଇବି ନାହିଁ କେବେ ।’’ ହଠାତ୍ ଯେପରି ସେ ସଚେତନ ହୋଇଉଠିଲେ, ଆତ୍ମବିସ୍ମୃତିରୁ ବାହୁଡ଼ି ଆସିଲେ । ବାତ୍ସଲ୍ୟରେ ପୁଅକୁ ଟିକିଏ ଠେଲିଦେଇ କହିଲେ, “ଯା ବାପ, ଯା ! ପାଣି ପାଖରେ ଖେଳିବୁ ଯା ! ବଡ଼ ବଡ଼ ନଈକୂଳରେ ପିଲାଏ ସିନା ଖେଳନ୍ତି, ଖେଳିବାକୁ କେତେ ଜିନିଷ ଥାଏ ପିଲାଙ୍କ ପାଇଁ ସେଠି । ଦେଖ, କିନ୍ତୁ ଗୋଡ଼ରେ ଯେମିତି ପାଣି ନ ଲାଗେ, ପାଦ ଯେମିତି ଓଦା ନ ହୁଏ ।”

 

ନୀରବରେ ବସି ପିକା ଟାଣୁଥିଲାବେଳେ ମୁଁ ବାପପୁଅ ହୁହିଁଙ୍କ ଦେହ ଉପରେ ଥରେ ତରତରରେ ଆଖି ବୁଲାଇ ଆଣିଥିଲି । ଗୋଟିଏ କଥା ଅସ୍ଵାଭାବିକ ଲାଗିଥିଲା । ପିଲାଟିର ବେଶପୋଷାକ ବେଶ୍ ସାଧାସିଧା କିନ୍ତୁ ପରିପାଟୀ ଥିଲା ସେଥିରେ I ଲମ୍ବ “ସାର୍ଟ” ବା ଝୁଲୁଥିବା ସାର୍ଟ ଓ ପୁରୁଣା ଚମଡ଼ାର ଅସ୍ତରଲଗା ଛୋଟ କୋଟଟି ତା’ ଦେହରେ ମିଞ୍ଜି ଯାଇଥାଏ ଯେମିତି ? ଉଲର ମୋଜା ଉପରେ ଯାକିଯୁକି ହୋଇ ଆରାମରେ ଲାଖିଥାଏ କୁନିକୁନି ବୁଟ୍ ଯୋଡ଼ିକ । କୋଟ୍‍ର ‘ହାତ’ର ଚିରାକୁ କିଏ ସୁନ୍ଦର ଭାବରେ ରଫୁ କରି ଦେଇଥାଏ । ତାକୁ ସଜେଇବାରେ ଗୋଟିଏ ନାରୀର, ଗୋଟିଏ ସ୍ନେହମୟୀ ଜନନୀର ନିପୁଣ ହାତ ଯେ ଲାଗିଥାଏ, ବାରି ହୋଇ ପଡ଼ୁଥାଏ ଅକ୍ଳେଶରେ । କିନ୍ତୁ ବାପାର ? ବାପାର ପୋଷକପତ୍ର, ବାପାର ଚେହେରା ଥାଏ ପୃଥକ-। ତା’ର ତୁଳାପଟିର ଜାକେଟ, ଏଠି ସେଠି କେତେ ଜାଗାରେ କେବେ ପୋଡ଼ି ଯାଇଥିଲା-। ସିଲେଇ ହୋଇଥାଏ ରଅଠଅ ହୋଇ । ପୁରୁଣା ଖାକି ପ୍ୟାଣ୍ଟରେ ତାଳି ପଡ଼ିଥାଏ ମରଦର ହାତରେ-। ଛଡ଼ା ଛଡ଼ା କରି ଦି’ଚାରି ଖିଅ ଦେଇ ତା’ପରେ ଯୋଡ଼ି ଦେଇଥାଏ ତାଳିଟିକୁ, ସତେ ଯେପରି ଗୋଟିଏ ବିରାଟ ଗାତର ଆଁରେ କନାମେଞ୍ଚେ ଢାଳି ଦେଇଥାଏ ସେ ନିଜେ କି ଆଉ କିଏ । ତା’ର ସାମରିକ ବୁଟ୍ ହଳକ ନୂଆ ନୂଆ ଦିଶୁଥାଏ । କିନ୍ତୁ ବହଳିଆ ଉଲର ମୋଜା ଦିଓଟି ହୋଇଥାଏ ଫୁଟୁଫୁଟୁ-। ନାରୀହାତର ମଧୁର ସ୍ପର୍ଶ ସେଗୁଡ଼ିକରେ ବାକି ନଥାଏ କେବେ । ଠିକ୍ କରିନେଲି ଭାବି ହୁଏତ ସେ ବିପତ୍ନୀକ, ହୁଏତ ତାଙ୍କର ଆଉ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କେଉଁଠି କ’ଣ ପ୍ରମାଦ ଘଟିଯାଇଛି, ଅପଡ଼-!

 

ପୁଅଟି ପାଣିକୂଳକୁ ଧାଇଁ ଧାଇଁ ଚାଲିଗଲା, ସେ ଅନାଇଥିଲେ ସତର୍କ ଆଖିରେ । ତା’ପରେ ଥରେ ଅଧେ କାଶିଲେ, କହିବାକୁ ଆରମ୍ଭ କଲେ, ଉତ୍କର୍ଣ୍ଣ ହୋଇଉଠିଲି–ମନଧ୍ୟାନ ଦେଇ ଶୁଣିଲି । “କ’ଣ କହିବି ଯେ ସାଧାରଣିଆ, ଅତି ସାଧାରାଣିଆ ଜୀବନ ମୋର ! ଭୋରୋନେଜର ଲୋକ ମୁଁ । ୧୯୦୦ ମସିହାରେ ଗୃହଯୁଦ୍ଧ ସମୟରେ ଲାଲସେନାରେ ଥିଲି, କିକ୍‍ଭିଦଜେ ଫୌଜରେ । ୧୯୨୨ ମସିହା ଦୁର୍ଭିକ୍ଷ ବେଳେ ଛାଟିପିଟି ହୋଇ ପଳାଇଲି କ୍ୟୁବାନ, ବଡ଼ ଜମିମାଲିକ କୁଲାକଙ୍କ ପାଖରେ କ୍ଷେତମୂଲିଆ ଭାବରେ ମରିସରି ଖଟିଲି ବଳଦଙ୍କ ପରି । ନଇଲେ ଆଜି କୋଉଠି ଜୀବନରେ ଥାନ୍ତି ଯେ ମୁଁ ! କିନ୍ତୁ ତେଣେ ଘରେ ? ବାପା ମାଆଉଉଣୀ ମୋର ଟଳି ପଡ଼ିଲେ ଅନାହାରରେ ଆଉ ମୋର ଦୁନିଆରେ ରହିଲା କିଏ ? ଏକା-ଏକା ହୋଇଗଲି ମୁଁ । ଭାଇବନ୍ଧୁ କୁଟୁମ୍ବ ହୋଇ କେହି କୁଆଡ଼େ ନଥାନ୍ତି । ବର୍ଷକ ପରେ କ୍ୟୁବାନରୁ ଫେରି ଘର ବୋଲି ଯେଉଁ ଚାଳିଆ ଖଣ୍ଡିକ ଥିଲା, ତାକୁ ବିକ୍ରି କରିଦେଇ ଭୋରୋନେଜକୁ ପଳାଇବା ଛଡ଼ା ଗତ୍ୟନ୍ତର ନଥିଲା । ପ୍ରଥମେ କାମ କଲି ଗୋଟିଏ ବଢ଼େଇଶାଳରେ ବଢ଼େଇ ହୋଇ । ପରେ ଗୋଟିଏ କାରଖାନାରେ ପଶି ଯନ୍ତ୍ରପାତି କାମ ଶିଖି କାରିଗର ବା କଳକବ୍‍ଜା ଚାଳକ ହେଲି । ସେତିକିବେଳେ ବାହା ହୋଇ ପଡ଼ିଲି । ଗୋଟିଏ ଶିଶୁସେବା ସଦନରେ ମୋର ସ୍ତ୍ରୀଟି ବଢ଼ିଥାଏ, ଛେଉଣ୍ଡ ସେ, କିନ୍ତୁ କି ଗୁଣର ! ଭଲ ଝିଅ ଭଳି ଝିଅଟିଏ ପାଇଥିଲି ମୁଁ ! କେଡ଼େ ସୁଧାର, କେଡ଼େ ହସ ହସ, ମନ ତୋଷିବା ପାଇଁ କି ଉଦ୍ବେଗ ତା’ର ! କାମ ଦାମରେ, ଚାଲିଚଳନରେ କି ବିଚକ୍ଷଣା ସତେ ! ତା’ର କେଉଁ ପାସଙ୍ଗରେ ପଡ଼ୁଥିଲି ବା ମୁଁ ! ପିଲାଟି ଦିନରୁ ସେ ବୁଝିଥିଲା, ଦୁଃଖ କଷ୍ଟ କ’ଣ । ଅଙ୍ଗରେ ନିଭେଇ ଜାଣିଥିଲା ସେ । ସେଇ ଦୁଃଖ ଶୋକ କଷଣ ତା’ର ଚରିତ୍ରକୁ ପ୍ରଭାବିତ କରି ଗଢ଼ି ଦେଇଥିଲା ନିଖୁଣ ଭାବରେ । କରରୁ ଆଡ଼େଇ ଆଡ଼େଇ ଚାହିଁଲେ କହିଥାନ୍ତ, ଏମିତି କିଛି ଆଖିଦୃଶିଆ ସେମିତି କିଛି ସୁଶ୍ରୀ ସୁନ୍ଦରୀ ନଥିଲା ସେ । କିନ୍ତୁ ବୁଝିଲ, ମୁଁ ତାକୁ କେବେ ସେ ଦୃଷ୍ଟିରେ ଦେଖିନାହିଁ । ସେଦିଗର ତାକୁ ମୁଁ ଦେଖୁଥିଲି ସାମନାସାମନି, ହୃଦୟର ପୂର୍ଣ୍ଣତାରେ । ତା’ଠୁ ବଳି ଆଉ କେଉଁ ରମଣୀକୁ କେବେହେଲେ ସୁଖ ପାଇନି, ଶ୍ରଦ୍ଧା କରିନି ଦୁନିଆରେ । ନା, ଜୀବନରେ ଯେତେ ଯାହାକୁ ଦେଖିଛି, ତାଙ୍କ ମଧ୍ୟରୁ କାହାକୁ ନୁହେଁ । ମୋ ସ୍ନେହର ଶ୍ରଦ୍ଧାର ପାତ୍ରୀ–ତା’ଭଳି କେହି ହୋଇନି–ହେବ ନାହିଁ, ହେବ ନାହିଁ ।

 

“ପ୍ରାୟ ପ୍ରତିଦିନ କାମରୁ ଫେରୁଥାଏ କ୍ଳାନ୍ତ ହୋଇ, ବିରକ୍ତ ହୋଇ ! ବେଳେବେଳେ ଅତି ଜଘନ୍ୟ ଭାବରେ ମତିଗତି ବିଗିଡ଼ି ଯାଇଥାଏ । କିନ୍ତୁ ତା’ ବୋଲି ମୋର ରୁକ୍ଷତାର ଜବାବ ତିକ୍ତତାରେ ଦେଉ ନଥାଏ ସେ । (କୁଟତାରେ କଟାକ୍ଷ ଫିଙ୍ଗୁ ନଥାଏ ମୋ ଉପରକୁ । ) ଏଡ଼େ ଆମାୟିକା, ଏଡ଼େ ମଧୁର ଆଉ ଧୀର ହୁଏ ସେ ! ତା’ର ଭାବଭଙ୍ଗୀରେ ଫୁଟିଉଠେ ସତେ ଯେମିତି ସେ କିଛି କରିପାରୁନାହିଁ ତୁମ ଲାଗି । ଯାହା କରୁଛି, ତା’ ଯଥେଷ୍ଟ ନୁହେଁ–ନା, ଆଦୌ ଯଥେଷ୍ଟ ନୁହେଁ । ତେଣୁ ସଦାବେଳେ ଉତ୍କଣ୍ଠା, ତମ ପାଇଁ ସୁନ୍ଦର କିଛି, ହୃଦୟହାରୀ କିଛି, ତିଆରିକରି ଆଣିଦେବ, ଘରେ ପଛେ ପ୍ରାଚୁର୍ଯ୍ୟ ନ ଥାଉ, ଚଳିବା ପାଇଁ ସେମିତି କିଛି ଯଥେଷ୍ଟ ଜିନିଷ ନ ଥାଉ–ତାକୁ ଦେଖିଲାକ୍ଷଣି ହୃଦୟଟା ମୋର ହାଲୁକା ହୋଇଯାଉଥାଏ । କ୍ଷଣକ ପରେ ବାହୁ ବନ୍ଧନରେ ଭିଡ଼ିଧରି କହୁଥାଏ: “ଇରିନା, ଇରିନା ମୋର ! ଭାରି ଚିଡ଼ିଗଲି, ରାଗିଗଲି.....ମାଫ୍ କର ଇରିନା, ଦିନଟାଯାକ ଆଜି କାମରେ ସଢ଼ି ଯାଇଛି !” ତା’ପରେ ପୁଣି ଆମ ଭିତରେ କେଉଁଠୁ କୁଆଡ଼ୁ ଶାନ୍ତି ଘନେଇ ଆସୁଥିଲା । ମୋର ମନ ଥୟ ହୋଇ ଯାଉଥାଏ । ତମେ ଜାଣ ଭାଇ, କାମ ଦୃଷ୍ଟିରୁ ମନର ସେଇ ସ୍ଥିରତାର ଅର୍ଥ କ’ଣ ? ସକାଳୁ ମୁଁ ଧଡ଼ପଡ଼ ହୋଇ ଉଠିପଡ଼ୁଥିଲି, ବନ୍ଧୁକର ଗୁଳି ଫୁଟିଲା ଭଳି କାରଖାନାକୁ ଦଉଡ଼ୁ ଥିଲି ଆଉ ଯେଉଁ କାମରେ ହାତ ଦେଉଥିଲି, ଘଣ୍ଟାର କଣ୍ଟାଭଳି ନିର୍ଭୁଲ କ୍ରମରେ ସେ କାମ ସମ୍ପନ୍ନ ହୋଇଯାଉଥିଲା । ପ୍ରକୃତରେ ଚାଲାଖ ଚତୁର ଝିଅଟିଏ ବିଚକ୍ଷଣା ସହଧର୍ମିଣୀଟିଏ ପାଇବାର ସୌଭାଗ୍ୟ ଏ !

 

“ବେଳେବେଳେ ଗୋଟିଏ କଥା ଘଟୁଥାଏ । ମଜୁରୀ ମିଳିବା ଦିନ ସାଥୀ ଶ୍ରମିକଙ୍କ ଗହଣରେ ପଡ଼ି ଦି’ଚାରି ଢୋକ ମଦ ପିଇ ଦେଉଥାଏ । ଥରେ ଥରେ ମଦ ପିଇ ଟଳି ଟଳି ଘରକୁ ଫେରୁଥାଏ । କଇଁଚିଆ ଗୋଡ଼ ଦୁଇଟା ମୋର ଛନ୍ଦି ଛନ୍ଦି ହୋଇଯାଉଥାଏ । ସେତେବେଳେ ଗୋଟାଏ ଭୟଙ୍କାରିଆ ଦୃଶ୍ୟ ହେଉଥିବି ମୁଁ ନିଶ୍ଚୟ । ଗଳି କନ୍ଦିକି ପଚାରେ କିଏ, ପ୍ରଧାନ ରାସ୍ତା ଅଣ୍ଟୁ ନଥାଏ ମୋତେ ଅଣଓସାରିଆ ହୋଇ । ସେହି ସମୟରେ ମୁଁ ଜବରଦସ୍ତ ଶକ୍ତ ତାକତବାଲା ଭେଣ୍ଡିଆ ଥିଲି । ବୋତଲକୁ ବୋତଲ ମଦ ପିଇ ଚେତା ରହିପାରୁଥିଲି, ସବୁବେଳେ ଘରକୁ ଫେରି ପାରୁଥିଲି ଛାଏଁ ଛାଏଁ ନିଜର ବଳରେ, ନିଜର ତେଜରେ । ମାତ୍ର କେତେବେଳେ କେମିତି ମୋ ପ୍ରାଣର ମଟରଗାଡ଼ିଟା ଯେପରି ତଳ “ଗିଅର”ରେ ଚାଲୁଥିଲା । ଘୁଷୁରି ଘୁଷୁରି ଗୁରୁଣ୍ଡି ଗୁରୁଣ୍ଡି ଫେରୁଥିଲି ତଥାପି କି ବିଚିତ୍ର ସତେ ! ଟିକିଏ ହେଲେ ତା’ର ପାଟି ନାହିଁ, ଗାଳି ନାହିଁ, କଳି ନାହିଁ । ମୋର ଇରିନା, ଇରିନା ମୋର ଖାଲି ହସି ଦେଉଥାଏ । ଆଉ ଏମିତି ଚତୁର ରୀତିରେ ଏମିତି କୌଶଳରେ ହସୁଥାଏ, ଯେମିତି କି ଯେତେ ମାତାଲ ହୋଇଥିଲେ ବି ମିଞ୍ଚାସକୁ ବାଧିବ ନାହିଁ । ତାକୁ ମୁଁ ଭୁଲ ବୁଝିବି ନାହିଁ । ମୋ ପାଦରୁ ବୁଟ୍ ହଳକ କାଢ଼ି ଦିଏ, ଥିରି ଥିରି ସ୍ୱରରେ କହେ, “ତମେ ଆଜି ରାତିରେ କାନ୍ଥ ପାଖରେ ଶୁଅ ଆଣ୍ଡ୍ର, ନ ହେଲେ ନିଦରେ କାଳେ ଖଟ ଉପରୁ ଗଡ଼ି ପଡ଼ିବ !” ଆଉ ମୁଁ ଯଅ ବସ୍ତାଏ ପରି ଖଟ ଉପରେ ଲଥ୍‍କିନି ଢଳିପଡ଼େ । ଆଖି ସାମନାରେ ଜିନିଷପତ୍ର ଝାପ୍‍ସା ଝାପ୍‍ସା ହୋଇ ଦୂରେ ଭାସି ଯାଉଥାଏ । ପତା ଦିଅଟି ନିଦରେ ନଇଁ ନଇଁ ଆସିଲା ବେଳେ ଅନୁଭବ କରୁଥିଲି–ସେ ବସି ବସି ଥିରି ଥିରି କେଡ଼େ କୋମଳ ଭାବରେ ଆଉଁସୁଥାଏ ମୁଣ୍ଡକୁ, ବାଳଗୁଡ଼ିକ ଖଳାଉଥାଏ–କାନ ପାଖରେ କ’ଣ ଗୁଡ଼ିଏ ଫୁସ୍‍ଫୁସ୍ କରି ତୁନି ତୁନି କହି କହି ଯାଉଥାଏ–ବୁଝିଥିଲି କି ଦୁଃଖରେ, ମମତାରେ ଭାଙ୍ଗି ପଡ଼ିଥାଏ ସେ.....

 

“ସକାଳୁ, କାମକୁ ଯିବାର ଦୁଇଘଣ୍ଟା ଆଗରୁ ସେ ମତେ ଉଠାଇ ଦେଉଥାଏ, ମୋର ସମ୍ପୂର୍ଣ୍ଣ ଚେତା, ହେବାଲାଗି ସମୟ ରଖୁଥାଏ । ମାତାଲ ହେଲା ପରେ ଅନ୍ନ ଜଳ ଛୁଇଁ ବି ନାହିଁ, ଭଲ ରୂପେ ଜାଣିଥିଲା ସେ, ତେଣୁ କାକୁଡ଼ି ଆଚାର କି ସେଇଭଳି କିଛି ଖଟାଳିଆ ଚିଜ ଖାଇବାକୁ ଦିଏ ସେ । ନିଶା ପ୍ରଭାବକୁ ଛଡ଼ାଇବା ପାଇଁ ଗିଲାସେ ‘ଭଡ୍‍କା’ ପିଆଉଥିଲା “ଏଇ ନିଅ’ ପିଇ ଦିଅ ଏତକ, ଖାଇଦିଅ ଏ ଟିକକ, ଆଣ୍ଡ୍ରି ! ଛି ! ଆଉ ଏମିତି ପିଆପିଇ କରିବ ନାହିଁ କିନ୍ତୁ ।” ତମଠି ଯାହାର ଏଭଳି ଅଗାଧ ବିଶ୍ୱାସ, ତାକୁ ତମେ ଗାଳି ଦେବ, ଛାଡ଼ିଦେବ, ତଳେ ପକାଇବ ବା କେମିତି ? ଢକ ଢକ କରି ଭଡ୍‍କାତକ ପିଇ ଦେଉଥିଲି । କଥାରେ ନୁହେଁ, ଚାହାଣିରେ ତା’ର ଚୁମ୍ବନ ଆଙ୍କି ଧନ୍ୟବାଦ ଦେଇ ମେଣ୍ଢା ଛୁଆଟି ପରି ବାହାରି ଯାଉଥିଲି କାମକୁ । ମାତାଲ ରାତିର ପରଦିନ ସକାଳେ ଯଦି ସେ ପଦେ ମୋ ବିରୁଦ୍ଧରେ କହୁଥାନ୍ତା, ଗାଳି ଗୁଲଜ କରି ରାଗୁଥାନ୍ତା, ଅଭିଶାପ ଅଜାଡ଼ୁଥାନ୍ତା.....ବିଶ୍ୱାସକର ପୁଣି ମୁଁ ମାତାଲ ହୋଇ ଘରକୁ ଫେରୁଥାନ୍ତି । ଏଇଆ ଘଟେ କେତେ ପରିବାରରେ, ଯେଉଁ ସ୍ତ୍ରୀ ନିର୍ବୋଧ ଏମିତି । ଅନେକ ଦେଖିଛି, ଅନେକ ଜାଣେ ମୁଁ ।

 

“ତା’ପରେ କେଡ଼େ ଶୀଘ୍ର ସତେ, ଗୋଟି ଗୋଟି ହୋଇ ପିଲାଏ ଆସିବାକୁ ଆରମ୍ଭ କରିଦେଲେ । ପ୍ରଥମେ ଟିକି ପୁଅଟି, ପରେ ଝିଅ ଯୋଡ଼ିକ ପହଞ୍ଚିଲେ । ସେତିକିବେଳେ ମୁଁ ସଙ୍ଗୀମାନଙ୍କଠୁଁ ଅଲଗା ହୋଇଗଲି । ତେଣିକି ମଜୁରୀତକ ନେଇ ସ୍ତ୍ରୀ ପାଖରେ କୁଢ଼ାଇ ଦେବାରେ ଲାଗିଲି ।

 

ପରିବାରର ଆକୃତି ବଢ଼ିଗଲା । ଆଉ ମଦ ପିଇବା ପାଇଁ ଅବକାଶ ଥିଲା କେଉଁଠି ? ଛୁଟି ଦିନ ଖୁବ୍ ହେଲେ ଗିଲାସେ ବିଅର–ବାସ ସେତିକି ।

 

୧୯୨୯ ମସିହାରେ ମଟରଗାଡ଼ିକୁ ମନ ବଳିଲା, ସେ ସମ୍ପର୍କରେ ଆଗ୍ରହ ହେଲା । ‘ମୋଟର’ ଚଳା ଶିଖିଯାଇ ଲରି ଚଳାଇବାରେ ଲାଗିଲି । ଲାଗିଲା, ମଟର ଚଳାଇଲେ କୌତୁକ ବେଶି, ଆନନ୍ଦ ବେଶି । ସେ ବାଟ ଧରିଲା ପରେ, ତା’ର କଳକୌଶଳରେ ଅଭ୍ୟସ୍ତ ହେଲା ପରେ, ଆଉ କାରଖାନା କାମକୁ ଯିବାପାଇଁ ଇଚ୍ଛା ହେଲା ନାହିଁ । ମୋର ଏମିତି ଏମିତି ଦଶଟି ବର୍ଷ କୁଆଡ଼େ ବୋହିଗଲା ଅଦେଖାରେ, ଅଜାଣତାରେ–ସ୍ଵପ୍ନପରି ଲାଗୁଛି । ସତେ ଦଶଟା ବର୍ଷ ବା କ’ଣ ? ଚାଳିଶ ବର୍ଷରୁ ଉର୍ଦ୍ଧ୍ୱ ବୟସର ଯେ କୌଣସି ଲୋକକୁ ପଚାର, ତା’ର ବର୍ଷଗୁଡ଼ିକ କେମିତି କଟିଚି, ଦେଖିଚି କି ନାହିଁ; ସେ କହିବ, କିଛି ଦେଖି ନାହିଁ, କିଛି ଜାଣି ନାହିଁ । ହେଇ କୁହୁଡ଼ିଘେରା ସେହି ଦୂର ଦୂରାନ୍ତର ଷ୍ଟେପି ପଡ଼ିଆଭଳି–ଅତୀତର ଜୀବନ । ଆଜି ସକାଳେ ମୁଁ ସେହି ଷ୍ଟେପି ଅତିକ୍ରମ କରି ଚାଲି ଚାଲି ଆସୁଥିଲି । ଚାରିଆଡ଼ ଥିଲା ନିର୍ମଳ, ଥିଲା ପରିଚ୍ଛନ୍ନ । କିନ୍ତୁ ଏବେ ଗୋଟିଏ କିଲୋମିଟର ଅତିକ୍ରମ କରିଛି, ତାହା ଉପରେ କୁହୁଡ଼ି, ଖାଲି କୁହୁଡ଼ି । ଗଛଗୁଡ଼ାକ ବାରିପାରିବ ନାହିଁ ଘାସରୁ, କି ହଳରେ ଚଷା ଉଠିଆ ଭୂଇଁରୁ ପଡ଼ିଆଗୁଡ଼ାକ ।

 

ଦିନ ରାତି ଖଟିଛି ସେହି ଦଶଟି ବର୍ଷ । ବେଶ୍ ରୋଜଗାର ହେଉଥାଏ । ଅନ୍ୟ କାହାଠାରୁ କୌଣସି ଅଂଶରେ ଖରାପ ଅବସ୍ଥାରେ ଚଳୁନଥାଉ । ଆମର ଆନନ୍ଦର ଧନ ହୋଇଥାନ୍ତି, ପିଲାଏ । ତିନିହେଁ ଭଲ ପଢ଼ୁଥାନ୍ତି ସ୍କୁଲରେ । ସବା ବଡ଼ ଆନାଟୋଲି ଗଣିତରେ ଏଭଳି ପ୍ରତିଭାର ପରିଚୟ ଦେଇଥାଏ ଯେ ତା’ର ନାଆଁ ବାହାରିଥିଲା, ସୁଖ୍ୟାତି ପ୍ରଚାରିତ ହୋଇଥିଲା ମସ୍କୋ ଖବରକାଗଜରେ । ସେ ପ୍ରତିଭାର ଦିନ କେଉଁଠୁ ପାଇଥିଲା, କେଉଁ ଉତ୍ତରାଧିକାର ସୂତ୍ରରେ କହିପାରିବି ନାହିଁ, ଭାଇ ! କିନ୍ତୁ ସେଥିରେ ମୋର ହୃଦୟ ପୂରି ଉଠୁଥାଏ ସୁଖରେ, ଉଚ୍ଛ୍ଵାସରେ, ଗୌରବରେ, ତା’ପାଇଁ ଗର୍ବରେ ଫୁଲି ଉଠୁଥାଏ ମନ, କେତେ ଗର୍ବରେ ସତେ.... ?

 

ଦଶ ବର୍ଷ ଭିତରେ କିଛି ଟଙ୍କା ପଇସା ସଞ୍ଚିପାରିଲୁ । ଯୁଦ୍ଧ ଲାଗିବା ପୂର୍ବରୁ ବସବାସ ଘର ଖଣ୍ଡିଏ ତୋଳେଇଲୁ । ଯୋଡ଼ିଏ ବଖରା, ଗୋଟିଏ ସେଥିରୁ ଚାଳିଆ–ସାମନାରେ ଗୋଟିଏ ସାନ ଅଳିନ୍ଦ ଆମର ନୂଆ ଘରଟିରେ । ଇରିନା ଦି ଚାରି ଯୋଡ଼ା ଛେଳି ଖରିଦ କରିଥାଏ । ଆଉ ଅଧିକା କ’ଣ ଦରକାର ଯେ ଥାଏ ଆମର ? ପିଲାଙ୍କର କ୍ଷୀରୀ ପାଇଁ ଥାଏ ଦୁଧ, ମୁଣ୍ଡ ଗୁଞ୍ଜିବାକୁ ଥାଏ ଚାଳ, ଦେହ ପାଇଁ ଥାଏ ଦି’ଖଣ୍ଡ କପଡ଼ା, ପାଦ ପାଇଁ ଜୋତା । କେଉଁଟି ଅଭାବ ନଥାଏ–ସବୁ ଠିକ୍‍ଠାକ୍ । କିନ୍ତୁ ଭାଇ, ସବୁ ଠିକ୍ ଭିତରେ ଗୋଟିଏ କଥା ବେଠିକ୍ ଧରିଥିଲା । ଘର ପାଇଁ ଭଲ ଜାଗା ବାଛି ନଥିଲି । ଘରଟି ଛିଡ଼ା କରାଇଥିଲି ଅଥାନରେ, ଗୋଟିଏ ଭଡ଼ାଜାହାଜ କାରଖାନାଠୁ ବେଶି ଦୂରରେ ନୁହେଁ । ମୋର ସେଇ ଛୋଟ ଜାଗା ଖଣ୍ଡିକ ଯଦି ଆଉ କେଉଁଠି ହୋଇଥାନ୍ତା, କିଏ ଜାଣେ ଜୀବନଟାର ଗତି ମୋର ଭିନ୍ନ ହୋଇ ନ ଥାନ୍ତା..... !

 

ଆସିଗଲା, ତା’ପରେ ଆସିଗଲା ସେଇ ଯୁଦ୍ଧ । ଯୁଦ୍ଧ ଲାଗିବାର ପରଦିନ ଡାକରା । ମୋର ସାମରିକ ଡାକରା, ସାମର୍ଥ୍ୟସୂଚକ କାଗଜର ଦେଖାଦେଖି । ଆଉ ତହିଁଆରଦିନ ନିର୍ଦ୍ଦେଶ, “ଥାନାରେ ହାଜର ହୁଅ ଅନୁଗ୍ରହ କରି ।’’ ମୋର ଚାରୋଟିଯାକ ଜୀବନର ଧନ ଇରିନା, ଆନାଟୋଲି, ଝିଅ ଯୋଡ଼ିକ ନାସ୍ତେଙ୍କା ଓ ଲ୍ୟୁସ୍କା ମତେ ବଳେଇ ଦେବାକୁ ବାହାରିଲେ । ପିଲାଏ ଚମତ୍କାର ଧୈର୍ଯ୍ୟ ଧରିଥାନ୍ତି । କିନ୍ତୁ ଝିଅ ଯୋଡ଼ିକର ଆଖିରୁ ଦି’ଟୋପା ଲୁହ ଢଳ ଢଳ ହୋଇ ଗଡ଼ିପଡ଼ୁଥାଏ, ଅଟକାଇ ପାରୁ ନଥାନ୍ତି । ଅନାଟୋଲି ଧୀରେ ଧୀରେ ଥରୁଥାଏ, ତାକୁ ଥଣ୍ଡା ଲାଗିଥାଏ ଯେମିତି, ସେତେବେଳକୁ ତା’ର ବୟସ ଷୋହଳ ପୂରି ସତର ପଶିବା ଉପରେ । କିନ୍ତୁ ସେହି ଇରିନା ମୋର..... ! ସତର ବର୍ଷକାଳ ତାହା ସାଙ୍ଗରେ ଦୁଃଖ ସୁଖରେ ଘରଦ୍ୱାର କରିଥିଲି । ତା’ର ସେ ଭଳି ରୂପ, ସେଭଳି ଅବସ୍ଥା କେବେ ଦେଖି ନଥିଲି । ରାତିସାରା ତା’ର ଲୁହରେ ମୋର କାମିଜି ଭିଜି ଯାଇଥାଏ, ମୋର ଛାତି ଭାସି ଯାଉଥାଏ । ସକାଳେ ବି ସେ ଲୁହର ବିରାମ ହେଲା ନାହିଁ । ଅବସ୍ଥା ସେଇଆ ଚାଲିଥିଲା । ଷ୍ଟେସନରେ ପହଞ୍ଚିଲୁ । ହୃଦୟଟା ଭାଜି ଭାଜି ପଡ଼ୁଥାଏ–ତା’ର ସେଇ ରୂପକୁ, ସେହି ଲୁହଗୋଳା ମୁହଁକୁ ଚାହିଁ ପାରିଲି ନାହିଁ । ଲୁହରେ ଓଠ ଦିଅଟି ଫୁଲି ଯାଇଥାଏ । କେରିଏ କେରିଏ ଅଲରା କେଶ ବାହାରି ପଡ଼ିଥାଏ ତା’ର ଜୁଡ଼ାରେ ଗୁଡ଼ିଆ ରୁମାଲ ତଳରୁ । ଆଉ ତା’ର ଆଖି ଯୋଡ଼ିକରେ ନିର୍ବୋଧତାର ନିର୍ଜୀବତାର ଚାହାଣି, ଅନାଇ ରହିଥାଏ ଶୂନ୍ୟକୁ, ପାଗଳୀର ଆଖି ପରି ଠିକ୍ ! ସାମରିକ ଅଫିସରମାନେ ଆଦେଶ ଦେଲେ–ଟ୍ରେନରେ ଚଢ଼, ଆଉ ସେ କଚାଡ଼ି ହୋଇ ପଡ଼ିଲା ମୋର ଏଇ ଛାତିରେ, ଗଳାକୁ ତା’ର ବାହୁରେ ଛନ୍ଦିଦେଇ ଥରିଲା, ଥରିଲା ଖାଲି, କୁରାଢ଼ି ଚୋଟରେ ହଣା ହେଉଥିବା ଗଛଟି ପରି ଯେମିତି..... ପିଲାଏ ତାକୁ ବୁଝାଇ ବୁଝାଇ ସାନ୍ତ୍ଵନା ଦେବାକୁ ବାହାରିଲେ, କେତେ ଚେଷ୍ଟା କଲି ମୁଁ ଆଶ୍ୱାସନା ଦେବା ଲାଗି, କିନ୍ତୁ କିଛି କାମର ହେଲାନି, ସବୁ ନିଷ୍ଫଳ, ସବୁ ଆକାରଣ । ଅଥଚ ତେଣେ, କେତେ ଯୁଦ୍ଧଗାମୀ ସୈନିକଙ୍କ ମାଆ ଆଉ ସ୍ତ୍ରୀ ଗପ କରୁନଥାନ୍ତି ସେମାନଙ୍କର ପୁଅପତିଙ୍କ ସାଙ୍ଗରେ ! କିନ୍ତୁ ମୋର ସ୍ତ୍ରୀଟି, ମୋର ଇରିନା.....ମୋର ଦେହରେ ଥରି ଥରି ଲାଖି ରହିଥାଏ, ଡାଳୁଟିରେ ପତ୍ରଟିଏ ଭଳି । ଥରୁଥାଏ, ଥରୁଥାଏ ଖାଲି–ପଦେହେଲେ କଥା ବାହାରୁ ନ ଥାଏ ପାଟିରୁ ତା’ର ।

 

କହିଲି, “ଇରିନା, ଦମ୍ଭଧର ଇରିନା, ନିଜକୁ ଟିକିଏ ଆୟତ୍ତ କର, ଟିକିଏ ଦମ୍ଭଧର, ଧୈର୍ଯ୍ୟଧର ଇରିନା ? ଯିବା ଆଗରୁ ପଦେହେଲେ କ’ଣ କହ ଭଲା ମତେ ?” ଆଉ ସେ କେବଳ ଏତିକି କହିଲା, ପ୍ରତିଶବ୍ଦ ମଝିରେ କଇଁ କଇଁ କୋହର ଉଚ୍ଛ୍ୱାସରେ ଭିତରେ କେବଳ କହିଲା, “ଆଣ୍ଡ୍ରି, ପ୍ରାଣର ଆଣ୍ଡ୍ରି ମୋର, ଆମେ ଆଉ....ଆମେ ଆଉ....ଭେଟିବା ନାହିଁ ଏଠି, ଆମର ଆଉ ଭେଟ ହେବ ନାହିଁ ଏଠି, ଏ ଜନ୍ମରେ....ଏଠି ।”

 

ଯାହା ପାଇଁ ଦୁଃଖରେ, ଆବେଗରେ ହୃଦୟ ଫାଟି ଯାଉଥାଏ, ତାହାର ମୁହଁରେ ପୁଣି ଏପରି କଥା ! ତା’ର କ’ଣ ବୁଝିବା ଉଚିତ ନଥିଲା କହିଲ ବନ୍ଧୁ, ତା’ଠାରୁ ଅନ୍ତର ହୋଇଯିବାଟା କି ଦାରୁଣ ଦୁଃଖ ଦେଉ ନଥିଲା ମତେ ? ମୁଁ ତ ଆଉ ଭୋଜିଭାତ ଖାଇ ଯାଉ ନଥିଲି ! ଆଉ ସମ୍ଭାଳି ପାରିଲି ନାହିଁ । କ୍ରୋଧରେ ତା’ର ହାତ ଦୁଇଟାକୁ ଭିଡ଼ି ଛଡ଼ାଇ ଛିଞ୍ଚାଡ଼ି ଅଲଗା କରି ଠେଲି ଦେଲି ତାକୁ । ମତେ ଲାଗିଲା, ମୁଁ ଆସ୍ତେ କରି ଠେଲି ଦେଲି । କିନ୍ତୁ ବଳଦ ଗୋଟାକର ବଳ ଥିଲା ମୋ ଦେହରେ ! ସେ ଟଳ ଟଳ ହୋଇ ତିନି ପାଦ ଘୁଞ୍ଚିଗଲା । ତା’ପରେ ଛୋଟ ଛୋଟ ପାଦଟିମାନ ପକାଇ ଆଗେଇ ଆସିଲା ମୋ ଆଡ଼କୁ । ପାଟି କରି ଉଠିଲି, “ଏମିତି କ’ଣ ବିଦାୟ ଦିଅନ୍ତି ! ମୋର ବେଳ ହେବା ଆଗରୁ ମତେ କବର ଦେବାକୁ ଚାହଁ ? “ତଥାପି–ତଥାପି, ତାକୁ ଛାତିକୁ ଟାଣିନେଇ ଜାକି ଧରିଲି, ଭିଡ଼ି ଧରିଲି, କାରଣ ଦେଖିପାରିଲି, ନିଜର ଆୟତ୍ତରେ ନଥିଲା ସେ–ସରି ଯାଉଥିଲା–ସରି ଯାଉଥିଲା ସେ–ଖରାପରୁ ଖରାପ ଅବସ୍ଥା ହୋଇ ଆସୁଥିଲା ତା’ର ।”

 

ହଠାତ୍ ତୁନି ହୋଇଗଲା ଲୋକଟି–ଘୋଟିଗଲା ନୀରବତା କେମିତି ! ସ୍ଵରର ଗତି ରୁଦ୍ଧ ହୋଇଗଲା । ନୀରବତା ମଧ୍ୟରେ ଶୁଣିଲି ନିରୁଦ୍ଧ ଗଳାର ଗଁଅ ଗଁଅ ଶବ୍ଦ ।

 

ପ୍ରାଣର ଆବେଗ ତା’ର, ପ୍ରାଣରେ ମୋର ଆସି କଥା କହି ଉଠିଲା, ଜଣେଇ ଦେଇଗଲା, ସଞ୍ଚରି ଗଲା କଣେଇ କରି ଅନେଇଲି ତାକୁ, ପାଉଁଶିଆ ଆଖିର ଗହ୍ୱରରେ ତା’ର ଟୋପାଏ ହେଲେ ଲୁହ ନ ଥାଏ । ଜୀବନର ସ୍ଫୁଲିଙ୍ଗ ନିଭି ଯାଇଥାଏ କେଉଁ ଦିନରୁ । ବିଷାଦର ଭାରାରେ ମସ୍ତକ ନଇଁପଡ଼ିଲା । ବିରାଟ ହାତ ଦିଓଟି ଦେହର ଦୁଇ କରରେ ଓହଳିଥାଏ, ଥର ଥର ଥରୁଥାଏ, ଚିବୁକଟି ଦୋହଲି ଯାଉଥାଏ, ଓଠରେ ଥରିଲା ଖାଲି ଦୃଢ଼ବଦ୍ଧ ଓଠ ଦିଓଟି ।

 

ଧୀରେ ଧୀରେ କହିଲି, “ଆଉ ସେ ସବୁ ଭାବନା, ଆଉ ହନ୍ତସନ୍ତ ହୋଇ ଲାଭ କ’ଣ-?” କିନ୍ତୁ ମୋର କଥା ପଦକ ତାଙ୍କ କାନରେ ବାଜିଲା ନାହିଁ ଯେପରି । ପ୍ରବଳ ଉଦ୍ୟମରେ ହୃଦୟର ଆବେଗକୁ ଦବେଇ କରି ଭଙ୍ଗା ଭଙ୍ଗା ଶୁଖିଲା ପରିବର୍ତ୍ତିତ ସ୍ଵରରେ ପୁଣି ଆରମ୍ଭ କଲେ–

 

“ଶେଷ ଯାଏ, ମୃତ୍ୟୁର ଦିନ ଯାଏ, ଜୀବନର ଶେଷ ମୁହୂର୍ତ୍ତ ଯାଏ, ନିଜକୁ ନିଜେ କେବେ କ୍ଷମା କରି ପାରିବି ନାହିଁ, ତାକୁ ସେମିତି ଠେଲି ଦେଇଥିଲି ବୋଲି !”

 

ପୁଣି ନୀରବ ହୋଇଗଲା, ତୁନି ହୋଇଗଲା, ଅନେକ ବେଳଯାଏ ସିଗାରେଟ ବଳିବସିଲେ । ଖବରକାଗଜ ଟୁକୁରାଟି ଚିରିଚାରିଗଲା ଆଙ୍ଗୁଠିର ଆଘାତରେ । ଧୂଆଁପତ୍ରଗୁଡ଼ାକ ବିଞ୍ଚିହୋଇ ପଡ଼ିଲା ଆଣ୍ଠୁ ଉପରେ ।

 

ଶେଷରେ ଅତି ଅବାଗିଆ ଭାବରେ କୌଣସିମତେ ସିଗାରେଟ ଖଣ୍ଡି ବଳିଲେ । ଭୋକିଲା ପରି ଦି ଚାରି ଦମ ଟାଣିଦେଇ ଗଳା ଝାଡ଼ି ଝାଡ଼ି କହିଲେ–

 

“ନିଜକୁ ଭିଡ଼ି ଓଟାରି ଇରିନାଠୁଁ ଛଡ଼େଇ ନେଲି ସତ, ମାତ୍ର ତା’ର ମୁହଁଟିକୁ ଦୁଇ ହାତ ପାପୁଲିରେ ଚାପି ଧରି ଚୁମ୍ବନ ନକରି ରହିପାରିଲି କେଉଁଠି ? ବରଫ ପାଲଟି ଯାଇଥାଏ ଓଠଟି ତା’ର ସେତେବେଳେ । ‘ଚାଲିଲି’ ବୋଲି କହି ପିଲାଙ୍କଠୁଁ ବିଦାୟ ନେଇ ଏକା ନିଃଶ୍ଵାସକେ ଦଉଡ଼ିଲି ଟ୍ରେନକୁ । ଟ୍ରେନଟା ଚାଲିବାକୁ ଆରମ୍ଭ କରିଥାଏ । ଚଳନ୍ତା ଡବା ଭିତରକୁ କୁଦା ମାରି ଡେଇଁ ପଡ଼ିଲି । ଟ୍ରେନ୍‍ଟା କାହିଁକି ଯେ ମନ୍ଥର ଗତିରେ ଯାଉଥିଲା ଜାଣେନା । ପୁଣି ଥରେ ମୋତେ ମୋ ପିଲାଛୁଆଙ୍କୁ ଦେଖେଇ ଦେଖେଇ ତାଙ୍କର ପାଖେ ପାଖେ ବୁଲେଇ ନେଇଗଲା । ମୋର ସେହି ଛୋଟ ଛୋଟ ଅରକ୍ଷ ବାପଛେଉଣ୍ଡ ଛୁଆଗୁଡ଼ିକ, କେମିତି ମେଞ୍ଚାଟିଏ ହୋଇ ଛିଡ଼ା ହୋଇଥାନ୍ତି, କୁନି କୁନି ହାତଟିମାନ ହଲାଉଥାନ୍ତି । ପ୍ରାଣପଣେ ଚେଷ୍ଟା କରୁଥାନ୍ତି ହସିବା ପାଇଁ, ପାରୁନଥାନ୍ତି କିନ୍ତୁ, ଆଉ ଇରିନା–ଛାତି ଉପରେ ହାତକୁ ହାତ ଛନ୍ଦି ଜାକି ଦେଇଥାଏ । ଦୁଧଖଡ଼ିପରି ଶେତା ପଡ଼ିଯାଇଥାଏ ତା’ର ମୁହଁଟି । କ’ଣ ଗୁଡ଼ାଏ ଫିସ୍ ଫିସ୍ ହୋଇ କହୁଥାଏ । ଆଉ କେମିତି ଆକାଶିଆ ଫାଙ୍କା ଫାଙ୍କା ଦୃଷ୍ଟିରେ ଅନାଇଥାଏ ସିଧା ମୋ ଆଡ଼କୁ । ଗୋଟାକ ଯାକ ଦେହଟି ତା’ର ନଇଁପଡ଼ିଥାଏ । ସାମନାକୁ–ସତେ ଯେପରି ଗୋଟାଏ ପ୍ରବଳ ତୋଫାନର ମୁହଁରେ ! ଆଗେଇବାକୁ ଆକୁଳ ଆୟାସ କରୁଥାଏ ସେ.....ଜୀବନର ବା ଆଉ କେତୋଟି ଦିନ ବାକି, ସେହି କେତୋଟି ଦିନ ଲାଗି ମୋର ସ୍ମୃତିପଟରେ ଇରିନାର ସେହି ଛବିଟି ଭାସୁଥିବ, ସେଇ ହାତରେ ହାତ ଭିଡ଼ି ଛିଡ଼ା ହୋଇଛି ସେ, ଶେତାଳିଆ ଓଠଟି, ଆଖିଯୋଡ଼ିକ ମେଲିଯାଇଛି ଆକାଶ ପରି, ପୂରି ରହିଛି ଲୁହରେ । ପାଉଁଶିଆ ମୁହଁରେ ଚାହିଁଛି, ଚାହିଁଛି ଖାଲି ଲୁହରେ !”

 

ଠିକ୍‍ ଏମିତି, ଏମିତି ମୁଁ ତାକୁ ଏବେ ବି ସ୍ୱପ୍ନରେ ଦେଖେଁ । କାହିଁକି, କାହିଁକି ମୁଁ ତାକୁ ସେମିତି ଠେଲି ଦେଇଥିଲି, କାହଁକି ? ଏବେ ମଧ୍ୟ ମନେପଡ଼ିଗଲେ, ଲାଗେ ଯେମିତି ଗୋଟାଏ ଦନ୍ଥଡ଼ା ଛୁରି କୋରି କୋରି ଖାଇଯାଉଛି ମୋ ଛାତିକୁ, ମୋଡ଼ି ମୋଡ଼ି ହେଉଛି ସେଥିରେ ।

 

ୟୁକ୍ରେନର ବେଲୟା ସେରକଭଠି, ଲାଲସେନାର ସୈନ୍ୟ ଫୌଜରେ ସାମିଲ ହେଲୁ । ମଝିଲା ଧରଣର ଟ୍ରକ, ତିନି ଟନର ଲଦି ଚଳାଇବା ଭାରି ପଡ଼ିଲା ମୋ ଉପରେ । ସେଇଥିପାଇଁ ଡକା ଯାଇଥିଲା ମତେ । ସେଇ ଟ୍ରକକୁ ଘେନି ଯୁଦ୍ଧକ୍ଷେତ୍ରକୁ ଚାଲିଲି । ଯୁଦ୍ଧ ବିଷୟରେ ତମକୁ କହି ଲାଭ କ’ଣ ? ତମକୁ ବା ଅଜଣା କ’ଣ ? ନିଜେ ଯୁଦ୍ଧରେ ପଶିଚ, ଜାଣିଚ ଯୁଦ୍ଧର ପ୍ରଥମ ଅବସ୍ଥା ଥିଲା କ’ଣ, ତମର ବହେ ବହେ ଚିଠି ଯାଉଚି । ଖୁବ୍ ହେଲେ ତମେ ଉତ୍ତର ଦେଉଚ ଦି ତିନି ଥରରେ ଥରେ । ବେଳେବେଳେ ସେଇ ଉତ୍ତରରେ ଜଣାଉଚ–ସବୁ ସୁରୁଖୁରୁରେ ଚାଲିଛି, ସାମାନ୍ୟ ଟିକେ ଲଢ଼େଇ କରୁଚ ହୁଏତ ସୂଚାଉଚ–ଏବେ ବା ପଛଘୁଞ୍ଚା ଦେଉଥିବୁ କେଉଁଠି, କିନ୍ତୁ ଆମର ଶକ୍ତି ଠୁଳ କରିବାକୁ ବେଶି ସମୟ ଲାଗିବ ନାହିଁ ଆମକୁ, ‘ଫିଜ୍’ (ଜର୍ମାନୀ-ନାଜି)ଗୁଡ଼ାଙ୍କୁ ନିସ୍ତୁକ ଛେଚିବୁ, ଜୀବନରେ ଭୁଲି ପାରିବେ ନାହିଁ ସେମାନେ । ଏତିକି ଛଡ଼ା କହିଲ ଭାଇ, ଅଧିକା କ’ଣ ବା ଲେଖି ପାରିଥାନ୍ତି ସେତେବେଳେ ? କି ଭୀଷଣ ମୁହୂର୍ତ୍ତ କି ସଂକଟର ବେଳ ସେ ! କଲମ ଧରି ଲେଖିବାକୁ ଇଚ୍ଛା ହେଉଥାଏ କେଉଁଠୁ ? ଦୃଢ଼ଭାବରେ କହିରଖୁଛି ଭାଇ, ଆପଣାର ଦୁଃଖ ବୟାନ କରି କରୁଣ ଭାବରେ ସକେଇ ହେବା ମୋ ଧାତୁର ବାହାର । ଯେଉଁମାନେ ବାହୁନି ହୋଇ ନିଜ ନିଜର ସ୍ତ୍ରୀ ଆଉ ପିଲାଛୁଆଙ୍କୁ ଚିଠି ଲେଖୁଥାଆନ୍ତି, ସେମାନଙ୍କ ଛାଇ ଦେଖିଲେ ମୋର ନାହି ଡେଉଁଥାଏ ଘୃଣାରେ । ସତେ ହୋ–ଲୁହଲାଳ ସିଙ୍ଘାଣି ଏକଖଣ୍ଡ କରି କାଗଜରେ ସେଇ ନାକକାନ୍ଦୁରାଗୁଡ଼ାକ ଅକାରଣରେ ଗାରଉଥାନ୍ତି । “ଓଃ, କି କଷ୍ଟର ଜୀବନ ଏଠି ! ଯେକୌଣସି ମୁହୂର୍ତ୍ତରେ ହାଣ ଖାଇଯାଇପାରେ ମୁଁ ।’’ ସେଇ, ସେଇ କୃତ୍ତିର ବଚ୍ଚାଗୁଡ଼ାକରୁ କିଏ ଗୁଡ଼ାଏ ଗୁଡ଼ାଏ ଅଲଣା ଅଭିଯୋଗ ବାଢ଼ି ସହାନୁଭୂତି ଲୋଡ଼ି ବକର ବକର ହେଉଥାନ୍ତି ସୁଁ ସୁଁ ହୋଇ । ମୂର୍ଖ ବୁଝୁନଥାନ୍ତି–ନିଃସହାୟ ନାରୀଗୁଡ଼ିକ, ଅରକ୍ଷ ଛୁଆଗୁଡ଼ିକ କି ଉଦ୍ବେଗ, କି ଆଶଙ୍କା, କି ଅଶାନ୍ତରେ କାଳ କାଟୁଥାନ୍ତି ରଣକ୍ଷେତ୍ରର ପଛରେ ରହି ! ପ୍ରକୃତରେ ହେ ! ସେମାନଙ୍କ କାନ୍ଧରେ ଲଦା ହୋଇଥାଏ ସମଗ୍ର ଦେଶଟା । କିଭଳି ସହନଶୀଳ ସମର୍ଥ କାନ୍ଧ ସତେ ସେମାନଙ୍କର ! ଯୁଦ୍ଧର ପ୍ରଚଣ୍ଡ ଭାରାରେ ଯାହା ଦବି ଯାଇନାହିଁ, ଚୂର୍ଣ୍ଣିଭୂତ ହୋଇନି ! କି ଅଟଳ ଦମ୍ଭରେ ସେମାନେ ସହ୍ୟ କଲେ, ଭାଜିଲେନି ଘୁଞ୍ଚିଲେନି, ପରାଜୟ ମାନିଲେନି ଟିକେ, ଲାଖି ରହିଲେ କି ଦୃଢ଼ଭାବରେ ସତେ-! ବହନ କଲେ ଯୁଦ୍ଧର ଦାଉଘାତରେ ସମଗ୍ର ଦେଶକୁ ! ଅଥଚ ସେଇ ନାକ କାନ୍ଦୁରାଗୁଡ଼ାକଙ୍କ ଭିତରୁ ଗୋଟିଏ କିଏ ସୈନିକ ନିଜର ‘ଜୀବନ’ ଲାଗି କି ହୀନ ଜଘନ୍ୟ କରୁଣ ଚିଠି ଦେଇଥିବ, ସେହି ଚିଠି ପାଇ ଓଲଟି ପଡ଼ି ନଥିବ, କଚାଡ଼ି ହୋଇ ପଡ଼ି ନଥିବ, କାହିଁ ଶ୍ରମିକ ନାରୀଟି କେଉଁଠି-? ସେଭଳି ଚିଠିଟିଏ ପାଇ କୌଣସି ନିଃସହାୟ ନାରୀ ନିଜ ସମ୍ପର୍କରେ (……) କରିବ ସେ ସ୍ଥିର କରି ପାରିଥିବ ବା କିପରି ସମ୍ମୁଖୀନ ହେବ କାମର ତାହାର ମାର୍ଗ ଠିକ୍ କରିପାରିବ କି ? ନା, ନା-! ସମସ୍ତ ସହ୍ୟ କରିବ, ସମସ୍ତ ବହନ କରିବ, ଆବଶ୍ୟକ ହେଲେ ପ୍ରତ୍ୟେକ ଘଟଣାର ସମ୍ମୁଖୀନ ହେବ । ଏଇଥିପାଇଁ ତ ମନୁଷ୍ୟ, ଏଇଥିରେ ହିଁ ମନୁଷ୍ୟର ମନୁଷ୍ୟତା, ସୈନ୍ୟର ସୈନିକତା-! କିନ୍ତୁ ତୁମ ଭିତରେ ଯଦି ପୁରୁଷତ୍ୱ ଅପେକ୍ଷା ନାରୀତ୍ଵର ପରିମାଣ ଅଧିକ, ଯାଅ, ତେବେ ଯାଅ, ଝାଲରଲଗା ଶାଢ଼ି ବେଡ଼େଇ ହୋଇ, ଝଲମଲ ଧାଡ଼ିର ବହରରେ ଚମ ଧୁଡ଼ୁଧୁଡ଼ୁ ନିତମ୍ବ ତମର ଫୁଲାଅ, ନଚାଅ । ନାରୀ ବୋଲି ଅନ୍ତତଃ ଦେଖାଯିବ ପଛରୁ । ନଚେତ ଯାଅ, ଗହମ କି ଗାଜର କ୍ଷେତରୁ ଘାସ ଉପାଡ଼ିବ ବା ଯାଅ ସେ ଗାଈ ଗୋଠରୁ ଦୁଧ ଦୁହିଁବ । ତୁମଭଳି ଲୋକ ଲୋଡ଼ା ନାହିଁ, ଲୋଡ଼ା ନାହିଁ ସମ୍ମୁଖ ରଣକ୍ଷେତ୍ରରେ । ତୁମ ବିନା ପଚା ସଢ଼ା ଦୁର୍ଗନ୍ଧଟା ଯଥେଷ୍ଟ ସେଠି-!

 

କିନ୍ତୁ ପାରିଲି ନାହିଁ ପୂରା ଗୋଟାଏ ବର୍ଷ ଯୁଦ୍ଧ କରିପାରିଲି ନାହିଁ ମୁଁ । ଦୁଇ ଦୁଇ ଥର ଆହତ ହେଲି ମୁଁ, ଅଳ୍ପାଅଳ୍ପି, ସାଂଘାତିକ ଭାବରେ ନୁହେଁ । ଥରେ ବାହୁରେ, ଥରେ ଗୋଡ଼ରେ । ପ୍ରଥମେ ଗୋଟିଏ ବୋମାମାରୀ ବିମାନର ଗୁଳିର ଚୋଟରେ, ଦ୍ଵିତୀୟରେ ସ୍ତାପନେଲ ବୋମାଭିତରର କାଚ ଛୁରାର ଆଘାତରେ । ମୋ ଟ୍ରକର ଛାତ ଆଉ କରକୁ ଜର୍ମାନମାନେ ବନ୍ଧୁକ ଗୁଳିରେ କଣା କରିଦେଲେ କିନ୍ତୁ ଭାଗ୍ୟର ଜୋର ଭାଇ, ପ୍ରଥମେ ରକ୍ଷା ପାଇଗଲି, ରକ୍ଷା ପାଇଗଲି କେତେ କେତେ ଗୁଳିବର୍ଷଣ ଭିତରେ ! କିନ୍ତୁ ପରେ ଦୁର୍ଭାଗ୍ୟ ଘୋଟିଆସିଲା, ଭାଇ ଦୁର୍ଭାଗ୍ୟ ! ୧୯୪୨ ମସିହା ମଇ ମାସରେ ଲାଜୋଭେନ୍‍ସ୍କଠି ବନ୍ଦୀ ହେଲି ମୁଁ ଜର୍ମାନଙ୍କ ହାତରେ । ଅତି ଅଡ଼ୁଆ ଅତି ଅଖାଡ଼ୁଆ ପରିସ୍ଥିତି ସେଦିନ । ପ୍ରବଳ ଆକ୍ରମଣ ଚଳାଇଥାନ୍ତି ସେଦିନ ଜର୍ମାନମାନେ । ଆମର ଗୋଟାଏ ୧୨୭ ମିଲିମିଟର ହାଉଇତ୍‍ସର କମାଣରୁ ଫୌଜର ଗୁଳିଗୋଳା ଖତମ ହୋଇଗଲା ପ୍ରାୟ । ମୋର ଲରିରେ ଯୁଦ୍ଧ ସରଞ୍ଜାମ ଗୁଳିଗୋଳା ଆମେ ଭର୍ତ୍ତି କରିଦେଲୁ । ଝାଳରେ ମୋ କାମିଜ୍‍ଟା ମୋ ପିଠିରେ ଲାଖିଯିବା ଯାଏ ପ୍ରାଣମୂର୍ଚ୍ଛା ଖଟୁଥାଏ ମୁଁ । ଜର୍ମାନମାନେ ଆମକୁ ଘେରି ଆସୁଥାନ୍ତି । ଆମକୁ ଛାଉଣୀ ଉଠାଇ ଚାଲିଯିବାକୁ ହେବ । ବାଁ ପଟରେ ସେମାନଙ୍କ ଟ୍ୟାଙ୍କର ଘର୍ଘର ଶବ୍ଦ । ଡାହାଣ ପଟ ଆଉ ସାମନାରେ ଚାଲିଥାଏ, ସେମାନଙ୍କ କମାଣର ଅବିରାମ ଗୁଳି ବୃଷ୍ଟି । ଅବସ୍ଥାଟା ଭଲ ଦିଶୁ ନଥାଏ, ଲାଗୁ ନଥାଏ ସେମିତି କିଛି ।

 

“ତମେ ଯୁଦ୍ଧ ସରଞ୍ଜାମ ପହଞ୍ଚାଇ ପାରିବ, ସୋକୋଲୋଭ ଶତୃର ଆକ୍ରମଣ ଭିତରେ-?” ଆମ ଫୌଜର ଅଧିନାୟକ ପଚାରିଲେ । ପଚାରିବାର ଆବଶ୍ୟକତା କ’ଣ ବା ଥିଲା-? ମୋର ସାଥି, ସହଯୋଦ୍ଧାମାନେ ମୃତ୍ୟୁମୁଖରେ ଟଳି ପଡ଼ୁଥିବା ବେଳେ ମୁଁ କ’ଣ ହାତ ବାନ୍ଧି ବସିଥାନ୍ତି-! ବୁଢ଼ାଆଙ୍ଗୁଳିକୁ ବୁଢ଼ାଆଙ୍ଗୁଳିରେ ଛନ୍ଦିଥାନ୍ତି ବସି ନା କ’ଣ ? ବତାଇଦେଲି ତାଙ୍କୁ, “କ’ଣ ଗୁଡ଼ାଏ କହୁଛନ୍ତି ଆପଣ, ଯେମିତି ହେଲେ ମୋତେ ଆକ୍ରମଣ ଭେଦ କରି ପଶିବାକୁ ହେବ-।” ସେ ଆଦେଶ ଦେଲେ, “ଯାଅ ତେବେ ଶତ୍ରୁର ଆକ୍ରମଣ ଫଟାଇ ମାଡ଼ିଯାଅ, ଯାଅ ଟ୍ରକରେ ଚଢ଼ି ଯା-।”

 

“ଚଢ଼ିଲି ମୁଁ, ଟ୍ରକରେ ଚଢ଼ିଲି । ଜୀବନରେ ସେ ଦିନ ଭଳି କେବେ ଟ୍ରକ ଚଳାଇନି । ଜାଣିଥିଲି, ଆଳୁ ବସ୍ତା ବୋହୁ ନଥିଲି ମୁଁ, ଜାଣିଥିଲି ଟ୍ରକ ବୋଝେଇ ସରଞ୍ଜାମ ସମ୍ପର୍କରେ, ସତର୍କ ସାବଧାନ ଥିବା ଉଚିତ ମୋର । କିନ୍ତୁ ସାବଧାନ ହୋଇ ପାରିଥାନ୍ତି କେମିତି ? ସାଥୀ ସହଯୋଦ୍ଧାମାନେ ଯେତେବେଳେ ଗୁଳିଶୂନ୍ୟ ହୋଇ, ନିରସ୍ତ୍ର ହୋଇ ଖାଲି ହାତରେ ଲଢ଼ୁଥିଲେ, ଯେତେବେଳେ ସମୁଦାୟ ରାସ୍ତା ଉପରେ କମାଣର ଅନବରତ ଗୁଳି ବୃଷ୍ଟି ହେଉଥିଲା, ଗୁଳିରେ ଛାଇ ହୋଇଯାଉଥିଲା । ଛଅ କିଲୋମିଟର ପାର ହୋଇ ଲକ୍ଷ୍ୟସ୍ଥଳର ନିକଟ ହୋଇଗଲି । ରାସ୍ତାର ମୋଡ଼ ବୁଲିପଡ଼ିଲେ ଆମ କମାଣୀ ଫୌଜର ଆସ୍ଥାନଟା ଗହ୍ଵରଟା । କିନ୍ତୁ ଦେଖିଲି କ’ଣ-? ତମେ ଆଜି ମତେ ଦି’ବିଧା କଷିପାର । ସତ କହିବି କିନ୍ତୁ, ଆମର ପଦାତିକ ବାହିନୀ ରାସ୍ତାର ବାଆଁ ଡାହାଣ ଦି’ପଟରେ ପଛକୁ ପଛକୁ ଧାଉଁନଥାଏ ତ ସମୁଦ୍ର ଲହରୀ ପରି ଘୁଞ୍ଚି ଆସୁଥାଏ-। ଚତୁର୍ଦ୍ଦିଗରେ ଗୁଳି ଗୋଳାର ଗର୍ଜନ, ଆଉ ବିସ୍ଫୋରଣ ଖାଲି । କ’ଣ କରେ ମୁଁ ? ପଛକୁ ଫେରିବି, ଫେରି ପାରିବି କି ? ଫେରିବା ଉଚିତ କି ? ଫେରିବା ସମ୍ଭବ କି ?

 

ଟ୍ରକର ଆକ୍ସିଲେଟରକୁ ପାଦରେ ଜୋରରେ ଦାବିଦେଲି । ଆଉ ମାତ୍ର ଗୋଟିଏ କିଲୋମିଟର ବାଟ । କମାଣୀ ଫୌଜ ପାଖରେ ପହଞ୍ଚି ଯିବି । ରାସ୍ତାର ବାଙ୍କ ବୁଲି ପଡ଼ିଯାଏ, ଶଗଡ଼ସରିକି ଗଡ଼ିଥାଏ । କିନ୍ତୁ ଭାଇ, ପହଞ୍ଚି ପାରିଲି ନାହିଁ ସାଥୀ ସହଯୋଦ୍ଧାଙ୍କ ପାଖରେ । ଗୋଟାଏ ଦୁରନିକ୍ଷେପୀ କମାଣର ଗୋଳା ଟ୍ରକ ନିକଟରେ ପଡ଼ିଥିବ । ନିଶ୍ଚୟ । ବିସ୍ଫୋରଣର ଶବ୍ଦଟା, ବ୍ୟାଙ୍ଗ୍, ବ୍ୟଙ୍ଗ୍ କି ଆଉ କୌଣସି ଶବ୍ଦ ଶୁଣିନି ମୁଁ, ଶୁଣିନି । ମୁଣ୍ଡ ଭିତରେ କ’ଣ ଗୋଟାଏ ଫାଟିଗଲା ଯେମିତି । ତା’ପରେ ଆଉ ଅଧିକ କିଛି ମନେ ନାହିଁ । ମନେ ନାହିଁ ବଞ୍ଚି ରହିଲି କେମିତି, କେତେବେଳ ଯାଏ ସେ ନାଳୀ ପାଖରେ ପଡ଼ିଥିଲି, କିଛି ଧାରଣା ନାହିଁ, କେତେବେଳେ ଆଖି ଖୋଲିଲି କେଜାଣି, ଉଠି ପାରିଲି ନାହିଁ । ମୁଣ୍ଡ ବାତ ମାରିଲା ପରି ଚିହୁଙ୍କୁଥାଏ, ଦେହ କମ୍ପୁଥାଏ ଜରରେ କମ୍ପୁ ଥାଏ ଯେମିତି । ଚତୁର୍ଦ୍ଦିଗରେ ଅନ୍ଧାର, ଅନ୍ଧାର ଖାଲି । ବାଆଁ କାନ୍ଧରେ କ’ଣ ଗୋଟାଏ ଆଞ୍ଚୁଡ଼ି ହୋଇ କୋରି ହୋଇ ଯାଉଥାଏ । ଦେହଯାକ ଯନ୍ତ୍ରଣା, କିଏ ଯେମିତି ହାତ ପାଆନ୍ତିରେ ଯାହା ପାଇଛି, ସେଥିରେ ଦୁଇଦିନକାଳ କ୍ରମାନ୍ୱୟରେ ପିଟି ପିଟି ସାବାଡ଼ କରି ଦେଇଥାଏ ମୋତେ ! ଯନ୍ତ୍ରଣାରେ ଭିଡ଼ି ମୋଡ଼ି ହେଉଥାଏ । ପେଟେଇ ପେଟେଇ କଷ୍ଟରେ, ବହୁ କଷ୍ଟରେ ଆଗେଇଲି । ଶେଷରେ ଉଠି ଛିଡ଼ା ହେଲି, ତଥାପି ବାରିପାରୁ ନଥାଏ–କୋଉଁଠି ଥାଏ, କ’ଣ ଘଟିଥାଏ, ସ୍କରଣଶକ୍ତି ଲୋପ ପାଇଥାଏ ପୂରାପୂରି । ତଳେ ଶୋଇ ପଡ଼ିବାକୁ ଭୟ ହେଉଥାଏ, ଭୟ ହେଉଥାଏ କାଳେ ଆଉ ଉଠି ପାରିବି ନାହିଁ ! ତେଣୁ ପ୍ରବଳ ଘୂର୍ଣ୍ଣିରେ ପୋପଲାର ଗଛପରି ଛିଡ଼ା ହୋଇ ଏକରୁ ସେକର, ସେକରୁ ଏକର ନଇଁ ନଇଁ ଦୋହଲିଲି ଖାଲି ।

 

ଯେତେବେଳେ ଟିକିଏ ସାଷ୍ଟାମ ହେଲି, ଥୟ ଧରିଲି, ଚେତା ପଶିଲା, ଚାହିଁଲି ଚାରିଆଡ଼କୁ, ଅନୁଭବ କଲି, କିଏ ଯେମିତି ଶଣ୍ଡୁଆଶି ବା ବିରାଟ କତୁରୀରେ ମୋର ହୃଦଯନ୍ତ୍ରଟାକୁ ଚିପି ଧରିଛି । ଯେଉଁ ଗୁଳି-ଗୋଳାଗୁଡ଼ିକ ଟ୍ରକରେ ନେଇଯାଉଥିଲି, ସେଇ ଗୁଳିଗୋଳା ସବୁ ଛିନ୍‍ଛତ୍ର ହୋଇ ପଡ଼ିଥାଏ । ଅଦୂରରେ ଖଣ୍ଡ ଖଣ୍ଡ ହୋଇ ଗଡ଼ୁଥାଏ ଟ୍ରକ୍‍ଟା, ତା’ର ଚକଗୁଡ଼ାକ ଝୁଲୁଥାଏ ପବନରେ ଆକାଶରେ । ଆଉ ଯୁଦ୍ଧ ? ଯୁଦ୍ଧ ଚାଲିଥାଏ ମୋ ପଛରେ, ହଁ, ମୋ ପଛରେ କେଉଁଠି..... ।

 

ଯେତେବେଳେ ବୁଝିପାରିଲି ଅବସ୍ଥାଟା, ଆଜି ସଙ୍କୋଚ ଆସୁନାହିଁ ସ୍ଵୀକାର କରିବାକୁ ଗୋଡ଼ ଦୁଇଟା ଆଣ୍ଠୁଠାରୁ ହଠାତ୍ ନହକି, ବଙ୍କେଇଗଲା ବା ଠିଆ ଠିଆ କଚାଡ଼ି ହୋଇ ପଡ଼ିଲି । ସତେ ଲମ୍ବା କୁରାଢ଼ି ଚୋଟରେ ଛେଦି ହୋଇ ଓଲଟି ପଡ଼ିଲି ଯେମିତି ! କାରଣ ସେତିକିବେଳେ ପ୍ରକୃତରେ ବୁଝିଲି, ଉପଲବ୍ଧ କଲି, ଆମ ସୈନ୍ୟଧାଡ଼ିରୁ ବିଚ୍ଛିନ୍ନ ହୋଇଯାଇଛି; ଶତ୍ରୁ ସୈନ୍ୟଧାଡ଼ିର ପଛରେ ରହିଲିଣି । ରୋକ୍-ଠୋକ୍ କହିଲେ, ବନ୍ଦୀ ମୁଁ । ସେତେବେଳକୁ ଫାସିଷ୍ଟ ଦଳ ହାତରେ ବନ୍ଦୀ । ଯୁଦ୍ଧରେ ଠିକ୍ ଏମିତି ଘଟେ ଭାଇ ତୁମପାଇଁ.....

 

“ନା, ବୁଝିବା ସହଜ ନୁହେଁ, ବୁଝିବା ସହଜ ନୁହେଁ ଭାଇ ! ତୁମର ଅଣଆୟତ୍ତ ଅବସ୍ଥାରେ, ତୁମର ଇଚ୍ଛା ବିରୁଦ୍ଧରେ, ତୁମେ ଯେତେବେଳେ ବନ୍ଦୀ ହୁଅ, କି ଅବସ୍ଥା ଭୋଗ କର ତୁମେ ! ଯିଏ କେବେ ସେଭଳି ଅବସ୍ଥାରେ ପଡ଼ିନାହିଁ, ନିଜର ହାଡ଼ମାଂସରେ ବନ୍ଦୀ ହେବାର ଅର୍ଥ କ’ଣ, ବନ୍ଧନର ଅର୍ଥ କ’ଣ ଭୋଗିନାହିଁ, ତାକୁ ତାହା ସବୁ ବୁଝାଇବାକୁ ସମୟ ଲାଗିବ ବହୁତ ।

 

“ତେଣୁ ମୁଁ ଶୋଇ ରହିଲି । କେତୋଟି ମୁହୂର୍ତ୍ତ ପରେ କିନ୍ତୁ ଶୁଣିଲି ଟ୍ୟାଙ୍କର ନିର୍ଘୋଷ । ଯେଉଁ ଦିଗରୁ ମୁଁ ଗୋଳାବାରୁଦ ନେଇ ଆସୁଥିଲି, ଠିକ୍ ସେହି ଦିଗରୁ ଚାରିଟା ମଝିଲାକିସମର ଜର୍ମାନ ଟ୍ୟାଙ୍କ ମାଡ଼ି ଆସି ମୋର ପାଖେ ପାଖେ ଛୁଟିଗଲା । ମୋତେ କେମିତି ଲାଗିଥିବ, ଅନୁମାନ କରି ପାରୁଛ ତ ? ତା’ପରେ କମାଣ ଆଉ ଚଳନ୍ତା ରୋଷେଇଶାଳ ବୋଝେଇ ଟ୍ରାକ୍ଟର କେତୁଟା ! ତା’ ପଛେ ପଛେ ଜର୍ମାନ ପଦାତିକ ବାହିନୀ । ସେଥିରେ ଗୋଟିଏ ‘କମ୍ପାନୀ’ ଫୌଜଙ୍କଠୁ ବଳି ଅଧିକ ସୈନ୍ୟ ନଥାନ୍ତି । ମୁଁ ଟେରେଇ ଟେରେଇ, କଣେଇ କଣେଇ ସବୁ ଚାହୁଁଥାଏ ଆଉ ମାଟିରେ ମୁହଁମାଡ଼ି ଦେଖୁଥାଏ । ସେମାନଙ୍କୁ ଦେଖିବା ମାତ୍ରେ ଶରୀର ଓ ଆତ୍ମା ମୋର ପୂରିଯାଇଥାଏ ଘୃଣା ଆଉ ରୋଷରେ, ଅଇ ଓକାର ଉଠୁଥାଏ ପେଟ ଭିତରୁ ।

 

“ଭାବିଲି, ସେମାନେ ସମସ୍ତେ ମତେ ଅତିକ୍ରମ କରି ଚାଲି ଗଲେଣି । ମୁଣ୍ଡଟେକି ଚାହିଁଲି ଟିକିଏ । ଶହେ ପାଦ ଦୂରରେ ଛଅ ଜଣ ସବ୍‍-ମେସିନ୍‍ଗନ ଚାଳକ ମାର୍ଚ୍ଚ କରି ଚାଲିଥାନ୍ତି ସାମରିକ ରୀତିରେ । ଦେଖିଲି, ଛଅଜଣ ଯାକ ଉଁ ଚୁଁ ପାଟିତୁଣ୍ଡ ନକରି ବୁଲିପଡ଼ି ରାସ୍ତା ଭାଙ୍ଗି ସିଧା ସିଧା ମାଡ଼ି ଆସିଲେ ମୋ ଆଡ଼କୁ । ଧରିନେଲି ପହଞ୍ଚିଗଲା ଶେଷ ମୁହୂର୍ତ୍ତଟା ଆସି । ତେଣୁ ଉଠି ବସିଲି, ଶୋଇକରି ମରିବି କାହିଁକି, ଛିଡ଼ା ହୋଇପଡ଼ିଲି । ସେମାନଙ୍କ ମଧ୍ୟରୁ ଜଣେ ଆସି ମୋ’ଠାରୁ ଅଳ୍ପ ଛଡ଼ାରେ ଛିଡ଼ା ହେଲା । ଟମିଗନ୍ ବନ୍ଧୁକଟା ଝିଙ୍କି ଆଣିଲା କାନ୍ଧ ଉପରୁ । ମଣିଷର ପ୍ରକୃତି ବଡ଼ ଅଦ୍ଭୁତ ବାସ୍ତବିକ ! ସେ ଯେ କି ପ୍ରକୃତିରେ ଗଢ଼ା ଜାଣିବା ଦୁଷ୍କର । ସେହି ମୁହୂର୍ତ୍ତରେ ଅଣୁମାତ୍ର ଶଙ୍କିତ କି ତ୍ରସ୍ତ ହେଲିନାହିଁ ମୁଁ । ହୃଦୟରେ ତିଳେ ହେଲେ ଭୟର କମ୍ପନ ଅନୁଭବ କଲି ନାହିଁ । କେବଳ ସେ ଲୋକଟିକୁ ଅନାଇ ରହି ଭାବିଲି, ଟିକିଏନାକୁ ବୋଲି ଛୋଟ ଗୁଳି ଫୁଟିବ ନିକଟରୁ । କିନ୍ତୁ ସେ ମୋ ଦେହର କେଉଁ ଅଂଶକୁ ଲକ୍ଷ୍ୟ କରିବ ମୁଣ୍ଡକୁ ନା ଛାତିକୁ ? ଦେହର କେଉଁ ଅଂଶରେ ସେ ଫୁଟେଇ କଣା କରିଦେବ–ସତେ କେମିତି ଭାରୀ ଗୁରୁତ୍ଵପୂର୍ଣ୍ଣ କଥାଟାଏ ଥିଲା ମୋ ପାଖରେ !

 

“ଅଳ୍ପ ବୟସର ଟୋକାଟାଏ, ଚମତ୍କାର ଗଢ଼ଣଟି । ବେଶ ବଳିଷ୍ଠ ଦେହ । ମୁଣ୍ଡରେ କଳା କଳା ବାଳ, ଓଠ ଦିଓଟି ସୂତା ପରି ସରୁ ଆଉ ଚକ୍ ଚକ୍ ତା’ର ଆଖି ଯୋଡ଼ିକ କେମିତି ଗୋଟାଏ କୁତ୍ସିତ ଝଲସଟା କରୁଥାଏ । ସେଭଳି ଲୋକ ମତେ ଗୁଳି ମାରି ଉଡ଼ାଇ ଦେବାକୁ ଥରକୁ ଦି’ଥର ଚିନ୍ତା କରିବ ନାହିଁ ! ମୁଁ ଭାବିଲି, ଆଉ ପ୍ରକୃତରେ ତା’ର ବନ୍ଧୁକ ଉଠିଲା ଉପରକୁ । ମୁଁ ସିଧାସଳଖ ଅନାଇଥାଏ ତା’ର ଆଖିକୁ । କିଛି କହୁ ନଥାଏ ମୁଁ । ଆଉ ଜଣେ କିନ୍ତୁ ତାହାଠୁ ବୟସରେ ବଡ଼ ହେବ, ଦେଖିବାକୁ ପ୍ରୌଢ଼, ଆଉ ଜଣେ ଫାସିଷ୍ଟ ‘କର୍ପୋରାଲ କି ସେଇଭଳି କୌଣସି ସାମରିକ ପାହିଆର ଲୋକ ପାଟି କରି ଉଠିଲା, ଚିତ୍କାର କଲା । ତାକୁ ଗୋଟାଏ କରକୁ ଠେଲି ଦେଲା, ‘‘ମୋ’ ପାଖକୁ ମାଡ଼ିଆସିଲା । ନିଜ ଭାଷାରେ କ’ଣଗୁଡ଼ାଏ ବକ୍ ବକ୍ ହୋଇ କହିଗଲା । ମୋର ଡାହାଣ କହୁଣିକୁ ଧରି ହାତଟାକୁ ବଙ୍କେଇ ଦେଲା । ମାଂସପେଶୀ ପରଖ କରି ଦେଖିଲା ବୋଧହୁଏ । ମାଂସପେଶୀକୁ ଚିପିଚାପି ଦେଖୁଥିଲାବେଳେ କହିଲା, ‘ଓ ଓହୋ !’ ତା’ପରେ ସୂର୍ଯ୍ୟାସ୍ତକୁ ଆଙ୍ଗୁଳି ଦେଖାଇ ସୂଚନା ଦେଲା ଯେମିତି, ‘ଯା ଆମ ଜର୍ମାନ ରାଷ୍ଟ୍ରପାଇଁ କାମ କରିବୁ ଯା ।’ କୁତ୍ତିକା ବଚା, କସଟିଆ କିସମରେ ଥିଲା କୁତ୍ତିକା ବଚା ।”

 

କିନ୍ତୁ କୃଷ୍ଣକେଶର ସେଇ ଟୋକାଟାର ଆଖି ଥାଏ ମୋ ବୁଟ୍ ଜୋତା ଉପରେ । ତାକୁ ଦିଶୁଥାଏ, ବେଶ୍ ମଜଭୁତ ଭଲ ନିଖୁଣ ବୁଟ୍ ହଳେ । ମତେ ତେଣୁ ଠାରିଲା ସେ, “କାଢ଼ ବେ ସେ ବୁଟ୍‍ ହଳକ କାଢ଼ ।” ମାଟି ଉପରେ ବସିପଡ଼ିଲି । ବୁଟ୍‍ ହଳକ କାଢ଼ି ବଢ଼େଇଦେଲି ତାକୁ । ହଁ ହେ କେମିତି ସେ ପିଲା ପରି କି ଆତୁରିଆ ହୋଇ, ଚମତ୍କାରଭାବେ ଝାମ୍ପି ନେଲା । ଖୋଲିଲି ପାଦର ପଟି, ତଳେ ବସିଥାଏ, ତାକୁ ଯାଚିଲି, କିନ୍ତୁ ପାଟି ନକରି ଶୋଧାଶୋଧି ଆରମ୍ଭ କରିଦେଲା, ବନ୍ଧୁକଟା ଟେକି ଲକ୍ଷ୍ୟ କଲା । ଅନ୍ୟମାନେ ହୋ ହୋ ହୋଇ ହସି ଉଠିଲେ । ହସି ହସି ଚାଲିଗଲେ ମାର୍ଚ୍ଚ କରି–କିନ୍ତୁ ସେଇ କୃଷ୍ଣକେଶ ଟୋକାଟା ଖାଲି ରାସ୍ତା ଉପରକୁ ଉଠିଲା ପୂର୍ବରୁ ପଛକୁ ବୁଲିପଡ଼ି ଚାହିଁଲା ତିନିଥର ମୋତେ । ଆଉ ହେଟାବାଘ ଛୁଆର ଖେଳ ଭଳି ତା’ର ଡୋଳା ଦୁଇଟା ଝକ୍ ଝକ୍ କରି ଉଠିଥିଲା ରାଗରେ । ଯେ କୌଣସି ଲୋକ ଭାବିଥାନ୍ତା ସେ ନୁହେଁ, ମୁଁ ତାରି ବୁଟ୍ ହଳକ ହରଣ କରିଥିଲି, ସତ ।

 

ଭାଇ ଆଉ ବା ସେଥିପାଇଁ କି ଶକ୍ତିଟା ଥିଲା ମୋର ! କ’ଣ ବା କରି ପାରିଥାନ୍ତି ? ଉଠିଲି ରାସ୍ତା ଉପରକୁ । ଯାହା ପାଟିକୁ ଆସିଲା ଭୋରେନେଜ ଅଞ୍ଚଳର ଭାଷାରେ ଯଥେଷ୍ଟ ଶୋଧିଗଲି । ଆଗେଇଲି ପଶ୍ଚିମମୁହାଁ ହୋଇ । ସେତେବେଳେ ଆଗେଇଲି ଗୋଟାଏ ବନ୍ଦୀ ମୁଁ । ଚାଲିବାକୁ ବଳ ନଥାଏ ଆଉ । ଘଣ୍ଟାକୁ ଗୋଟିଏ କିଲୋମିଟର–ତାଠୁଁ ଅଧିକ ଯିବା ଅସମ୍ଭବ ହେଉଥାଏ ମୋ ପକ୍ଷରେ । ସତେ ଯେପରି ମୁଁ ମାତାଲ ହୋଇଯାଇଥାଏ । ମାତାଲଭଳି ସିଧା ସିଧା ମାଡ଼ି ଯିବାକୁ ପ୍ରବଳ ଚେଷ୍ଟା କରୁଥାଏ । କିନ୍ତୁ ମାତାଲକୁ କ’ଣ କିଏ ରାସ୍ତାର ଗୋଟାଏ କରରୁ ଆଉ ଗୋଟାଏ କରକୁ ଠେଲିଦିଏ ? ମୁଁ ସେମିତି ରାସ୍ତାର ଏକର ସେକର ହେଉଥାଏ । ଅଳ୍ପବାଟ ଆଗେଇ ଥିବି ଆମର ଯେଉଁ ସୈନ୍ୟବାହିନୀରେ ଅନ୍ତର୍ଭୁକ୍ତ ଥିଲି ମୁଁ, ସେହି ସୈନ୍ୟବାହିନୀର ଦଳେ ସୈନ୍ୟ ବନ୍ଦୀ ହୋଇ ଆସି ମୋତେ ଟପିଯିବାକୁ ବସିଲେ ପଛରୁ । ଦଶଜଣ ସରିକି ଜର୍ମାନ ଛୋଟ କମାଣଚାଳକ ସେମାନଙ୍କୁ ପହରା ଦେଇ ଜଗି ଜଗି ଚାଲୁଥାନ୍ତି । ଜର୍ମାନ ବନ୍ଧୁକଧାରୀ ଦଳର ଆଗୁଆ ପ୍ରହରୀଟା ପାଟି ନ ଫିଟାଇ ବନ୍ଧୁକରେ ଆଗ ମୋ ମୁଣ୍ଡଟାକୁ ଢିଏ ପକାଇଲା । ତଳେ ଯଦି ପଡ଼ିଯାଇଥାନ୍ତି, ଗୁଳିରେ ତେବେ ମତେ ମାଟିରେ ସିଇଁ ଦେଇଥାନ୍ତା ସେ । କିନ୍ତୁ ପଡ଼ି ଯାଉଁ ଯାଉଁ ମତେ ଆମ ସୈନ୍ୟମାନେ ଧରିପକେଇଲେ । ଠେଲିନେଇ ଟାଣିନେଇ ଭର୍ତ୍ତିକରିଦେଲେ ବନ୍ଦୀଶାଳାର ମଝିରେ । କିଛି ସମୟ ପାଇଁ ଅଧାଅଧି ଟେକି ନେଇଗଲେ ମୋତେ । ମୋର ଚେତା ହେଲାକ୍ଷଣି ଜଣେ ମୋ କାନରେ ଚୁପ୍ ଚୁପ୍ କରି କହିଲା, “ଠାକୁର ଦ୍ଵାହି ପଡ଼ିଯାଅ ନାହିଁ, ଟିକିଏନାକୁ ବଳ ଥିବାଯାଏ ଚାଲୁଥାଅ ଚାଲୁଥାଅ, ନଇଲେ ସେମାନେ ଶେଷ କରିଦେବେ, ମାରିଦେବେ ତୁମକୁ !” ମୋ ଦେହରେ ତ ଯେଉଁ ବଳ ମାଡ଼ିଯାଉଥିଲା ! ଛାଡ଼, ତଥାପି ଆଗେଇଲି–କୌଣସିମତେ ଚାଲିଲି ମୁଁ ।

 

“ସୂର୍ଯ୍ୟ ଢଳି ପଡ଼ିଲେ, ଜଗୁଆଳି ବ୍ୟବସ୍ଥାକୁ ଜବରଦସ୍ତ କରିଦେଲେ ଜର୍ମାନମାନେ । ଟ୍ରକରେ ଲଦି ଘେନି ଆସିଲେ କୋଡ଼ିଏ ଜଣ ସରିକି ଅଧିକା ଛୋଟ କମାଣ ଚାଳକଙ୍କୁ । ଆମକୁ ଆହୁରି ଦ୍ରୁତ ବେଗରେ ଅଡ଼େଇ ଅଡ଼େଇ ଦୌଡ଼ାଇଲେ । ସାଙ୍ଘାତିକ ଭାବରେ ଆହତ ସାଥୀଗୁଡ଼ିକ ସମାନ ପଦକ୍ଷେପରେ ଦୌଡ଼ିପାରୁନଥାନ୍ତି । ଅନ୍ୟମାନଙ୍କ ସାଙ୍ଗରୁ ବିଚ୍ଛିନ୍ନ ହୋଇ ପଡ଼ୁଥାନ୍ତି । ସେମାନଙ୍କୁ ଜର୍ମାନମାନେ ସଡ଼କ ଉପରେ ଗୁଳିମାରି ଗଡ଼ାଇ ଦେଉଥାନ୍ତି । ଆମ ଭିତରୁ ଦୁଇଜଣ ଚେଷ୍ଟା କଲେ ଫିଟି ପଳାଇଯିବେ ବୋଲି । ଖିଆଲ କରିପାରିଲେ ନାହିଁ, ଜହ୍ନ ରାତିରେ ଖୋଲା ପଡ଼ିଆରେ ତମେ ମାଇଲିଏ ଦୂରରୁ ବାରି ହୋଇ ପଡ଼ିବ । ଫଳରେ ଗୁଳି ଖାଇବା ହିଁ ସାର ହେଲା ସେମାନଙ୍କର ।

 

ରାତି ଅଧ ହୋଇ ଆସିଲା । ଅଧାଅଧି ପୋଡ଼ି ଭସ୍ମ ହୋଇଯାଇଥିବା ଗୋଟିଏ ଗାଁରେ ପହଞ୍ଚିଲୁ । ଜର୍ମାନମାନେ ଆମକୁ ଅଡ଼େଇ ନେଇ ଭିର୍ତ୍ତିକରିଦେଲେ ଗୋଟାଏ ଗିର୍ଜା ଭିତରେ । ଗିର୍ଜାର ଗମ୍ବୁଜଟି ଭାଙ୍ଗି ପଡ଼ିଥାଏ । ଶୀତ ରାତି, ପଥର ଚଟାଣ, ପାରି ଶୋଇବାକୁ କୁଟା ଖିଏ ବି ନଥାଏ କାହା ପାଖରେ । ଶୀତ ଦିନିଆ ଉପର କୋଟ ବି ନଥାଏ କାହାରି ପାଖରେ । ଦେହରେ ଖଣ୍ଡେ ଖଣ୍ଡେ ସାମରିକ ଫତେଇ ବା ‘ଟ୍ୟୁନିକ୍’ ନଥାଏ, ଖାଲି ସୂତା ଗେଞ୍ଜି ଖଣ୍ଡେ ଖଣ୍ଡେ ପିନ୍ଧିଥାନ୍ତି-। ସାଧାରଣ ସୈନ୍ୟମାନଙ୍କଠୁ ବିଶେଷରେ ତଳିଆ ସାମରିକ ଅଫିସରମାନେ ସେମାନେ ସମସ୍ତେ ପ୍ରାୟ ନିନ୍‍କମିଶନଡ ଅଫିସର, ଅଲଗା ଯେମିତି ଜଣା ପଡ଼ିଯିବେ ନାହିଁ, ସେଥିପାଇଁ କମାଣ ଚାଳକମାନେ ବନ୍ଦୀ ହୋଇଥାନ୍ତି ଖାଲି ଦେହରେ । ସେମାନଙ୍କ ଦେହରେ ମଧ୍ୟ ‘ଟ୍ୟୁନିକ୍’ ସବୁ ନଥାଏ ।

 

କେଉଁଠି ଥିଲା ମେଘ, ସେଦିନ ରାତିରେ ବର୍ଷି ଗଲା ଦି’ଚାରି ଅସରା । ପାଣିରେ ଜୁଡ଼ୁବୁଡ଼ୁ ହୋଇଗଲୁ ଆମେ । ଗିର୍ଜା ଛାତର ଗୋଟାଏ ବଡ଼ ଅଂଶ ଛତ୍ରଛାଳ ହୋଇଯାଇଥାଏ ଗୋଳା ବର୍ଷଣରେ । ଆଉ ଗୋଟାଏ ଅଂଶରେ ସ୍ତାପନେଲ ବୋମା ଭିତରେ ହତିଆର ବାଜି ଫାଟି ଆଁ କରିଥିଲା । ତେଣୁ ଗିର୍ଜାର ମଞ୍ଚ ବା ବେଦୀ ଉପରେ ମଧ୍ୟ ଚାଖଣ୍ଡେ ହେଲେ ଶୁଖିଲା ଜାଗା ନଥିଲା । ସେଇଠି ଗିର୍ଜାରେ ଅନ୍ଧାରୁଆ ଖୁଆଡ଼ରେ ମେଣ୍ଢାଗୁଡ଼ାକ ପରି ଆମେ ରାତିଟି କଟାଇଲୁ ।

 

ରାତି ଆଉ ଘଡ଼ିଏ ଗଡ଼ି ଯାଇଥିବ, ପାହାନ୍ତା ହୋଇଥିବ । କିଏ ଜଣେ ଥିର୍‍କିନି ମୋର ବାହୁକୁ ଛୁଇଁ ତୁନି ତୁନି ପଚାରିଲା–“ତୁମେ କ’ଣ ଆହତ ହୋଇଛ କମରେଡ୍‍ ?” କହିଲି, “ଏଠି କାହିଁକି ପଚାରୁଛ ଯେ ।’’ “ମୁଁ ଜଣେ ଡାକ୍ତର, କେଉଁ ବାଟରେ ହେଲେ ତମକୁ ଟିକିଏ ସାହାଯ୍ୟ କରିପାରେ ତ ?” ଜଣାଇଦେଲି ବାଁ କାନ୍ଧଟା କେଏଁ କେଏଁ କଡ଼ କଡ଼ ହେଉଛି, ଫୁଲି ଯାଇଛି । ଭୟଙ୍କର ଯନ୍ତ୍ରଣା ହେଉଛି । ସେ ଦୃଢ଼ ଭାବରେ କହିଲେ, ‘‘ଦେହରୁ ଗେଞ୍ଜି ଆଉ ଫତେଇ ବାହାର କରି ପକାଅ ।’’ ମୁଁ ଗେଞ୍ଜି ଆଉ ଟ୍ୟୁନିକ୍ ଦେହରୁ କାଢ଼ିଦେବା ମାତ୍ରେ ସେ ଆହତ ସ୍ଥାନଟିରେ ତାଙ୍କର ସରୁ ସରୁ ଅଙ୍ଗୁଳି ଚଳାଇ ଚଳାଇ ଟିପି ଟିପି କ’ଣ ସବୁ ପରୀକ୍ଷା କରି ଦେଖିଲେ । ସେ ମୋତେ ଓଲଟି ଆଘାତ ଦେଲେ ଯେମିତି–ଓଃ କି ଯନ୍ତ୍ରଣା ! ଦାନ୍ତଚିପି କହିଉଠିଲି, “ଇଃ, ତମେ ଡାକ୍ତର ନୁହଁ, ମଣିଷ ଡାକ୍ତର ନୁହଁ, ପଶୁ ଡାକ୍ତର ! କି ହୃଦୟହୀନ, କି ନିର୍ଦ୍ଦୟ ସଇତାନ ତୁମେ ! ଯେଉଁଠି ଟିପ ଲାଗିଲେ ପ୍ରାଣ ଛାଡ଼ି ଯାଉଛି, ସେଇଠି ହାତ ମାଡ଼ି ଚିପୁଛ କାହିଁକି ?” କିନ୍ତୁ ସେ କ’ଣ ଅଣ୍ଡାଳି ଅଣ୍ଡାଳି ଖୋଜି ଖୋଜି ହୋଇ ଦେଖୁଥାନ୍ତି; ରାଗିଗଲା ପରି କହିଲେ, ‘‘ଚୁପ୍‍କର ! ତମର କାମ ପାଟି ବନ୍ଦ ରଖିବା ! ଏଃ, ବାତଫୁରୁସି ବାହାରୁଛି ! ମତେ ଏମିତି କହିବା ବରଦାସ୍ତ କରିବି ନାହିଁ, ବୁଝିଲ ! ରଃ ଶକ୍ତ ହୋଇ ରଃ ! ଭିତରେ ମିନିଟିକ କାଟିବ ଆହୁରି କାଟିବ ।” ତା’ପରେ ସେ ମୋ ବାହୁଟାକୁ ଏମିତି ଜୋରରେ ମୋଡ଼ି ଭିଡ଼ି ଦେଲେ ଯେ ମୋ ଆଖିରୁ ଜୁଳୁଜୁଳିଆ ପୋକ କ’ଣ ନିଆଁ ବାହାରି ପଡ଼ିଲା !

 

ହୋସ୍ ହେଲା ପରେ କହିଲି–“ହଇରେ ହେ ଗନ୍ଧିଆ ଫାସିଷ୍ଟ ! ଏ କ’ଣ କରୁଚୁ, ଏ କ’ଣ କରୁଚୁ ? କାନ୍ଧଟା ମୋର ଗୁଣ୍ଡୁଗୁଣ୍ଡା ହୋଇଯାଇଛି । ଓଃ, ତାକୁ ଏମିତି ଝିଙ୍କି ଝାଙ୍କି ପକାଉଚୁ କାହିଁକି ?” ଶୁଣିଲି, କୁରୁ କୁରୁ ହୋଇ ହସିଲେ ସେ । ଉତ୍ତର ଦେଲେ, “ଭାବିଥିଲି, ମୁଁ ଝିଙ୍କା ଓଟରା କଲାବେଳେ ତମେ ଡାହାଣ ହାତରେ ଦି’ଚାରି ଚାପୁଡ଼ା କସି ଦେବ ବୋଲି ମୋତେ । ଦେଖୁଛି, ନିହାତି ସୁଧାର, ନରମା ନୋତରା ତମେ ! ବାହୁଟା ଭାଙ୍ଗିଯାଇ ନଥିଲା ତମର । ଗଣ୍ଠିରୁ ହୁଗୁଳି ଖସି ଯାଇଥିଲା, ଗଣ୍ଠି ଖୋଲରେ ପୂରାଇ ପୁଣି ତାକୁ ଖଞ୍ଜି ଦେଲି । କ’ଣ ଟିକିଏ ଭଲ ଲାଗୁନି ? ସତକୁ ସତ ସେତେବେଳକୁ ବୁଝିଲିଣି ଯନ୍ତ୍ରଣା କମି କମି ଯାଉଥାଏ । ତାଙ୍କୁ ହୃଦୟର ଗଭୀରତାରୁ ଧନ୍ୟବାଦ ଦେଇଥାଏ କି ନାହିଁ, “ଆଉ କିଏ ଆହତ ହୋଇଛ, ଆଉ କିଏ ?” ଧୀରେ ଧୀରେ ପଚାରି ପଚାରି ସେ ଅନ୍ଧାରରେ ଚାଲିଗଲେ । ପ୍ରକୃତ ଡାକ୍ତର, ସେ ଏକା ସେବାକାରୀ, ସହଯ୍ୟକାରୀ ! ନିବିଡ଼ ଅନ୍ଧାର ଭିତରେ ଜଘନ୍ୟ ବନ୍ଧନରେ ସେଠି ନିଜର ମହାନ୍ କର୍ତ୍ତବ୍ୟରେ ଲାଗିଥିଲେ ସେ–ଲାଗିଥିଲେ କେମିତି.....

 

ସେ ଥିଲା, ଗୋଟିଏ ଅସ୍ଥିର ଉଦ୍‍-ବେଗମୟ ରାତି । ଆମକୁ ମଳମୂତ୍ର ତ୍ୟାଗ କରିବାକୁ ଛାଡ଼ୁନଥାନ୍ତି ସେମାନେ । ଯୋଡ଼ି ଯୋଡ଼ି କରି ଆମକୁ ଗିର୍ଜା ଭିତରେ ଭର୍ତ୍ତି କଲାବେଳେ ଜଗୁଆଳି ଜମାଦାର ସବୁ ଆମକୁ ସେଥିପାଇଁ ଅନୁମତି ମିଳିବ ନାହିଁ ବୋଲି ଜଣାଇ ଦେଇଥାଏ । ଦୁର୍ଭାଗ୍ୟକୁ, ଆମ ଭିତରୁ ଜଣେ ଅତି ଭଗବାନ ବିଶ୍ୱାସୀ ଖ୍ରୀଷ୍ଟିଆନର ଅବସ୍ଥା ବଳିପଡ଼ିଲା । ପ୍ରାଣପଣେ ମୂତ୍ର ପୁରୀଷତକ ପେଟରେ ସଞ୍ଚୟ କରି ରଖି ରଖି ଶେଷରେ ଅସମ୍ଭାଳ ହୋଇ କାନ୍ଦିପକାଇଲା ସେ । ବିକଳରେ କହିଉଠିଲା, “ନା ନା ଏଇ ପବିତ୍ର ସ୍ଥାନକୁ କଳୁଷିତ କରିପାରିବି ନାହିଁ ମୁଁ । ଭଗବତ୍ ବିଶ୍ୱାସୀ ଖ୍ରୀଷ୍ଟିଆନ ମୁଁ । କ’ଣ କରିବି ଭାଇମାନେ, କ’ଣ କରିବି ?’’ ବେଶ୍ ଅନୁମାନ କରି ପାରୁଥିବ, ସେଠି ଆମେ କିଭଳି ମତାତର ଲୋକ ସବୁ ଥିଲୁ । କେତେକ ହସିଲେ ଆମ ଭିତରୁ । କିଏ କଟା ସମ୍ପା କଲେ, କିଏ କଡ଼ାକଥା କହିଲେ । କେତେକ ତାକୁ ଗୁଡ଼ାଏ ଗୁଡ଼ାଏ ଉପଦେଶ ବାଣୀ ଶୁଣାଇ ଟାହି ଟାପରା କରି ଚିଡ଼େଇବାକୁ ଲାଗିଲେ । ଆମକୁ ସେଇ ଦୁରବସ୍ଥା ଭିତରେ ହସେଇ ଦେଲା ସିନା, କିନ୍ତୁ ଶେଷକୁ ଦୁର୍ଯୋଗ ଡାକି ଆଣିଲା । ଘନ ଘନ ଦୁଆର ବାଡ଼େଇ ଡାକ ଛାଡ଼ିଲା ବାହାରକୁ ଯିବାଲାଗି । ଆଉ ଉତ୍ତର ପାଇଗଲା ଠିକ୍ । ବର୍ବର ଫାସିଷ୍ଟଟାଏ ଯେତେବେଳେ ସବ୍-ମେସିନ୍‍ଗନରୁ ଦୁଆର ସନ୍ଧି ବାଟେ ଗୁଳି ବୃଷ୍ଟି କରିଦେଲା, ତିନି ଜଣଙ୍କୁ ମିଶାଇ ଖ୍ରୀଷ୍ଟିଆନଟିକୁ ଖତମ କରିଦେଲା । ଆଉ ଜଣେ ଗୁଳି ଚୋଟରେ ଗୁରୁତର ଭାବରେ ଆହତ ହେଲା, ସକାଳୁ ନ ହେଉଣୁ ଆମ ପାଖରୁ ଚିର ବିଦାୟ ନେଇଗଲା ।

 

ଶବଗୁଡ଼ାକୁ ଗୋଟାଏ କଣକୁ ଟାଣି ନେଲୁ । ଚୁପ୍ ଚାପ୍ ବସି ନିଜେନିଜେ ଭାବିବାରେ ଲାଗିଲୁ ଏଣୁ ତେଣୁ । ନାଃ,–ଆରମ୍ଭଟା ଶୁଭର ନୁହେଁ, ଖୁସିର ନୁହେଁ ଆଦୌ । ସଙ୍ଗେ ସଙ୍ଗେ ତୁନି ତୁନି ଦୁଃଖସୁଖ ହୋଇ ପଚରାପଚରି ଆରମ୍ଭ କରିଦେଲୁ, କିଏ, କିଏ ଆମେ, କେଉଁଠୁ କେଉଁଠୁ ଆସିଥାଉ, ବନ୍ଦୀହେଲୁ କେମିତି ? ଯେଉଁମାନେ ଏକାଫୌଜର ଅନ୍ତର୍ଭୁକ୍ତ ଥିଲେ, ଚିହ୍ନାଚିହ୍ନି ହୋଇ ଥିର୍ ଥିର୍ ପରସ୍ପରକୁ ଅନ୍ଧାରରେ ଡକାଡକି ହେଲେ । ପାଖରେ ମୋର ସେଇଭଳି ଯୋଡ଼ିଏ କଥାବାର୍ତ୍ତା ହେଉଥାନ୍ତି । ଜଣେ କହୁଥାଏ, “ଆସନ୍ତାକାଲି ସକାଳେ ଜର୍ମାନିମାନେ ଯଦି ଆମକୁ ଆଉ କେଉଁଠିକୁ ଦୂରକୁ ନେଇଯିବାକୁ ଧାଡ଼ି କରେଇ ଛିଡ଼ା କରନ୍ତି, ଆମ ଭିତରୁ କମିସାର, କମ୍ୟୁନିଷ୍ଟ ଇହୁଦୀଙ୍କୁ ପୃଥକ ହେବା ପାଇଁ ଡାକନ୍ତି, ଦେଖ ପ୍ଲେଟୁନ୍ କମାଣ୍ଡର ! ନିଜକୁ ଲୁଚାଇବା ପାଇଁ ଚେଷ୍ଟା କରିବ ନାହିଁ ଯେମିତି । ସେଥିରେ ତମେ ବର୍ତ୍ତିଯାଇ ପାରିବ ନାହିଁ କହୁଚି । ସାମରିକ ଫତେଇଟା ଦେହରୁ କାଢ଼ି ଫିଙ୍ଗି ଦେଇଛ ବୋଲି ତମେ ଭାବୁଛ, ତମେ ସଧାରଣ ସୈନ୍ୟ ଭାବରେ ପାର ଉତାର ପାଇଯିବ ! ଏ ମିଥ୍ୟାରେ ମୁହଁଧୁଆ ଚଳିବ ନାହିଁ । ବୁଝିଲ ସେତକ କରିବାକୁ ଦେବିନାହିଁ ମୁଁ । ସିବା ଅଗରେ ହିଁ ଚିହ୍ନାଇଦେବି ତମକୁ । ଜାଣେ ତେମେ କମ୍ୟୁନିଷ୍ଟ । ମତେ ପାର୍ଟି ଭିତରକୁ ନେବାଲାଗି କେମିତି ଉଦ୍ୟମ କରୁଥିଲ । ଏବେ ସେ ଚକ୍ରାନ୍ତର ଜବାବ ପାଇବ ରଃ ।’’ ଏତକ କହିଲା ମୋ ବାଁପଟରେ ଅତି ନିକଟରେ ବସିଥିବା ଲୋକଟି । ତା’ ଆର ପାଖରୁ ଗୋଟିଏ ଯୁବକର କଅଁଳିଆ ସ୍ୱରରେ ଉତ୍ତର ଆସିଲା–“ସବୁବେଳେ ସନ୍ଦେହ କରୁଥିଲି ବଡ଼ ଗନ୍ଧିଆ ପଚା ଲୋକ ତମେ ତ୍ରିଝନେଭ ! ବିଶେଷରେ ତମେ ଯେତେବେଳ ନିଜକୁ ନିରକ୍ଷର ବୋଲି ଦେଖେଇ ଛଳନା କାଢ଼ି ପାର୍ଟିରେ ଯୋଗଦେଲ ନାହିଁ, ସେତେବେଳେ କିନ୍ତୁ ଭାବି ପାରି ନଥିଲି ତୁମେ ଦେଶଦ୍ରୋହୀ ବି ହୋଇପାର ! ତମକୁ ଚଉଦ ବର୍ଷ ହେଲାଯାଏ ତୁମେ ସ୍କୁଲକୁ ଯାଇଥିଲ, ପାଠ ପଢ଼ୁଥିଲ, ନାଇଁ ? ଅନ୍ୟ ଜଣକ ଅଳସରେ ହାଇ ମାରି ମାରି ସଧାରଣିଆ ଚଳନ୍ତି ଢଙ୍ଗରେ କହିଲା, “ହଁ, ପଢ଼ୁଥିଲି । କ’ଣ ହେଲା ସେଥିରୁ ?” ଅନେକ ବେଳଯାଏ ନୀରବ ରହିଗଲେ ସେମାନେ । ସ୍ୱର ବାରି ବେଶ୍ ବୁଝିପାରିଲି ପ୍ଲେଟୁନ କମାଣ୍ଡର ନରମ ଭାବରେ କହିଲେ, “ମତେ ଧରେଇ ଦିଅ ନାହିଁ କମରେଡ୍‍ ତ୍ରିଝନେଭ ।’’ ଆର ଜଣକ ଥିରି ଥିରି ହସିଉଠିଲା, କହିଲା, “ତମେ ତମର କମରେଡ୍‍ମାନଙ୍କୁ ଯୁଦ୍ଧଭୂମିରେ ଆରପାଖରେ ବହୁତ ପଛରେ ଛାଡ଼ି ଆସିଚ ! ତମର କମରେଡ୍‍ ନୁହେଁ ମୁଁ, ମତେ ଅନୁରୋଧ କରି ଲାଭ ନାହିଁ । ଯେତେ ଅନୁରୋଧ କଲେ ବି ଚିହ୍ନାଇ ଦେବି ତମକୁ-। ନିଜ ଚମଡ଼ା ରକ୍ଷା କରିବା ଆଗ ମୋ ପାଖରେ–ବୁଝିଲ–ଏଇ ମୋର ବିଶ୍ୱାସ ।’’

 

କଥାବାର୍ତ୍ତା ବନ୍ଦ କରିଦେଲେ ସେମାନେ । ମତେ ଲାଗିଲା ଦେହଟା ମୋର ଗୋଟାସୁଦ୍ଧା ଶୀତେଇ ଉଠିଲା, ଥରି ଉଠିଲା ଯେମିତି । କି କୁତ୍ସିତ, କି ଜଘନ୍ୟ କାମର ଭାବନାଟା ସଲ ସଲ ହୋଇ ଚାଲିଲା ଯେମିତି ତା’ ଉପରେ । “ନା, ନା,’’ ଠିକ୍ କରିନେଲି ମନକୁ ମନ । “କମାଣ୍ଡର ପ୍ରତି ତୋର ବିଶ୍ୱାସଘାତକତା ! ନା–କରେଇ ଦେବିନାହିଁ ତତେ କୁତ୍ତାକା ବଚା, କରେଇ ଦେବିନାହିଁ । ଏ ଗିର୍ଜାରୁ ତୁ ବାହାରି ଯିବୁ ପାଦ ଦୁଇଟାରେ ତୋର–ନା, ନା, ତୋତେ ଟାଣି ଟାଣି ଘୋଷାରି ଘୋଷାରି ନେବେ ଗୋଡ଼ ଦୁଇଟାକୁ ଝିଙ୍କି ଝିଙ୍କି ତୋର !’’

 

ଦିଗ ଟିକିଏ ଫର୍ଚ୍ଚା ହୋଇ ଆଲୁଅ ପିଟି ଆସିଲା ଦେଖିଲି, ଗୋଟାଏ ମାଉଁସିଆ ଫୁଲ୍‍କାମୁହାଁ ଲୋକ ମୁଣ୍ଡ ତଳେ ହାତ ରଖି ଚିତ୍ ହୋଇ ଶୋଇଛି ଆଉ ତା’ ପାଖରେ ଛୋଟ ଚେପ୍‍ଟା ଓସାରିଆ ନାକର ଅଳ୍ପ ବୟସର କଞ୍ଚାଳିଆ ଟୋକାଟିଏ ଗେଞ୍ଜି ଦେହରେ ଆଣ୍ଠୁ ଦୁଇଟାରେ ହାତ ଦୁଇଟାକୁ ବଢ଼େଇ ଦେଇ ବସିଛି ଯାକିଯୁକି ହୋଇ । ଆହା, କଅଁଳ ମୁହଁଟି ତା’ର କେମିତି ମଳିନ ପଡ଼ିଯାଇଥାଏ ସତେ ! ତା’ର ମାଉଁସିଆ ମେଦୁଆ ମସ୍ତି ଖାସିଟାକୁ ଭାବିଲି ଆୟତ୍ତ କରିପାରିବି ନାହିଁ ଏଇ ବକଟେନାକୁ ଛୁଆ । ନାଃ ନିଜେ ହିଁ ମତେ ଖତମ୍ କରିବାକୁ ହେବ ତାକୁ ।”

 

ଟୋକାଟିର ବାହୁରେ ଟିପ ମାରି ଫୁସ୍‍ଫୁସ୍‍ କରି ପଚାରିଲି, “ତମେ ଜଣେ ପ୍ଲେଟୁନ୍ କମାଣ୍ଡର ନା ? କିଛି କହିଲା ନାହିଁ ମୁଣ୍ଡ ଟୁଙ୍ଗାରି ହଁ କଲା । ଖାଲି ଚିତ୍ ହୋଇ ପଡ଼ିଥିବା ଲୋକଟାକୁ ଦେଖେଇ ଦେଇ କହିଲି–“ସେଇ ଲୋକଟା ସେଠି ତମକୁ ଇ ଦେବାକୁ ବସିଛି ମ ?” ପୁଣି ସେ ମୁଣ୍ଡଟି ହଲାଇ ହଁ କଲା । କହିଲି, “ବେଶ୍‍ ତେବେ ଧର ତା’ ଗୋଡ଼ ଦୁଇଟାକୁ ଧର ମାଡ଼ିବସ ଏମିତି ଯେପରି ସେ ଛାଟିପାରିବ ନାହିଁ ଆଦୌ । ଧର, ଧର ଶୀଘ୍ର ।” ଏତକ କହି ମୁଁ ଲୋକଟାର ଛାତି ଉପରକୁ ଡେଇଁପଡ଼ିଲି ମୋ ଆଙ୍ଗୁଠିକୁ ଶଣ୍ଡୁଆଶି ପରି କରି ଗଳାଟାକୁ ତା’ର ଟିପିଦେଲି ଖୁବ୍ ଜୋରରେ । ପାଟି କରିବାକୁ ଗଁ ଗଁ ହେବାକୁ ସମୟ ନ ଥିଲା ତାକୁ ! କେତୋଟି ମିନିଟି ସେମିତି ଟିପି ଧରିଥାଏ ଗଳାଟାକୁ । ତା’ପରେ କୋହଳ କରିଦେଲି ଟିପ । ଜିଭଟା ତା’ର ଓହଳି ପଡ଼ିଲା ପାଟି ଭିତରୁ । ଯାଃ, ଗଲା ଗୋଟାଏ ଦେଶଦ୍ରୋହୀ ଗଲା । କମିଲା, ଗୋଟାଏ ବିଶ୍ଵାସଘାତକ କମିଲା ।

 

ତା’ପରେ ଯେମିତି ହାତ ଦୁଇଟା ମୋର ଗନ୍ଧେଇ ଉଠିଲା । କେମିତିକା କେମିତିକା ପଚାଳିଆ ହୋଇ ଉଠିଲା ମନଟା । ମୋ ହାତରୁ କେମିତି ଗୋଟାଏ ବୀଭତ୍ସ କିଛି ଧୋଇ ଦିଅନ୍ତି କି-? ବ୍ୟସ୍ତ ହୋଇ ଉଠିଲି–ସତେ ଯେମିତି ମନୁଷ୍ୟ ନୁହେଁ ଗୋଟାଏ ବିଷାକ୍ତ ନାରକୀୟ ସାପକୁ ହତ୍ୟା କରିଥାଏ ମୁଁ.....ଜୀବନରେ ପ୍ରଥମେ ସେଇ ନରହତ୍ୟା କଲି ମୁଁ । ଆଉ ହତ୍ୟା କଲି ଯାହାକୁ ସେ ପୁଣି ଆମର ଆମ ଦେଶର ଲୋକ.....ନା, ନା, ଆମର ଆମ ଲୋକ ହୋଇପରେନା, ହୋଇପରେନା ସେ କେବେହେଲେ । ଶତ୍ରୁଠୁ ଅଧମ ସେ, ନୀଚ ସେ, ଦେଶଦ୍ରୋହୀ ସେ-! ଉଠିପଡ଼ିଲି ଛିଡ଼ାହୋଇ ପ୍ଲେଟୁନ୍ କମାଣ୍ଡର କହିଲି, ଅସ ଏଠୁ ଚାଲିଯିବା କମରେଡ୍‍ । ଗିର୍ଜାଟି ବଡ଼ ବଡ଼, ବେଶ୍ ବଡ଼ !

 

ତ୍ରିଝନେଭ ଯେମିତି କହୁଥିଲା, ଠିକ୍ ସେମିତି ରୀତିରେ ସକାଳେ ଆମକୁ ଗିର୍ଜା ବାହାରେ ଧାଡ଼ି କରେଇ ଛିଡ଼ା କରେଇ ଦିଆଗଲା, ଆମକୁ ଚାରିପଟୁ ଘେରାଉ କରି ରହିଲେ ସବ୍‍-ମେସିନ୍ ବନ୍ଧୁକଧାରୀ ପ୍ରହରୀ ସବୁ । ନାଜିବାହିନୀର ତିନିଜଣ ଅଫିସର ଆମ ଭିତରୁ ଯାହାଙ୍କୁ ସବୁ ‘ବିପଜ୍ଜନକ’ ‘କ୍ଷତିକାରକ’ ବିଚାରିଲେ ତାଙ୍କୁ ବାଛି ବାଛି ବାହାର କରିବାକୁ ଲାଗିଲେ । ସେମାନେ ତୁହକୁ ତୁହା ପ୍ରଶ୍ନ ପଚାରି ଜାଣିବାକୁ ଚାହିଁଲେ, କମ୍ୟୁନିଷ୍ଟ କିଏ, ସାମରିକ ଅଫିସର କିଏ, କମିଶାର କିଏ । ଜଣେ ହେଲେ ସେଭଳି କାହାକୁ ପାଇଲେ ନାହିଁ ସେମାନେ । ଜଣେ ହେଲେ ସେଡ଼େ ନର-ଶୂକର କିଏ ପାଇଲେ ନାହିଁ, ଯିଏ କମ୍ୟୁନିଷ୍ଟ ସାମରିକ ଅଫିସର କି କମଶାରଙ୍କୁ ଚିହ୍ନାଇ ଧରାଇ ଦେଇଥାନ୍ତା ! କାରଣ ଆମ ଭିତରେ ଅଧାଅଧି ଥିଲେ କମ୍ୟୁନିଷ୍ଟ, ଅନେକ ଥିଲେ ଅଫିସର ଆଉ କମିଶାର । ଦୁଇ ଶହ ଲୋକଙ୍କ ମଧ୍ୟରୁ ସେମାନେ ଧରି ନେଇଗଲେ ମାତ୍ର ଚାରି ଜଣଙ୍କୁ–ଜଣେ ଇହୁଦୀ ଓ ଆଉ ତିନିଜଣ ରୁଷଭାଷା ସାଧାରଣ ସୈନିକ । ରୁଷଭାଷୀଙ୍କର କାଳ ହେଲା ସେମାନଙ୍କର ବର୍ଣ୍ଣର କୃଷ୍ଣତା ଆଉ କୁଞ୍ଚିତ କେଶ । ନଜୀ ଅଫିସରମାନେ ସିଧାସଳଖ ସେମାନଙ୍କ ପାଖକୁ ଯାଇ ପଚାରିଲେ, ତୁମେ ଇହୁଦୀ ନା ? ପ୍ରଥମେ ପଚାରିଲେ ଯାହାକୁ, ସେ ନିଜକୁ ପରିଚୟ ଦେଲା ରୁଷବାସୀ ବୋଲି । ନାଜିମାନେ କାନ ଦେଉନଥାନ୍ତି କାହାରି ଉତ୍ତରକୁ, ଖାଲି ଆଦେଶ କରୁଥାନ୍ତି ‘ଆ ବାହାରି ଆ’ ଧାଡ଼ିରୁ ।

 

ଗୁଳିଚୋଟରେ ଉଡ଼ାଇ ଦେଇ ସେହି ଅଭାଗା ଚାରୋଟିଙ୍କୁ ଆମକୁ ଅଡ଼େଇ ଅଡ଼େଇ ଆଗେଇଲେ ସେମାନେ । ଦେଶଦ୍ରୋହୀ ବିଶ୍ଵାସଘାତକର ତୋଟି ଚିପି ମାରିବାରେ ଯେଉଁ ପ୍ଲେଟୁନ୍ କମାଣ୍ଡର ମତେ ସାହାଯ୍ୟ କରିଥିଲେ, ସେହି କମାଣ୍ଡର ମୋର ଡାହାଣ କରେ କରେ ଯାଉଥାନ୍ତି ପୋଜ୍‍ନାନ୍ ଯାଏ । ଯାତ୍ରାର ଆରମ୍ଭ ଦିନରୁ ସେ ପ୍ରାୟ ସଦାବେଳେ ମୋ ଦେହକୁ ଲାଗି ଲାଗି ଚାଲୁଥାନ୍ତି । ଆମେ ଧାଉଁଥିବା ବେଳେ ଚାପି ଦେଉଥାନ୍ତି ମୋ ହାତଟିକୁ, କିନ୍ତୁ ପୋଜ୍‍ନାନ୍‍ଠାରେ ଆମେ ଦୁହେଁ ଅଲଗା ହୋଇଗଲୁ ପରସ୍ପରଠୁ–ଘଟନାଟି ଘଟିଲା ଏମିତି ।

 

“ବନ୍ଦୀ ହେଲା ଦିନରୁ ବୁଝିଲ ଭାଇ, ଖସି ପଳାଇବାର ବାଟ ଖୋଜୁଥାଏ–ମନେମନେ ଉପାୟ ପାଞ୍ଚୁଥାଏ ମୁଁ । କିନ୍ତୁ ସେଥି ସମ୍ପର୍କରେ ତ ଆଗ ନିଶ୍ଚିତ ହେବା ଉଚିତ..... । ନାଜିମାନେ ଆମକୁ ପୋଜନାନ୍‍କୁ ନେଇ ପୂରା ଦସ୍ତୁର ବନ୍ଦୀଶିବିରରେ ପୂରାଇବା ଯାଏଁ ବାଟଘାଟରେ କେଉଁଠି ଠିକ୍ ସୁଯୋଗ ପାଇଲି ନାହିଁ । ପୋଜନାନ୍ ବନ୍ଦୀଶିବିରରେ ଦିଶିଲା ଆକାଂକ୍ଷିତ ସୁଯୋଗଟା ମିଳିଯିବ ଆମକୁ । ମେ ମାସ ଶେଷ ହୋଇ ଆସୁଥାଏ । ସେମାନେ ଆମକୁ ବନ୍ଦୀଶିବିରର ନିକଟରେ ଥିବା ଗୋଟିଏ ବୁଦୁବୁଦୁକିଆ ଜଙ୍ଗଲକୁ ପଠାଇ ଦେଲେ ମୃତ ବନ୍ଦୀଗୁଡ଼ିକ ଲାଗି କବର ଖୋଳିବା ପାଇଁ । ସେତେବେଳେ ଆମ ଭିତରୁ ଅନେକେ ରକ୍ତାମାଶୟ ଭୋଗି ମରୁଥାନ୍ତି । ଦିନେ ମୁଁ ପୋଜନାନରେ ମାଟି ଖୋଲିବାରେ ଲାଗିଥାଏ, ଏଣିକି ତେଣିକି ଚାହୁଁଥାଏ, ଚାରିଆଡ଼େ ନଜର ପକାଉଥାଏ । ଦେଖିଲି ନାଜି ପ୍ରହରୀ ସୈନିକଙ୍କ ଭିତରୁ ଦୁଇ ଜଣ ରୁଟି ଖାଇବାକୁ ବସିଲେ, ତୃତୀୟ ଜଣକ ଢୋଳାଉଥାଏ ଖରାରେ, କୋଦାଳଟି ପକାଇ ଦେଇ ଧୀରେ ଧୀରେ ବୁଦା ପଛକୁ ଖସିଗଲା । ତା’ପରେ ଦେ ଦୌଡ଼, ମୁହଁସଳଖା ସିଧା ସିଧା ଯେଉଁ ଆଡ଼ୁ ସୂର୍ଯ୍ୟ ଉଇଁ ଆସୁଥାଏ…..

 

ଦେଖିପାରି ନଥିବେ, ଜାଣିପାରି ନଥିବେ ସଙ୍ଗେ ସଙ୍ଗେ ପ୍ରହରୀଗୁଡ଼ାକ । ମୋର ହାଡ଼ ଚର୍ମ ଦୋହଲୁଥାଏ । ସେତେବେଳେ ଯେ କେଉଁଠୁ କି ବଳ ଆସିଲା ଦେହରେ, କେମିତି ଯେ ଦିନକ ମଧ୍ୟରେ ପାର ହୋଇଗଲି ଚାଳିଶ କିଲୋମିଟର, ଆଜି ବି ଭାବିପାରୁ ନାହିଁ ମୁଁ ! ହେଲେ କ’ଣ ହେବ, କିନ୍ତୁ ସବୁ ପଣ୍ଡ ହୋଇଗଲା । ଚତୁର୍ଥ ଦିନ ବେଳକୁ ମୁଁ ସେଇ ନାରକୀୟ ବନ୍ଦୀ ଶିବିରରୁ ଅନେକ ଦୂର ଚାଲି ଯାଇଥାଏ, ଧରି ପକେଇଲେ ମତେ । ବ୍ଲାଡ୍‍ହାଉଣ୍ଡ ଜାତୀୟ ଶିକାରୀ କୁକୁରଗୁଡ଼ାକୁ ମୋ ପଛେ ପଛେ ଲଗାଇ ଦଉଡ଼ାଇ ଦେଇଥିଲେ ସେମାନେ । ସେ କୁକୁର ପଲକ ମତେ ହାବୁଡ଼ି ଗଲେ ଗୋଟାଏ ପାଚିଲା ଯଅ କ୍ଷେତରେ ।

 

ଦଉଡ଼ୁ ଦଉଡ଼ୁ ସେ ଦିନ ଗୋଟିଏ ଗହୀର ମଝିରେ ଭୋର କେତେବେଳେ ହୋଇ ଯାଇଥାଏ । ଦିନ ଆଲୁଅରେ ଗହୀରଟା ଟପିବି କେମିତି ଭୟ ହେଉଥାଏ, ଆଉ ଥୋଡ଼ାଏ ପ୍ରାୟ ତିନଟି କିଲୋମିଟର ଗଲେ ଜଙ୍ଗଲ । ଦିନ ତମାମ ଯଅ କିଆରୀରେ ପେଟେଇ କରି ପଡ଼ି ରହିବି ବୋଲି ଠିକ୍‍ କରିନେଲି । ପାଚିଲା ଯଅ କେଣ୍ଡା ହାତରେ ମକଚୁଥାଏ ସେଗୁଡ଼ିକ ଭବିଷ୍ୟତର ଆହାର ପାଇଁ ପୂରାଉ ଥାଏ ପକେଟରେ । ଶୁଣିଲି ଭୁକିଉଠିଲେ କୁକୁରଗୁଡ଼ାକ । କେଉଁଠି ମଟର ସାଇକଲଟାଏ ଗର୍ଜନ ଛାଡ଼ିଲା । ସେତେବେଳକୁ ଛାତିର ଦୁକ୍ ଦୁକ୍ ହଜିଗଲା ଗୋଟାଏ ମୁହୂର୍ତ୍ତକ ପାଇଁ । କୁକୁରରାଡ଼ାକ ଖେଦି ଆସୁଥାନ୍ତି । ମୁହଁମାଡ଼ି ଶୋଇପଡ଼ିଲି ପେଟେଇ କରି । ହାତ ଦୁଇଟି ସନ୍ଧିରେ ଘୋଡ଼େଇ ଦେଲି ମୁହଁକୁ । ଜନ୍ତୁଗୁଡ଼ାକ ଅନ୍ତତଃ ମୁହଁଟାକୁ କାମୁଡ଼ି ଖଣ୍ଡିଆ ଖାବରା କରି ନ ପକାନ୍ତୁ । ଏଃ, ଧାଇଁଆସିଲେ ସବୁ, ଦେହର କନାକବଟା ଦି’ ଖଣ୍ଡକୁ ଭିଣ୍‍ଭିଣା କରି ଦେବାକୁ ମିନିଟିଏ ଲାଗିଲା ନାହିଁ । ମା’ ପେଟରୁ ଯାହା ଘେନି ଜନ୍ମ ହୋଇଥିଲ ଅର୍ଥାତ୍ ମୋ ଦେହଟି ଛଡ଼ା ଆଉ ଟିକିଏ ହେଲେ କିଛି ମୋର ହୋଇ ରହିଥାନ୍ତା ଭଲା ! ଯଅ କିଆରୀରେ ଭିଡ଼ି ଓଟାରି ଝିଙ୍କି ଝାଙ୍କି ଗଡ଼େଇ ତଡ଼େଇ ପକେଇଲେ । ଶେଷରେ ଗୋଟିଏ ମସ୍ତ ବଡ଼ କୁକୁର ନିଧଡ଼କ ମନରେ ତା’ର ଆଗ ଗୋଡ଼ ଅଣି ମୋ ଛାତି ଉପରେ ଲଦିଦେଲା । ଜିଭ ଲହ ଲହ କରି ମୋ ଗଳା ଉପରେ ମୁହଁ ବୁଲାଇ କାମୁଡ଼ିଲା ନାହିଁ କିନ୍ତୁ ଉହୁଙ୍କିଲା । ମୋଟର ସାଇକଲରେ ଦୁଇଜଣ ଜର୍ମାନ ପହଞ୍ଚି ଗଲେ । ଆଖିବୁଜା କୁନ୍ଦିଲେ ନିର୍ଧୂମ । ତା’ପରେ କୁକୁରଙ୍କୁ ଛାଡ଼ି ଦେଲେ ମୋ ଉପରକୁ । ଦେହରୁ ପୁଳାକୁ ପୁଳା ମାଉଁସ ବାହାରି ପଡ଼ିଲା । ଉଲଗ୍ନ, ରକ୍ତାକ୍ତ ମୁଁ । ଜର୍ମାନ ଦିହେଁ ମତେ ଭିଡ଼ି ଭିଡ଼ି ନେଇଗଲେ ବନ୍ଦୀଶିବିରକୁ । ଖସି ପଳାଉଥିଲି, ପୁରୁସ୍କାର ପାଇଲି ବେଶ୍ । ମାସଟିଏ ନିର୍ଜନ କାରାବାସ । କିନ୍ତୁ ବଞ୍ଚିଲି ମୁଁ.....ବଞ୍ଚିଗଲି କୌଣସିମତେ–

 

ବନ୍ଦୀ ଜୀବନରେ ଯାହାସବୁ ଭୋଗିଚି ଭୟଙ୍କର ସେ ସବୁ ଭାଇ, ମନେପଡ଼ିଗଲେ ହୃଦୟ ମନ୍ଥି ହୋଇଯାଏ । ତମକୁ ସେ ସବୁ କହିବା ତ ଆହୁରି ଦୂରର କଥା ! କ’ଣ ବା କହିବି ? ଜର୍ମାନୀରେ ଆମକୁ କି ଅମାନୁଷିକ, କି ବର୍ବର ଅତ୍ୟାଚାର, କି ଦାରୁଣ ଯନ୍ତ୍ରଣା, କି ଉତ୍କଟ ନିର୍ଯ୍ୟାତନା ସହ୍ୟ କରିବାକୁ ପଡ଼ିନି ! ଜର୍ମାନୀର ବନ୍ଦୀଶିବିରରେ କେତେ ବନ୍ଧୁ, କେତେ ସାଥୀ, କେତେ ସହକର୍ମୀଙ୍କୁ ମୋର କି ଅକଥ୍ୟ ଅତ୍ୟାଚାରରେ ଦଳି ଦିଆଯାଇନି । ଭାଇ ସେଇ ଦୂରନ୍ତ ଦୁଃଖର, ସେଇ ଦୁଃସହ ଯନ୍ତ୍ରଣାର କାହାଣୀ କି ଦୃଶ୍ୟ ମନେପଡ଼ିଗଲେ ହୃଦ୍‍ଯନ୍ତ୍ରଟା ଯେମିତି ବାହାରି ପଡ଼େ, ଲାଖିଯାଏ ଆସି ଗଳାଗହ୍ଵରେ କେଉଁଠି ରୁନ୍ଧି ହୋଇଯାଏ ନିଃଶ୍ଵାସଟା ।

 

ସେଇ ଦୁଇଟା ବର୍ଷ, ଭାଇ ! ଯେଉଁ ଦୁଇଟା ବର୍ଷ କଟେଇଥିଲି ବନ୍ଦୀ ଭାବରେ ଆମକୁ ଯେମିତି ପଶୁଖୁଆଡ଼ରେ, ପଶୁଯନ୍ତାରେ ଭର୍ତ୍ତିକରି ରଖିଥିଲେ ସେମାନେ । ମୋର ଧାରଣା ବନ୍ଦୀଶିବିରରୁ ବନ୍ଦୀଶିବିରକୁ ଟଣା ହୋଇ ହୋଇ ମୁଁ ଜର୍ମାନୀର ଅଧେ ଅଞ୍ଚଳ ବୁଲିଥିବି ଅନ୍ତତଃ । ସାସ୍କଲିରେ ଥିଲି ଗୋଟିଏ ସିଲିକେଟ କାରଖାନାରେ । ରୁର୍‍-ରେ ଥିଲି କୋଇଲା ଖଣିରୁ ଉଠାଉଥିଲି କୋଇଲା । ବାଭେରିଆରେ ଝାଳ ନାଳ ହୋଇ କେତେ ମାଟି ଖୋଳିନି ବା କୋଦାଳରେ । କିଛି ଦିନ କଟି ଯାଇଥିଲା ଥୁରିନଜେନରେ ପୁଣି । ଯମ ହିଁ ଜାଣେ ଜର୍ମାନୀର କେଉଁ ଅଞ୍ଚଳରେ ପାଦ ପଡ଼ିନଥିଲା ମୋର ! ଜର୍ମାନୀର ପ୍ରାକୃତିକ ଦୃଶ୍ୟରେ ବୈଚିତ୍ର୍ୟର ଅଭାବ ନାହିଁ । କିନ୍ତୁ ଆମର ଲୋକଙ୍କୁ ଯେପରି ସଙ୍ଗିନ ମୁନରେ ଭୁଷି, ବନ୍ଧୁକରେ ଖୋବି, ଗୁଳିର ଚୋଟରେ ମାରୁଥିଲେ ସେମାନେ, ସମୁଦାୟ ଜର୍ମାନୀରେ ସେ ଦୃଶ୍ୟ ସମାନ ଓ ଏକ । ସେହି ହୀନ, ଜଘନ୍ୟ ଓ ଅଭିଶପ୍ତ ସରୀସୃପଗୁଡ଼ାକ ସେଇ ପରାଙ୍ଗପୁଷ୍ଟଗୁଡ଼ାକ ଆମକୁ ଯେଉଁ ପୈଶାଚିକ ମାଡ଼ ଚଢ଼ାଇଛନ୍ତି, ପିଟି ପିଟି ମୃତ୍ୟୁମୁହଁକୁ ଠେଲି ଦେଇଛନ୍ତି, ସେପରି ମାଡ଼, ସେପରି ଯନ୍ତ୍ରଣା କେହି କେବେ କୌଣସି ଜନ୍ତୁକୁ ଦେଇ ନାହିଁ କି ଦେବ ନାହିଁ । ଖାଲି ବିଧା, ଖୁନ୍ଦା, ଗୋଇଠା, ଚାପୁଡ଼ାରେ ଅସ୍ତବ୍ୟସ୍ତ କରି ନୁହେଁ, ରବର-ମୃଦ୍‍ଗରରେ ପିଟି ପିଟି ଆମକୁ ସାବାଡ୍ କରିଛନ୍ତି ସେମାନେ । ହାତପାଆନ୍ତିରେ ଯେକୌଣସି ଲୁହାରଜିନିଷ ଦେଖିଛନ୍ତି ସେଥିରେ ନିର୍ମମ ଭାବରେ ଛେଚିଛନ୍ତି ସେମାନେ ! ବନ୍ଧୁକର ଡିହ କି ବେତ ବାଉଁଶର ପ୍ରହାର କଥା ପଚାରୁଛି କିଏ ?

 

ସେମାନେ ତୁମକୁ ମାରିଛନ୍ତି–ତୁମର ଦୋଷ, ରୁଷର ଲୋକ ତୁମେ, ତୁମର ଅପରାଧ ଏବେ ମଧ୍ୟ ବଞ୍ଚି ରହିଚ ତୁମେ ପୃଥିବୀରେ; ତୁମର ପାପ, ତାଙ୍କରି ପାଇଁ ଖଟିଚ ତୁମେ ପ୍ରାଣପଣେ ଖଟିଚ ! ତାଙ୍କ ଆଡ଼କୁ ଭୁଲକ୍ରମେ ଭୁଲଭାବରେ ଚାହିଁଦେଲ ତୁମେ, ଯାଉଁ ଯାଉଁ ଭୁଲ ଭାବରେ ପାଦ ପଡ଼ିଲା ତୁମର, ଚାହାନ୍ତି ଯେମିତି ସେମାନେ, ସିମିତି ବାଗରେ ବୁଲିପଡ଼ିଲ ନାହିଁ, ମୋଡ଼ ଧରିଲ ନାହିଁ ତୁମେ, ଏଥିଲାଗି ସବୁ ସେ କି ପ୍ରହାର ନଖାଇଚ ବା ? ପିଟିଲେ ସେମାନେ, ପିଟି ଲାଗିଲେ ତୁମକୁ, ପିଟି ପିଟି ଦିନେ ଯେମିତି ପ୍ରାଣ ଖସେଇ ଦେବେ ଶରୀରରୁ ! ନିଜର ରକ୍ତରେ ନିଜେ ଅଣନିଃଶ୍ୱାସୀ ହୋଇ ରୁନ୍ଧି ହେବ ତୁମେ, ଖତମ୍ ପାଇବ ପ୍ରହାରରେ ! ସମଗ୍ର ଜର୍ମାନୀରେ ମନେହୁଏ ଯଥେଷ୍ଟ ଚୁଲି ନ ଥିଲା, ଯଥେଷ୍ଟ ଜୁଇଗାଡ଼ ନଥିଲା ଯେମିତି ! ସମସ୍ତଙ୍କୁ ଆମକୁ ଫିଙ୍ଗାଯିବା ପାଇଁ ସେଥିରେ–ନାଃ, ନଥିଲା ଯେମିତି–ସେମାନେ ଚାହିଁଲେ ଯେମିତି, ସେମିତି ବାଗରେ ବୁଲିପଡ଼ିଲ ନାହିଁ ତୁମେ–ଏଥିଲାଗି ସବୁ କି ଛେଚଣ ନ ଖାଇଚ ବା ?

 

ଯେଉଁଠିକି ଯାଇଛୁ, ସମାନ ଏକ ରକମର ଖାଦ୍ୟ ଦେଉଥାନ୍ତି ସେମାନେ । ଦେଢ଼ଶ ଗ୍ରାମ ଓଜନର କରତ ଗୁଣ୍ଡ ମିଶା ଏରସାଜ ରୁଟି ଆଉ ପଲଗମ ସିଝାର ଝୋଳ । କେତକ ଜାଗାରେ ପିଇବାକୁ ଦେଉଥାନ୍ତି ଗରମ ପାଣି । କେତେଠି ବି ଥଣ୍ଡା ପାଣି ମୁନ୍ଦାଏ ଆମକୁ ଦେଉନଥାନ୍ତି । ଛାଡ଼, ସେ ସବୁ ଗପି ଲାଭ କ’ଣ ? ନିଜେ ବିଚାର କରି ଦେଖ ଯୁଦ୍ଧ ଆଗରୁ ମୋର ଓଜନ ଥିଲା ଛୟାଅଶୀ କିଲୋଗ୍ରାମ ଶରତ୍‍କାଳକୁ ପଚାଶ କିଲୋଗ୍ରାମରେ ରହିଲା କି ନାହିଁ । ରହିଲା ଖାଲି ଚମ ଆଉ ହାଡ଼ଗୁଡ଼ିଏ । ହାଡ଼ଗୁଡ଼ିକୁ ବୋହିବା ପାଇଁ ବଳ ବି ରହିଲା ନାହିଁ ଦେହରେ-। ସେଥିରେ ବି କାମ କରିବାକୁ ଦେଉଥାଏ ତୁମକୁ-। ଉଁ ଚୁ ନ ହୋଇ ଖଟିବାକୁ ପଡ଼ୁଥାଏ ତୁମକୁ । ଆଉ ଯେଉଁ କାମ କରୁଥାଉଁ ଆମେ ବେଳେବେଳେ ତାହା ଗାଡ଼ିଟଣା ଘୋଡ଼ାକୁ ବି ବଳେଇ ପଡ଼ୁଥାଆନ୍ତା ଭାବୁଚି ।

 

ସେପ୍ଟେମ୍ବର ଆରମ୍ଭରେ ସେମାନେ ସୋଭିଏତ ଯୁଦ୍ଧବନ୍ଦୀଙ୍କ ଭିତରୁ ଶହେ ବୟାଳିଶ ଜଣଙ୍କୁ କୃଷ୍ଟିନ୍ ପାଖର ଗୋଟିଏ ବନ୍ଦୀଶିବିରରୁ ଚାଲାଣ କରିଦେଲେ ଡ୍ରେସଡେନ୍‍ଠୁ ବେଶି ଦୂରରେ ନୁହେଁ, ଆଉ ଗୋଟିଏ ବନ୍ଦୀଶିବିର ଖ-୧୪କୁ । ସେତେବେଳେ ସେହି ବନ୍ଦୀଶିବିରରେ ମୋଟ ବନ୍ଦୀଙ୍କ ସଂଖ୍ୟା ଥାଏ ପ୍ରାୟ ଦି’ ହଜାର । ଆମକୁ କାମ କରିବାକୁ ହେଲା ଗୋଟାଏ ପଥର ଖଣିରେ, ହତିଆର ନ ଥାଏ, ଖାଲି ହାତରେ ପଥର କାଟିବା ଓ ପଥର ଭାଙ୍ଗିବାରେ ଖଟିବାକୁ ପଡ଼ିଲା ଦିନ ତମାମ ! ଧାର୍ଯ୍ୟ ହୋଇଥାଏ ଚାରିଟି ଘନମିଟର ମାପର ପଥର କାଟିବାକୁ ହେବ, ଗୁଣ୍ଡା କରିବାକୁ ହେବ, ପ୍ରତ୍ୟେକ ଦିନ ଯେମିତି ହେଉ–ଧାର୍ଯ୍ୟ ହୋଇଥାଏ ତାଙ୍କର ପାଇଁ ପୁଣି ଯାହାଙ୍କର କଣ୍ଟା ଦୋହଲୁଥାଏ ପ୍ରାଣ ନ ଥାଏ ପିଣ୍ଡରେ । ସେଥିରେ ଯାହା ହେବାର କଥା ତାହା ହିଁ ଆରମ୍ଭ ହୋଇଗଲା ପ୍ରକୃତରେ । ଦି’ମାସରେ ଆମ ଦଳର ଶହେ ବାୟାଳିଶ ଜଣଙ୍କ ଭିତରେ କୌଣସିମତେ କେବଳ ବର୍ତ୍ତିଗଲେ ବଞ୍ଚି ରହିଲେ ସତାବନ ଜଣ । କେମିତି ଲାଗୁଚି କଥାଟା ଦୋସ୍ତ-? ଖୁବ୍ ଶକ୍ତ, ନାଇଁ ? ସଙ୍ଗୀମାନଙ୍କୁ କବରଦେବା ଲାଗି ଆମକୁ ସମୟ ମିଳୁ ନଥାଏ କହିଲେ ଚଳେ । ସେଥିରେ ପୁଣି ସେତିକିବେଳେକୁ ରାଷ୍ଟ୍ର ହୋଇଗଲା ଶିବିରରେ ଜର୍ମାନ୍‍ମାନେ ଷ୍ଟାଲନ୍‍ଗ୍ରାଦ୍ ଦଖଲ କରି ଗଲେଣି, ଚାପ ପକେଇଲେଣି, ଚଢ଼ାଉ କଲେଣି ସାଇବେରିଆ ଉପରେ-। ଗୋଟାକ ପରେ ଗୋଟାଏ ଦୁଃଖ ମାଡ଼ିଆସିଲା । ଆମକୁ ଦାବି ଦାବି ଦେଲା, ଲୋଟେଇ ଦେଲା ତଳେ ଯେମିତି–ବିମୂଢ଼ କରି ପକାଇଲା ପୂରାପୂରି । ଭୂଇଁ ଉପରୁ ମୁଣ୍ଡଟେକି ଅନେଇ ପାରୁ ନଥାଉଁ, ମନେମନେ ଲୋଡ଼ି ହେଉଥାଉଁ ସମସ୍ତେ ଆଃ, ଏଇ ଭୂଇଁରେ ମିଶି ଯାଆନ୍ତୁ କି, ଏଇ ଜର୍ମାନ ଭୂଇଁରେ କବର ପାଇ ଯାଆନ୍ତୁ କି ? ପ୍ରତ୍ୟେକ ଦିନ ତେଣେ ବନ୍ଦୀଶାଳାର ପ୍ରହରୀମାନେ ମଦ ପିଇ ଚିତ୍କାର କରି ଘାଗଡ଼ା ଗଳାରେ ଗୀତ ଗାଇ ଗାଇ ଆନନ୍ଦରେ ମତୁଆଳ ହୋଇ ଉଠୁଥାନ୍ତି–ନିଜ ନିଜର ଗୁଣ ଅନୁରୂପରେ ମାତି ଯାଉଥାନ୍ତି ମଜ୍ଜି ଯାଇଥାନ୍ତି ଉତ୍ସବରେ !

 

ଥରେ ସଞ୍ଜ ବୁଡ଼ି ଆସିଥାଏ, ଓଦା ସର ସର ହୋଇ କାମରୁ ବାହୁଡ଼ୁଥାଉଁ କୁଡ଼ିଆକୁ । ଅନବରତ ବର୍ଷା ଚାଲିଥାଏ ସେଦିନ । କୁତୁକୁତା ବିରା କନ୍ଥାରୁ ଆମର ପାଣି ନିଗିଡ଼ି ପଡ଼ୁଥାଏ ଟପ୍ ଟପ୍ ହୋଇ । ହେମାଳିଆ କାଲୁଆ ପବନରେ ମଞ୍ଜ କମ୍ପି ଉଠୁଥାଏ । ରୋକି ହେଉ ନଥାଏ ଆଦୌ-। ଦାନ୍ତଗୁଡ଼ାକ ବାଜୁଥାଏ ଠକ୍ ଠକ୍ । କେଉଁଠି ଟିକେ ମୁଣ୍ଡ ଗୁଞ୍ଜିବୁ, ଉଷୁମ ଟାଣିବୁ, କେଉଁଠି ବା ଟିକେ ଭିଜା ଦେହକୁ ଶୁଖେଇବୁ ! ଭୋକଟା ଘୋଟିଆସି ଯାଇଥାଏ ମୃତ୍ୟୁ ପରି ଅତି ଖରାପ ମଲାଗଲା ଅବସ୍ଥା ସେତେବେଳେ ! ସେଥିରେ ପୁଣି ରାତିରେ ଆମକୁ କିଛି ଖାଇବାକୁ ଦିଆଯାଉ ନ ଥାଏ କେବେହେଲେ ।

 

ଓଦା କନ୍ଥାକୁ ଦେହରୁ କାଢ଼ିପକାଇ ଶୋଇବା ଭାଡ଼ି ଉପରକୁ ପିଙ୍ଗି ଦେଲି, ଚ୍ଛାଆଁକୁଚ୍ଛାଆଁ କହିଉଠିଲି, “ଚାହାନ୍ତି ସେମାନେ ପ୍ରତ୍ୟେକ ଦିନ ଚାରିଘନମିଟର ଖୋଳ ତୁମର ! କିନ୍ତୁ ଗୋଟାଏ ଘନମିଟର ମାଟି ତ ଯଥେଷ୍ଟ ବେଶି ହେବ ଆମ ଭିତରୁ ଜଣକ କବର ଦେବା ପାଇଁ-।” ବିଶ୍ୱାସ କରିବ ତ ଏତିକି ମାତ୍ର ବାହାରି ପଡ଼ିଥାଏ ମୋ ପାଟିରୁ ! ଆମ ଭିତରେ କେଉଁଠି ଗୋଟିଏ କୁତ୍ସିତ କୁତ୍ତା ଥିଲା, ବନ୍ଦୀଶିବିରର କମାଣ୍ଡାଣ୍ଟ ବା ଅଧ୍ୟକ୍ଷ ଜେଲର୍‍ର କାନରେ ଯାଇ ଫୋଡ଼ିଦେଲା ମୋର ଏଇ ତୀବ୍ର ବିରକ୍ତିଆ ମନ୍ତବ୍ୟଟାକୁ ।

 

ଶିବରର (କମାଣ୍ଡାଣ୍ଟ) ଅଧ୍ୟକ୍ଷଟା ଥିଲା ଜର୍ମାନ । ତାକୁ ଡାକୁଥାନ୍ତି ମଲର ବୋଲି । ଜର୍ମାନ ଭାଷାରେ ଅଧ୍ୟକ୍ଷଟା ହେଉଛି ‘ଲେଜର ଫ୍ୟୁରର’ । ଲୋକଟା ବେଶି ଡେଙ୍ଗା ନୁହେଁ, କୁନ୍ଦିଲା ଭଳି ଦେହ । ବାଳଗୁଡ଼ାକ ଫିକା ଫିକା, ଛଣପଟ ରଙ୍ଗର ଖସଖସିଆ । ଗୋଟାକ ଯାକ ମଣିଷ ଯେମିତି ଧୋବା ଘରେ ପଡ଼ି ଧୁଲେଇ ହୋଇଥାଏ ! ତା’ର ଭୂରୁରେ ଏମିତି କି ଆଖିରେ କେବେ କେଉଁ ରଙ୍ଗ ଥିଲା ଛାଡ଼ି ଛାଡ଼ି ଆସିଥାଏ ସେତେବେଳକୁ, ଡୋଳା ଦି’ଟା ଆଖି ଭିତରୁ ବାହାରି ପଡ଼ୁଥାଏ ଆପେ ଆପେ ସବୁବେଳେ । ତମ ମୋ ଭଳି ରୁଷ ଭାଷାରେ କହୁଥାଏ ସେ । ଏମିତି କି କହିବା ଭଙ୍ଗୀରେ ତା’ର ଭଲଗା ଅଞ୍ଚଳୀୟ ଉଚ୍ଚାରଣର ପ୍ରଭାବ ବା ଜୋରଥାଏ ବି ସତେ ଯେମିତି ତା’ର ଜନ୍ମ ହୋଇଥାଏ ଆଉ ବଢ଼ିଥାଏ ସେ ସେହି (ଭଳଗା) ଅଞ୍ଚଳରେ । ଇଃ, କେମିତି ଗାଳିଗୁଲଜ କରୁଥାଏ ସେ–ଶୋଧାଶୋଧିରେ ଓସ୍ତାଦ୍‍ଟା । ମସ୍ତ ଏକ ଆତଙ୍କ ହୋଇଥାଏ ସେଥିପାଇଁ, ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ ସତେ ! ଜାରଜଟା ସେଭଳି ଶୋଧାଶୋଧି ବ୍ୟବସାୟଟା କେଉଠୁ ଶିଖିଥିଲା କେଜାଣି ? ବନ୍ଦୀ ଶୀବିରର କୁଡ଼ିଆ ସାମ୍ନାରେ ସେ ଧାଡ଼ି କରି ଛଡ଼ା କରେଇ ଦିଏ ଆମକୁ–ନାଜି ସୈନିକଗୁଡ଼ାକର ଘରଭିତରେ ରହି ଡାହାଣ ହାତଟାକୁ ଭାଙ୍ଗି ପିଠି ପଟେ ରଖି ଧାଡ଼ିର ଏମୁଣ୍ଡଠୁ ସେମୁଣ୍ଡ ଦି’ ଚାର ଘେରା ଯାଆଆସ କରେ ତମ୍ ତମ୍ ହୋଇ I ହାତରେ ଥାଏ ଚମଡ଼ାର ଦସ୍ତାନା ଆଉ ଆଙ୍ଗୁଠିଗୁଡ଼ିକରେ ଅଞ୍ଚନ ଲାଗିବ ଯେମିତି, ସେଥିଲାଗି ସୀସାର ସ୍ତରଟିଏ ଥାଏ ଚମଡ଼ା ଦସ୍ତାନାର ତଳେ ତଳେ ଠିକ୍ । ଧାଡ଼ିର ସାମନାରେ ବର୍ବରଟା ଦମ୍ ଦମ୍ ହୋଇ ଚାଲେ, ପ୍ରତ୍ୟେକ ଲୋକର ନାକରେ ଦି’ ଚାରି ନେଡ଼ା ପକାଇ ବିଧା ମାରି ନାକଦଣ୍ଡା ଫଟାଇ ରକ୍ତାକ୍ତ କରେ ସମସ୍ତଙ୍କର “ଥଣ୍ଡା ଧରିବାର, ଫ୍ଲୁର ପ୍ରତିଷେଧକ ଓ ପ୍ରତିକାର ଏ ଇଞ୍ଜେକ୍‍ସନ୍‍” ଏ ନାକଦଣ୍ଡା ଫଟାଇବା ଚିତ୍କାର କରି ଜଣାଇ ଦିଏ ପୁଣି ।

 

ଏହା ଦିନ ଅଧକର ରୀତି ନୁହେଁ, ପ୍ରତ୍ୟେକ ଦିନର ପ୍ରଥା, ପ୍ରତ୍ୟେକ ଦିନ ଚାଲୁଥାଏ ! ବନ୍ଦୀ ଶିବିରର ଚାରିଟା ବ୍ଲକ, ଚାରିଟା ବିଭାଗ ବା ବାରକଶ୍ରେଣୀ । ପ୍ରଥମଦିନ ଗୋଟିଏ ବ୍ଲକପାଇଁ ପ୍ରତିଷେଧକ ବ୍ୟବସ୍ଥା ଥାଏ । ତା’ପରେ ଦ୍ୱିତୀୟ, ତୃତୀୟ ଚତୁର୍ଥର ପାଳି ପଡ଼େ ଅନୁକ୍ରମରେ । ବଦମାସ୍ ସେ, ଜାରଜ ସେ । ଦିନେ ହେଲେ କେବେ ଛୁଟି ନେଇନି । ନିର୍ଧୂମ ବୋକାଟା, ସୟତାନଟା, କେବଳ ଗୋଟିଏ କଥା ବୁଝିପାରେ ନାହିଁ–ନାକଦଣ୍ଡ ଫଟାଇବାକୁ ବିଧା ଉଞ୍ଚାଇବା ଆଗରୁ ସେ ବନ୍ଦୀର ସାମନାରେ ଛିଡ଼ା ହୁଏ । ନିଜକୁ ଉତ୍ତେଜିତ କରିବା ପାଇଁ ଆରମ୍ଭ କରିଦିଏ ତା’ର ଚିତ୍କାର ଆଉ ଶୋଧନ । ପ୍ରାଣପଣେ ଶୋଧନ ବୃଷ୍ଟି କଲାବେଳେ, ବିଶ୍ୱାସ କରିବ ତ ଭାଇ ? ଆମକୁ ଖୁସି କରାଏ ସେ । କାରଣ ତା’ର ଉଚ୍ଚାରିତ ଶବ୍ଦଗୁଡ଼ିକ, ତା’ର କଥାଗୁଡ଼ିକ ଆମ ପ୍ରିୟତମ ଭାଷାର–ନିଃଶ୍ଵାସର ପବନପରି ଅନ୍ୟ ପାରିରୁ କାହିଁ ସୁଦୂର ରୁଷ୍‍ରୁ ବହିଆସେ ଯେମିତି । ସେ ଯଦି ଜାଣିଥାନ୍ତା ତା’ର ଗର୍ଜନ ତର୍ଜନ, ତା’ର ଶୋଧନ ସବୁ ଆମକୁ ତୃପ୍ତ କରୁଥାଏ, ଟିକେ ଆମୋଦ, ଟିକେ ଆନନ୍ଦ ଦେଉଥାଏ–ମୋର ଅନୁମାନ, ସେ କେବେହେଲେ ରୁଷ ଭାଷା ପ୍ରୟୋଗ କରି ନଥାନ୍ତା ନିଜର ଭାଷାରେ ହିଁ ଝଡ଼େଇ ହେଉଥାନ୍ତା ସେ । ତା’ର ଗାଳିଗୁଲଜ ଶୁଣି ମସ୍କୋର ଅଧିବାସୀ ମୋର ଜଣେ ବନ୍ଧୁ କେବଳ ରାଗରେ ଜଳି ଉଠୁଥାଏ ତା’ ଉପରେ । କହୁଥାଏ ଆମକୁ “ବର୍ବରଟା ଯେତେବେଳେ ଶୋଧିବାରେ ଲାଗେ, ସେତେବେଳେ ଆଖି ବୁଜି ଦିଏ ମୁଁ, ଭାବେ ମସ୍କୋରେ ଅଛି, ସେଠି କେଉଁଠି କେଉଁ ବିଅରଶାଳାରେ କୁତ୍ସିତ ଗାଳି ଶୁଣୁଛି । ଆଉ ଏମିତି ଭାବିଲାବେଳେ ଗିଲାସେ ବିଅର ପିଇବା ପାଇଁ ପାଗଳ ହୋଇଉଠ ।”

 

ବୁଝିଲ, ଯେଉଁଦିନ ଘନମିଟର ମାଟିଖୋଳା ସମ୍ପର୍କରେ କହିଥାଏ, ତା’ର ପରଦିନ ଠିକ୍ ଶିବିରଅଧ୍ୟକ୍ଷ ମତେ ନେଇ ପକେଇଦେଲା ହେଁସରେ । ସଞ୍ଜବେଳକୁ ଜଣେ ଦୋଭାଷୀ ଆଉ ଦିଇଟା ପ୍ରହରୀ ଆସି ହାଜର ହୋଇଗଲେ କୁଡ଼ିଆରେ–ଡାକିଲେ, “ସୋକୋଲୋଭ ଆନ୍ଦ୍ରି !” ଉତ୍ତର ଦେଲି ମୁଁ । ବାହାରକୁ ଆ, ‘‘ଚାଲ ଶୀଘ୍ର (କ୍ଵିକ୍‍ମାର୍ଚ୍ଚ), ହର ଲେଜର ଫ୍ୟୁରର୍ ଦେଖିବାକୁ ଚାହାନ୍ତି ତତେ !” କାହିଁକି ଦେଖିବାକୁ ଚାହାନ୍ତି; ବେଶ୍ ଅନୁମାନ କରିନେଲି ମୁଁ । ସାଙ୍ଗ ସାଥିଙ୍କଠୁଁ ଶେଷ ବିଦାୟ ନେଲି ସେଥିପାଇଁ । ବୁଝିସାରିଥିଲେ ସେମାନେ ମୃତ୍ୟମୁହଁକୁ ଯାଉଥାଏ ମୁଁ ! ଦୀର୍ଘନିଃଶ୍ଵାସ ମାରି ପଛେ ପଛେ ଚାଲିଲି ପ୍ରହରୀଙ୍କର । ବନ୍ଦୀଶିବିରରେ ଅଗଣା ଟପି ଗଲାବେଳେ ତାରାଗୁଡ଼ିକୁ ଅନାଇ ବିଦାୟ ନେଲି ବି ସେମାନଙ୍କଠୁଁ । ମନେମନେ ଭାବିଲି, “ବେଶ୍ ଅତ୍ୟାଚାରର, ଯନ୍ତ୍ରଣାର ପାତ୍ର ତୋର ପୂର୍ଣ୍ଣ ହୋଇ ଆସିଲା । ଆନ୍ଦ୍ରି ସୋକୋଲୋଭରେ, ୩୩୧ ନମ୍ବର ! ଏଇ ଶେଷ ମାତ୍ରା ଶେଷଟୋପା ଏବେ ଖାଇବାକୁ ହେବ ତତେ । କାହିଁକି କେଜାଣି, ଇରିନା ଆଉ ପିଲାଗୁଡ଼ିକ ମନେପଡ଼ିଗଲେ, ହୃଦୟ ଭାରୀ ଭାରୀ ହୋଇଉଠିଲା । କିନ୍ତୁ ସେ ବିଷାଦରୁ ମୁକୁଳି ସାହସ ଧରିବାକୁ ଚେଷ୍ଟା କଲି, ତିଳେହେଲେ ଦବି ନଯାଇ, ତିଳେହେଲେ ଭାଙ୍ଗି ନପଡ଼ି, ଯେମିତି କି ପିସ୍ତଲ ନଳୀର ମୁହଁରେ ଛାତି ପତାଇ ପାରିବି ଠିକ୍ ସୈନ୍ୟୋଚିତ ଭାବରେ–ଶତ୍ରୁ ଦେଖିବ ନାହିଁ, ଜାଣିବ ନାହିଁ, ଶେଷମୁହୂର୍ତ୍ତରେ ଏହି ଜୀବନରୁ ବିଦାୟ ନେବା କେଡ଼େ କରୁଣ, କେଡ଼େ ନିଦାରୁଣ ହେବ, ମୋ’ପାଇଁ..... ।

 

“ଶିବିର ଅଧ୍ୟକ୍ଷର କୋଠରୀରେ ଝରକା ପିଣ୍ଡିରେ ଗୁଚ୍ଛକୁ ଗୁଚ୍ଛ ଫୁଲ ସଜା ହୋଇଥାଏ । ସୁନ୍ଦର ଶୋଭନ ପରିଷ୍କାର କୋଠରୀଟି ଝକ୍ ଖକ୍ କରୁଥାଏ, ଆମ ଦେଶର ଭଲ କ୍ଲବର କକ୍ଷ ଭଳି-। ଟେବୁଲ ପାଖରେ ଭୋଜନରେ ବସିଥାନ୍ତି ବନ୍ଦୀଶିବିରର ସବୁ ଅଫିସର । ପାଞ୍ଚଜଣ ଅଫିସର ଜର୍ମାନ ମଦ “ସ୍ନାପ୍” ଟୋପିଏ ଟୋପିଏ ପିଇ ବହଳିଆ (ବେକନ) ଶୂକର ମାଂସର ଚର୍ବି ଚୋବାଇବାରେ ଲାଗିଥାନ୍ତି । ଖୋଲା ହୋଇ ବିରାଟ ସ୍ନାପ୍ ବୋତଲଟାଏ, ରୁଟି, ଶୂକର ଚର୍ବି, ସେଓ, ଆଚାର ଓ ବିଭିନ୍ନ କିସମର ଟିଣରେ ଥିବା ରନ୍ଧା ମାଛ ମାଂସ ମେଲା ହୋଇ ଟେବୁଲ ଉପରେ ଥୁଆ ହୋଇଥାଏ । ସେଇ ଭୋଜ୍ୟ ଜିନିଷଗୁଡ଼ାକୁ ଥରେ ଅନେଇଁ ଦେଲାକ୍ଷଣି, ତମେ ବିଶ୍ୱାସ କରିବ ନାହିଁ–ମୋର ପେଟରୁ ଯେମିତି ଅଇ ଓକାର ଉଠିଆସିଲା । ବାନ୍ତି କରି ପକେଇଲି ପ୍ରାୟ । ଜାଣିଚ ତ ବାଘପରି ବୁଭୁକ୍ଷ ମୁଁ ସେତେବେଳେ । ମନୁଷ୍ୟର ଭୋଜ୍ୟ ପଦାର୍ଥ, ଆଉ ତା’ର ଆକାର ପ୍ରକାର କ’ଣ ପାସୋର ଯାଇଥାଏ ମନରୁ ! ଆଉ ମୋ ଆଗରେ ଏବେ ତର୍ବ୍ୟଚୋଷ୍ୟ ଲେହ୍ୟପେୟ ! କୌଣସିମତେ ଓକାରକୁ ଦବେଇ ଦେଲି । କିନ୍ତୁ ଟେବୁଲ ଉପରୁ ଦୃଷ୍ଟି ଫେରାଇ ନେବାକୁ ସତ କହୁଛି, ବହୁତ ଆୟାସ କରିବାକୁ ହେଲା ମତେ !

 

“ମୋ” ସାମନାରେ ବସିଥାଏ ‘ମୁଲର’ ଅଧାଅଧି ମାତାଲ । ପିସ୍ତଲଟାକୁ ଏ ହାତକୁ ସେ ହାତକୁ ଡିଆଁଇ ନଚାଉଥାଏ, ଖେଳୁଥାଏ ସେଥିରେ । ଆଉ ଆଖି ଯୋଡ଼ିକ ନିବଦ୍ଧ ରଖିଥାଏ ମୋ ଉପରେ–ସାପ ପରି । ମୁଁ ଯାଇ ସଳଖ ଭାବରେ ଛିଡ଼ାହେଲି “ଆଟେନୁଶନ” ହୋଇ । ମୋର ଦୁର୍ବଳ ଗୋଇଠି ହଳକୁ ଯୋଡ଼ିଦେଇ ବଡ଼ ପାଟି କରି ହାଜରା ଦେଇ କହିଲି–‘‘ମାନନୀୟ, କମାଣ୍ଡାଣ୍ଟ ! ଆପଣଙ୍କର ସେବକ ଯୁଦ୍ଧବନ୍ଦୀ ଆନ୍ଦ୍ରି ସୋକୋଲୋଭ ।’’ ସେ କହିଲା–‘‘କିରେ ! ରୁଷର ଇଭାନ ଚାରି ଘନମିଟରର ଖଣି ଖୋଳିବା ବେଶି ହୋଇଯାଉଚି ତୋ ପାଇଁ ! ନା ?’’ ଉତ୍ତର ଦେଲି–‘‘ହଁ ହଜୁର, ହର କମାଣ୍ଡାଣ୍ଟ ! ହେଉଚି ।’’

 

“ଗୋଟାଏ ଘନମିଟର ମାଟି ତୋ କବର ପାଇଁ ଯଥେଷ୍ଟ ତ !”

 

“ହଁ, ହର୍ କମାଣ୍ଡାଣ୍ଟ, ଯଥେଷ୍ଟ ! ସେଥିରୁ କିଛି ବଳିପାରେ ବରଂ !” ସେ ଉଠିପଡ଼ି କହିଲା–“ରଖ, ଆଜି ମୁଁ ତତେ ବିରାଟ ସମ୍ମାନ ଦେଖେଇବି ! ତୋର ଏହି କଥାପାଇଁ ନିଜ ହାତରେ ତତେ ଗୁଳିମାରି ଶେଷ କରିଦେବି ମୁଁ । ନା, ଏ ଜାଗାଟା ଅସନା ହୋଇଯିବ । ଅଗଣାକୁ ଚାଲ ସେଇଠି, ନିଶ୍ଚିହ୍ନ ହୋଇଯାଇପାରୁ ତୁ ।”

 

କହିଲି–“ଯେମିତି ଇଚ୍ଛା ଆପଣଙ୍କର !” ମିନିଟିଏ କାଳ ଛିଡ଼ା ହୋଇ ରହି କ’ଣ ଭାବିଲା-। ପିସ୍ତଲଟାକୁ ଟେବୁଲ ଉପରକୁ ଫିଙ୍ଗି ଦେଲା । ଗିଲାସରେ ‘ସ୍ନାପ୍’ ମଦ ଢାଳିଲା ପୂରାପୂରି ଟୁଳୁଟୁଳୁ କରି । ରୁଟି ଖଣ୍ଡେ ନେଇ ତା’ଉପରେ ଚବ ପୁଳାଏ ଥୋଇଲା । ସେ ସବୁ ମୋ ଆଡ଼କୁ ବଢ଼ାଇ ଦେଇ କହିଲା, ‘‘ମରିବା ଆଗରୁ ରୁଷର ଇଭାନ ! ଜର୍ମାନ ସାମରିକ ଶକ୍ତିର ବିଜୟରେ ପିଇ, ପିଇ ଏ ମଦତକ, ପିଇ ।”

 

ତା’ ହାତରୁ ରୁଟି ଆଉ ସ୍ନାପ୍ ସୁରାର ଗିଲାସଟା ନେବାକୁ ଯାଉଥିଲି । କିନ୍ତୁ ତା’ର କଥା ପଦକ ଶୁଣି ଅନ୍ତରଟା ଜଳି ଉଠିଲା । ରୁଷର ସୈନିକ ମୁଁ, ଭାବିଲି, ମୁଁ ପୁଣି ବିଜୟ କାମନା କରିବି ଜର୍ମାନ ସାମରିକ ଶକ୍ତିର ? ହର କମାଣ୍ଡାଣ୍ଟ ଏହାପରେ ଆଉ ଅଧିକ କ’ଣ ଚାହିଁବ ? ଜାହାନ୍ନାମକୁ ଯା ରେ ତୋର ସ୍ନାପ୍‍କୁ ନେଇ ଯା ରେ ।

 

ସୁରାର ଗିଲାସ ଆଉ ରୁଟିକୁ ଟେବୁଲ ଉପରେ ରଖିଦେଲି କହିଲି ଧନ୍ୟବାଦ ଆପଣଙ୍କୁ ଅତିଥେୟତା ପାଇଁ ମଦ ପିଏନା ମୁଁ । ସେ ହସିଦେଲା । ତେବେ ତୁ ଦେ ଆମ ବିଜୟରେ ମଦ ପିଇବାକୁ ଚାହୁଁନା ନାଇଁ ? ତାହାହେଲେ ତୋ ମୃତ୍ୟୁ କାମନା କରି ପିଇ । କ’ଣ ବା ହରାଇବାର ଥିଲା ମୋର । କହିଲି, “ମୋର ମୃତ୍ୟୁ ଆଉ ଯନ୍ତ୍ରଣାର ଅବସାନ ପାଇଁ ଆଉ ଯନ୍ତ୍ରଣାରୁ ନିଷ୍କୃତି ପାଇ ସଙ୍ଗେ ସଙ୍ଗେ ସୁରାର ଗିଲାସଟାକୁ ଉଠାଇ ଢକ ଢକ କରି ଢାଳିଦେଲି ଗଳାରେ । ଗଳାରେ ଢାଳି ଦି’ ଢୋକରେ ଶେଷ କରିଦେଲି । କିନ୍ତୁ ରୁଟିକୁ ଛୁଇଁଲି ନାହିଁ, ହାତରେ ଓଠ ପୋଛି କହିଲି ଭଦ୍ରଭାବରେ–“ଧନ୍ୟନାଦ ଆପଣଙ୍କୁ ଆତିଥେୟତା ପାଇଁ । ପ୍ରସ୍ତୁତ ମୁଁ ଆପଣ ଏବେ ମତେ ଗୁଳିରେ ନିଶ୍ଚିହ୍ନ କରିପାରନ୍ତି ହର କମାଣ୍ଡେଣ୍ଟ ।

 

ସେ କିନ୍ତୁ ମୋତେ ତୀକ୍ଷ୍ଣ ଦୃଷ୍ଟିରେ ଅନାଇଥାଏ । କହିଲା “ମରିବା ଆଗରୁ ଖାଇଦେ ଟିକିଏ ।” ଉତ୍ତର ଦେଲି, ପହିଲି ଗିଲାସ ମଦ ପିଇଲା ପରେ କିଛି ଖାଏନା ମୁଁ । ତା’ପରେ ସେ ଦ୍ଵିତୀୟ ଥର ଗିଲାସରେ ଗିଲାସେ ମଦ ବଢ଼ାଇଦେଲା ମତେ । ସେଇ ଗିଲାସଟିଯାକ ମଦ ପିଇଦେଲି । କିନ୍ତୁ ଖାଇବା ଜିନିଷ ଛୁଇଁଲି ନାହିଁ । ସାହାସ ଦେଖାଇବାରେ ମୁଁ ମୋର ସର୍ବସ୍ୱ ହୁଡ଼ ରଖିଥିଲି । ସେତେବେଳେ ଭାବୁଥିଲି ମରିବା ପାଇଁ ଅଗଣାକୁ ଯିବା ଆଗରୁ ମତୁଆଳ ହୋଇଯାଇଥିବି ଅନ୍ତତଃ । କମାଣ୍ଡାଣ୍ଟର ସୁନ୍ଦର ଭ୍ରୂଲତା ହଳକ ପବନରେ ନାଚିଉଠିଲା । “ଖାଉନୁ କାହିଁକି ରୁଷର ଇଭାନ । ଉଠ ଲଜ୍ଜା କ’ଣ ? ଖା !” ମାଫ କରିବେ ହର କମାଣ୍ଡେଣ୍ଟ । ଦ୍ଵିତୀୟ ଗିଲାସକ ମଦ ପିଇବା ପରେ ବି କିଛି ଖାଏନା ମୁଁ । ଗାଲ ଦୁଇଟାକୁ ଫୁଲାଇ ଦେଇ ପବନ ରୋକି ଘୁଡ଼ୁ ଘୁଡ଼ୁ ହେଲା, ତା’ପରେ ହୋ ହୋ ହୋଇ ହସିଉଠିଲା । ଆଉ ହସିଲା ବେଳେ ସେ ଜର୍ମାନ ଭାଷାରେ ତର ତର ହୋଇ କ’ଣ କହିଗଲା । ମୋ କଥାତକ ହୁଏତ ଅନୁବାଦ କରି ତା’ର ବନ୍ଧୁମାନଙ୍କୁ ଶୁଣାଇ ଦେଲା । ସେମାନେ ସମସ୍ତେ ହସିଉଠିଲେ, ଚୌକିଗୁଡ଼ିକ ପଛକୁ ଠେଲି ଦେଇ ଦେଖିବା ଲାଗି ମୋତେ ମୁହଁ ବୁଲାଇଦେଲେ । ଦେଖିଲି ସେମାନଙ୍କ ଚେହେରାରେ ଚାହାଣିରେ ଗୋଟାଏ ଅଲଗା ଭାବ ଫୁଟିଉଠିଲା.....ଟିକିଏ ନରମା ଭାବ କେମିତି !

 

କମାଣ୍ଡାଣ୍ଟ ତୃତୀୟଥର ପାଇଁ ଗିଲାସେ ମଦ ଢାଲିଲା । ଏତେ ହସୁଥାଏ ଯେ ହସରେ ତା’ର ହାତ ଥରୁଥାଏ । ଧୀରେ ଧୀରେ ସେ ଗିଲାସକ ବି ପିଇ ଶେଷ କରିଦେଲି । ରୁଟିରୁ ଟିକିଏନାକୁ ଭାଙ୍ଗିଲି, ବାକିତକ ରଖିଦେଲି ଟେବୁଲ ଉପରେ । ଜାରଜଗୁଡ଼ାଙ୍କୁ ଦେଖାଇ ଦେବାକୁ ଚାହିଁଲି–ଭୋକର ଚରମ ଅବସ୍ଥାରେ ପହଞ୍ଚିଥିଲେ ବି ସେମାନେ ଯେଉଁ ରୁଟିର ଟୁକୁରା ଫିଙ୍ଗୁଥିଲେ, ସେଇ ରୁଟିର ଟୁକୁରାକୁ ଆକଣ୍ଠ ଗିଳି ନିଜର ଗଳାରୋଧ କରିବାକୁ ଯାଉନି ମୁଁ ! ଅଛି ମୋର ନିଜର ରୁଷୀୟ ଗର୍ବ ଆଉ ଗୌରବବୋଧ ମୋର ଅଛି । ଯେମିତି ଚାହୁଁଥିଲେ ସେମାନେ ପଶୁରେ ପରିଣତ କରିପାରିନାହାନ୍ତି ମତେ ସେମିତି ।

 

ତା’ପରେ କମାଣ୍ଡାଣ୍ଟ ମୁହଁ କେମିତି ଗମ୍ଭୀର ହୋଇଉଠିଲା । ତା’ ଛାତିରେ ଯୋଡ଼ାଏ ଲୁହାର କ୍ରୂଶ ଝୁଲୁଥାଏ, ସେ ତାକୁ ସଜାଡ଼ି ସଳଖ କରିଦେଲା । ପିସ୍ତଲ ନଧରି ନିରସ୍ତ୍ର ଅବସ୍ଥାରେ ଟେବୁଲ ପଛପଟୁ ଆଗେଇ ଆସିଲା କହିଲା, “ଦେଖ ସୋକୋଲୋଭ ! ତୁ ପ୍ରକୃତ ରୁଷ ସୈନିକ, ତୁ ସାହସୀ ଆଉ ସମର୍ଥ ଚମତ୍କାର ସୈନିକ ସୋକୋଲୋଭ, ସମ୍ମାନ କରେ ମୁଁ, ସଭ୍ରମ ଦେଖାଏ ମୁଁ ସୁଯୋଗ୍ୟ ଶତ୍ରୁକୁ ? ଗୁଳି ମାରି ହତ୍ୟା କରିବି ନାହିଁ ତତେ ! ଆହୁରି ମଧ୍ୟ ଦୁର୍ଦ୍ଧର୍ଷ ସେନା ଆମର ଭଲ୍‍ଗା କୂଳରେ ପହଞ୍ଚି ଗଲେଣି । ଷ୍ଟାଲିନଗ୍ରାଦକୁ ପୂରାପୂରି ଦଖଲ କଲେଣି । ମହାଆନନ୍ଦରେ, ମହାଗୌରବର କଥା ଆମପାଇଁ ଏ । ତେଣୁ ଉଦାର ଭାବରେ ତୋତେ ତୋର ଜୀବନ ଆଜି ଦାନ କରୁଛି, ଯା, ତୋ ବ୍ଲକକୁ ଯା । ଆଉ ନେ ତୋର ସାହସିକତା ପାଇଁ ନେ ସାଥିରେ ୟାକୁ । ଛୋଟ ରୁଟି ଗୋଟାଏ ଆଉ ଶୂକରଚର୍ବି ମେଞ୍ଚାଏ ଟେବୁଲ ଉପରୁ ଆଣି ମତେ ବଢ଼ାଇଦେଲା ସେ ଏତିକି କହି ?

 

ପ୍ରାଣର ଆତୁରତାରେ ଯେତେଦୂର ପାରେ ଦୃଢ଼ଭାବରେ ରୁଟିକୁ ଛାତିରେ ଜାକି ଜାବୁଡ଼ି ଧରିଲି ବାଆଁ ହାତରେ ଚର୍ବି ମେଞ୍ଚାକ ଧରିଥାଏ ମୁଁ । ଏ ଅପ୍ରତ୍ୟାଶିତ ଘଟଣାର ପରିବର୍ତ୍ତନରେ ଏମିତି ବିସ୍ମିତ ବିମୂଢ଼ ହୋଇଗଲି ଯେ ଧନ୍ୟବାଦ ବି କହିପାରିଲି ନାହିଁ, ବାଆଁ କରରେ ବୁଲି ପଡ଼ିଲି ସାମରିକ କାଇଦାରେ ଆଗେଇ ଗଲି ଦ୍ଵାର ମୁହଁଯାଏ । ସେତେବେଳେ ଅନବରତ ଭାବୁଥାଏ କିନ୍ତୁ ଏହିକ୍ଷଣି ମୋ କାନ୍ଧକୁ ଲକ୍ଷ୍ୟ କରି ଗୁଳି ଲାଛିବ, ସେଇ କାନ୍ଧବାଟେ ଗୁଳିଚୋଟରେ ଧ୍ଵଂସ କରି ଉଡ଼ାଇଦେବ ଦିନର ଆଲୁଅକୁ । ଆଉ ମୁଁ ମୋର ସାଥୀଗୁଡ଼ିଙ୍କ ପାଖକୁ ସେଇ ଖାଦ୍ୟ ଟିକିକ ନେଇ ଫେରିଯାଇ ପାରିବି ନାହିଁ କାଳେ ! କିନ୍ତୁ ନା, କିଛି ଘଟିଲା ନାହିଁ ସେମିତି । ମୁତ୍ୟୁଟା ପୁଣି ମତେ କରଆଡ଼େଇ ଦେଇ ଚାଲିଗଲା । ତୁଷାର ଶୀତଳ ନିଃଶ୍ଵାସଟି ତା’ର ଅନୁଭବ କଲି ଯାହା.....

 

ଟଳ ଟଳ ନ ହୋଇ କମାଣ୍ଡାଣ୍ଟ କୋଠରୀରୁ ବାହାରି ଆସିଲି ସତ, ପଦାରେ କିନ୍ତୁ ପଡ଼ିଉଠି ଦୋହଲି ଦୋହଲି କେଜାଣି କେତେ ଗଡ଼ଗଡ଼ା ଖାଇ ଆଗକୁ ଝାଁକି ହୋଇ ଯେମିତି ପଶିଗଲି କୁଡ଼ିଆ ଭିତରେ–ସେଠି ଯାଇ ପୋତା ଖୁମ୍ବୁଟାଏ ଓଲଟିଲା ପରି ଚିତ୍‍ପଟାଙ୍ଗ ହୋଇ କଚାଡ଼ି ହୋଇପଡ଼ିଲି ସିମେଣ୍ଟ ଚଟାଣରେ ଅଚେତ ହୋଇ ! ତହିଁଆରଦିନ ସକାଳୁ ସକାଳୁ ସାଥୀଏ ସବୁ ଉଠାଇଲେ, ସାଷ୍ଟମ କଲେ ମତେ–ସେତେବେଳକୁ ଝିଟ୍ ଝିଟ୍ ଅନ୍ଧାର ଥାଏ, ପଚାରିଲେ, “କ’ଣ ହେଲା, କ’ଣ ଘଟିଲା କହ, କହ ଆମକୁ ।” ତା’ପରେ କମାଣ୍ଡାଣ୍ଟ କୋଠରୀରେ ଯାହାସବୁ ଘଟିଥିଲା, ଗୋଟି ଗୋଟି କରି ମନେପଡ଼ିଗଲା, କହିଗଲି । ମୋ ଖଟିଆ–ଖଟିଆ ନୁହେଁ, ପଟା ଭାଡ଼ି–ତାରି ପାଖରେ ଥିବା ଲୋକଟି କହିଉଠିଲା “ଏ ଫୁଳାକ କେମିତି ଭାଗ ବସାଇ ବାଣ୍ଟିବା ଯେ-?” ସ୍ଵରଟା ତା’ର ଥର ଥର ହେଉଥାଏ । କହିଲି, “ସମସ୍ତଙ୍କର ଭାଗ ସମାନ ।” ସକାଳ ହେଲା ଯାଏ ଅପେକ୍ଷା କଲୁ । ରୁଟି ଆଉ ଚର୍ବିକୁ କାଟିଲୁ ସୂତା ଖିଅରେ । ଭାଗକେ ଦିଆସିଲି ବାକ୍ସ ଭଳି ଖଣ୍ଡେ ଲେଖାଏଁ ରୁଟିର ଟୁକୁରା ପଡ଼ିଲା । ଗୋଟିଏ ହେଲେ ଟୁକୁରା ନଷ୍ଟ ହେଲା ନାହିଁ, ଆଉ ଚର୍ବି ଯେତେକ ଥିଲା, ସେତିକିରେ ସମସ୍ତଙ୍କର ଓଠ ସାମାନ୍ୟ ଚିକ୍‍ଣିଆ ହୋଇଥିବ ବା ! ମାତ୍ର ସମସ୍ତେ ଆମେ ସମାନ ଆଉ ସଙ୍ଗତ ଭାବରେ ବାଣ୍ଟିନେଲୁ ଖାଦ୍ୟଟିକକ ।

 

“ଖୁବ୍ ଶୀଘ୍ର ଜର୍ମାନମାନେ ଆମ ଭିତରୁ ସବୁଠୁ ବଳୁଆ ବଳୁଆ ତିନିଶହ ଜଣକୁ ଆଗ କାମରୁ ବଦଳି କରି ନେଇ ଗୋଟିଏ ଜୋରି ଉଝାଳି ଶୁଖାଇବାରେ ନିୟୋଗ କରିଦେଲେ, ଆଉ ତା’ପରେ ଆମେ ଖଣିରେ କାମ କରିବା ଲାଗି ଚାଲିଲୁ ରୁର୍ ଅଞ୍ଚଳକୁ । ସେଠି ରହିବାକୁ ପଡ଼ିଲା ୧୯୪୪ ଯାଏ ମତେ । ସେତେବେଳେ ଆମ ରୁଷୀୟ ସାଥୀ ସୈନ୍ୟମାନେ ଆମର, ରୁଷର ଯେଉଁ ଅଂଶ ଗ୍ରାସ କରିଥିଲା ଜର୍ମାନୀ, ସେହି ଅଂଶରୁ କେତେକ ଛଡ଼ାଇ ନେଇଥାନ୍ତି–ସେଠାରୁ ହଟେଇ ନିକାଲି ଦେଇଥାନ୍ତି ଜର୍ମାନମାନଙ୍କୁ, ଆଉ ସେଇ ଜଘନ୍ୟ ଫାସିଷ୍ଟଗୁଡ଼ାକ ଯୁଦ୍ଧବନ୍ଦୀଙ୍କୁ ହେୟ ଚକ୍ଷୁରେ ଦେଖିବା ବନ୍ଦ କରି ଦେଇଥାନ୍ତି ଛାଏଁ । ଆମେ କେତେଜଣ କାମ କରୁଥାଉ ଦିନ ସିଫ୍‍ଟରେ (ପାଳିରେ) । ଜର୍ମାନମାନେ ଥରେ ଏଇ ଦିନ ପାଳିବାଲା ଆମକୁ ଧାଡ଼ି କରି ଛିଡ଼ା କରାଇ ଦେଲେ । ଜଣେ ନାଜି ‘ଓବର୍ ଲେଫ୍‍ଟ୍‍ନାଣ୍ଟ’ ପରିଦର୍ଶନରେ ଆସିଥାଏ । ସେ ଦୋଭାଷୀ ଜରିଆରେ କହିଲା, “ତମ ଭିତରୁ ଯିଏ ଯୁଦ୍ଧରେ କି ଯୁଦ୍ଧ ପୂର୍ବରୁ ମଟର ଡ୍ରାଇଭର କାମ କରୁଥିଲା–ଧାଡ଼ି ଛାଡ଼ି ବାହାରି ଆସ, ପାଦେ ଆଗକୁ ।” ସାତ ଜଣ ସରିକି ଆମେ ଆଗେ ମଟର ଚଳାଉଥିଲୁ-। ଧାଡ଼ିରୁ ବାହାରି ପାଦେ ବହକି ଗଲୁ, ଛିଡ଼ା ହେଲୁ । ଜର୍ମାନମାନେ ଆମକୁ ପୁରୁଣା ପୁରୁଣି ମୋଟାରୋଟା ‘ଉପର’ ପ୍ୟାଣ୍ଟ କୁର୍ତ୍ତା ଦେଇ ପ୍ରହରୀ ଗହଣରେ ନେଇଗଲେ ପୋଟ୍‍ସଡାମକୁ-। ସେଠି ପହଞ୍ଚିଗଲା ପରେ ଆମକୁ ପରସ୍ପରଠୁ ତଫାତ୍ କରି ଦିଆଗଲା । ମତେ ଖଟେଇ ଦିଆଗଲା “ଟୋଡ଼୍‍ଟରେ” ଜର୍ମାନମାନଙ୍କ କଥାରେ ରାସ୍ତାଘାଟ ଓ ସାମରିକ ସୁରକ୍ଷା ସମ୍ପର୍କୀୟ ବାରିକମିସ୍ତ୍ରୀ ସଙ୍ଗଠନରେ ।

 

ଜଣେ ଜର୍ମାନ ସାମରିକ ଇଞ୍ଜିନିୟର ମେଜରକୁ ‘ଓପେଲ-ଆଡ଼୍‍ମିରାଲ’ ମୋଟର ଗାଡ଼ିରେ ନିଆ-ଅଣା କରିବାର ଭାର ପଡ଼ିଲା ମୋ ଉପରେ, ଘୁଷୁରିଟାଏ ହୋ, ଫାସିଷ୍ଟ ଘୁଷୁରିଟାଏ ! ସତ କହୁଚି–ବାଙ୍ଗରାଟାଏ, ନଉତା ଭଳି ପେଟଟା ବାହାରି ପଡ଼ିଥାଏ ପଦାକୁ–ଉଞ୍ଚକୁ ଚାହିଁ ଓସାର–ପଛର ପିଚା ହଳକ ଯେକୌଣସି ଖାନିକି ଟୋକୀର ପିଚା ପରି ଠିକ୍‍ । ସାମନାରେ ଗଲା ଉପରେ ଓହଳି ପଡ଼ିଥାଏ ଚିବୁକ (ଓଠ) ପରେ ଚିବୁକ (ଓଠ) ତା’ର ତିନିଟା, ପିଠି ପଟେ ବେକ ଉପରେ ବୁଢ଼ାଆଙ୍ଗୁଳି ମୋଟର ତିନିଟା ଭାଙ୍ଗ ପୁଣି । ବେଶ୍‍ ଗୋଟାଏ ହନ୍ଦରର ଖାଣ୍ଟି ଚର୍ବି ଥିବ ତା’ ଦେହରେ ଭାବୁଚି । ଚାଲିଲାବେଳେ ବାଷ୍ପୀୟ ଇଞ୍ଜିନ ଭଳି ଭସ୍ ଭସ୍ ଧୂଆଁ ବାହାରୁଥାଏ ମୁହଁରୁ । ଆଉ ଯେତେବେଳେ ଖାଇ ବସୁଥାଏ ସେ, ଭଗବାନ ! ତମ ଆଖି ଖୋସି ହୋଇଯିବ । ଦିନଯାକ ଚବିଶ ଘଣ୍ଟା ଖାଇବା ଜିନିଷ ପାଟିରେ ପକାଇ ଚୋବାଉଥିବ, ପାକୁଳି କରୁଥିବ, ବ୍ରାଣ୍ଡି ଫ୍ଲାସ୍କରୁ ଢୋକେ ପିଉଥିବ, ଏଥିପାଇଁ ତାକୁ ଦିନ ଅଣ୍ଟେ ନାହିଁ, ପାଏ ନାହିଁ । ବେଳେବେଳେ ମୋ ଭାଗ୍ୟରେ ସେଥିରୁ ଖଣ୍ଡେ ଅଧେ କି ଟୋପିଏ ଟୋପିଏ ଜୁଟି ଯାଇଥାଏ । ଯାଉଁ ଯାଉଁ ରାସ୍ତା ମଝିରେ ସେ ମଟର ଅଟକାଇ ଦିଏ । ସସେଜ କି ଛେନା ମୁଣ୍ଡାଏ ଛୁରିରେ କାଟି କାଟି ପାଟିରେ ପକାଇ ଦି’ ଚାରି ଗିଲାସେ ମଦ ଶ୍ରାଦ୍ଧ କରେ । ଯଦି ମତିଗତି ଭଲ ଥାଏ, କୁକୁରକୁ ଅଇଁଠା ରୁଟି ପକାଇଲା ପରି ମୋ ଉପରକୁ ସେଥିରୁ ଟିକେ ନିଖେ ଫିଙ୍ଗି ଦିଏ । ଆରେ ନାଃ ! କେବେହେଲେ ସେ ଯାଚିକରି ମତେ ହାତରେ ମୋର କିଛି ଖାଇବାକୁ ଦେଇ ନାହିଁ । ଆଃ ସେଥିରେ ସମ୍ମାନ ହାନି ହୋଇଥାନ୍ତା, ସଇତାନଟାର । ଯାହାହେଉ ପଛେ ବନ୍ଦୀଶିବିରରେ ଅବସ୍ଥାଠୁଁ ଢେର ଭଲ–ଢେର ଭଲ ସେ ଅବସ୍ଥା, ତୁଳନାର ପ୍ରଶ୍ନ ନଥାଏ । ବୁଝିଲ, ସେଥିପାଇଁ ବୋଧହୁଏ ଧୀରେ ଧୀରେ ଟିକିଏ ମଣିଷ ଭଳି ଦିଶିଲି ମୁଁ, ଏମିତିକି ଦେହରେ ମୋର ମାଂସ ଲାଗିଲା, ଓଜନ ବଢ଼ିଲା ।

 

“ଦୁଇ ସପ୍ତାହକାଳ ମୁଁ ସେ ମେଜରକୁ ପୋଟସ୍ଡ଼ାମ ଓ ବର୍ଲିନ ଭିତରେ ମଟରରେ ନିଆଅଣା କଲି । ତା’ପରେ ତାକୁ ସମ୍ମୁଖ ରଣକ୍ଷେତ୍ରକୁ ପଠାଇ ଦିଆଗଲା–ଆମ ସୈନ୍ୟବାହିନୀ ବିରୁଦ୍ଧରେ ଜର୍ମାନଙ୍କର ଆତ୍ମରକ୍ଷାମୂଳକ ବନ୍ଧବାଡ଼ ନିର୍ମାଣ କରିବା ସକାଶେ । ସେତେବେଳେ ସତ କହୁଚି, ନିଦ କ’ଣ ଭୁଲିଗଲି । ରାତିରେ ଆଖି ମୋର ପିଞ୍ଚିଡ଼ା ପଡ଼ୁନଥାଏ, ଭାବୁଥାଏ; କେମିତି ମୋର ସାଥୀମାନଙ୍କ ପାଖକୁ, ମୋର ପ୍ରିୟଜନଙ୍କ ପାଖକୁ, ମୋ ଦେଶକୁ ପଳାଇବି, ଖସି ପଳାଇବି-।”

 

“ପୋଲଟସ୍କ ସହରକୁ ଚାଲିଲୁ । ସେଦିନ ରାତି ପାହି ପାହି ଆସୁଥାଏ, ବଡ଼ି ଭୋରରୁ ଦୁଇବର୍ଷ ପରେ ପ୍ରଥମେ ଆମ କମାଣର ଗୁଡ଼ୁମ ଗୁଡ଼ୁମ ଶବ୍ଦ କାନରେ ବାଜିଲା, ଅନୁମାନ କରିପାର ଛାତିଟା ମୋର ଦମ୍‍ ଦମ୍‍ ହୋଇ କେମିତି ନାଚି ଉଠିଥିବ ! ସତ କହୁଛି ଦୋସ୍ତ, ଇରିନା, ମୋର ପ୍ରାଣର ଇରିନାକୁ ଯେତେବେଳେ ଭଲପାଇ ପ୍ରଥମେ ପ୍ରଣୟ ନିବେଦନ କରିଥିବି, ସେତେବେଳେ ହୃଦୟଟା ସେମିତି ଆନନ୍ଦରେ ନାଚିଥିବ । ଯୁଦ୍ଧ ଘନେଇ ଥାଏ ପୋଲଟସ୍କ ସହରର ପୂର୍ବପଟେ ଅଠର କିଲୋମିଟର ଦୂରରେ । ସହରର ଜର୍ମାନ ଲୋକେ କାତର ଆଉ ଅସମ୍ଭାଳ ହୋଇଉଠିଲେ ଭୟରେ । ମୋର ଆଟିକାପେଟା ‘ମେଜରଟା’ ଅଧିକରୁ ଅଧିକ ସୁରାଦେବୀର ସେବାରେ ଲାଗିଗଲା । ଦିନରେ ମଟରରେ ଘୂରି ଘୂରି ବୁଲୁଥାଏ; ସାମରିକ ତାରବାଡ଼, ଲୁହାଘେର ଗଢ଼ାହେବ ଦିଗରେ ନିର୍ଦ୍ଦେଶ ଦେଉଥାଏ ଆଉ ରାତିରେ ଏକୁଟିଆ ବସି ବସି ଗିଲାସ ପରେ ଗିଲାସ ମଦ ପିଉଥାଏ । ମଦ ପିଇ ପିଇ ସେ ଲାଲ ପଡ଼ି ଫୁଲି ଉଠିଲା ଟିଙ୍କ ପରି । ଆଖି ତଳର ଚମ ତା’ର ଝୁଲି ପଡ଼ିଲା ଛୋଟ ଛୋଟ ଥଳିଟିମାନ ଯେମିତି !

 

ଭାବିଲି, ନାଃ, ଆଉ ବେଶି ଅପେକ୍ଷା କରିବା ଅନୁଚିତ । ଏଇ ମୋର ସୁଯୋଗ ଆସିଗଲା ! ଖାଲି ଖାଲି ଏକୁଟିଆ ଚମ୍ପଟ ଦେଲେ ବା ଲାଭ କ’ଣ ? ଏଇ ଅଟିକାପେଟା ବୁଢ଼ାକୁ ସାଙ୍ଗରେ ନେବାକୁ ହେବ ଯେମିତି ହେଉ, ବେଶ୍‍ କାମରେ ଲାଗିବ, ସେଠି ଆମର ସେ ।

 

ଗୋଟିଏ ଥାନରେ ଗୁଡ଼ାଏ ଭଙ୍ଗାରୁଜା ଜିନିଷ କୁଢ଼ ଭିତରୁ ଦେଖିଲି ୫ ପାଉଣ୍ଡ ଓଜନ ର ଲୁହାମୁଣ୍ଡାଏ । ଛିଣ୍ଡା କନ୍ଥାରେ ଭଲକରି ଗୁଡ଼ାଇଲି ଯେମିତିକି ସେଥିରେ ଆଟିକା ପେଟାକୁ ଖାସା ପାହାରେ ପିଟିଦେଲେ ରକ୍ତ ଟୋପାଏ ବାହାରିବ ନାହିଁ ତା’ ଦେହରୁ, ରାସ୍ତାରୁ ଖଣ୍ଡେ ଲମ୍ବାଳିଆ ଟେଲିଫୋନ ତାର ଉଠେଇନେଲି ଯାହା ଯାହା ଦରକାର ଥିଲା, ସେ ସବୁ ଆୟୋଜନ କରି ନେଲି; ସେତକ ନେଇ ଗାଡ଼ିରେ ସାମନା ସିଟ୍‍ ତଳେ ଲୁଚାଇ ଦେଲି । ଥରେ ସଞ୍ଜବେଳେ ଜର୍ମାନମାନଙ୍କଠୁ ବିଦାୟ ନେଇ ଯିବାର ଦୁଇଦିନ ଆଗରୁ ମଟରକାରରେ ପେଟ୍ରୋଲ ପକାଇ ଆସୁଥାଏ ପେଟ୍ରୋଲ ଟାଙ୍କିରୁ । ଦେଖିଲି, ଜଣେ ଜର୍ମାନ ସାମରିକ ଅଫିସର ମାତାଲ ହୋଇ ଢଳି ଢଳି କାନ୍ଥକୁ ଧରି ଧରି ଚାଲିଛି । ମଟର ରୋକିଦେଇ ସେ ଜର୍ମାନ ଲୋକଟିକୁ ଟାଣିନେଲି ଗୋଟିଏ ଭଙ୍ଗା କୋଠାଘର ଭିତରକୁ । ତା’ର ଦେହଟାକୁ ବାହାର କରି ଝାଡ଼ିଦେଲି, ତା’ର ସାମରିକ ପୋଷାକ ଖୋଳରୁ–ମୁଣ୍ଡରୁ କାଢ଼ିନେଲି ଟୋପିଟା । ପୁଣି ଗାଡ଼ିର ସାମନା ସିଟ୍‍ ତଳେ ଲୁଚାଇ ରଖିଲି ସେତକ । ତା’ପରେ ପୂରାପୂରି ପ୍ରସ୍ତୁତ ହୋଇଗଲି ମୁଁ ।

 

“ଜୁନ୍ ୨୯ ତାରିଖ ଦିନ ସକାଳେ ମୋ ମେଜରଟା ହୁକମ ଦେଲା, ସହର ବାହାରକୁ, ଟ୍ରୋସନିତ୍‍ସା ଆଡ଼କୁ ମଟର ଚଳା ।” ସେଠାରେ କ’ଣ ପ୍ରତିରକ୍ଷା ବ୍ୟବସ୍ଥାମାନ ତିଆରି ହେଉଥାଏ, ସେ ଥାଏ ତା’ର ଦାୟିତ୍ଵରେ । ମଟର ଛାଡ଼ିଲୁ । ପଛ ସିଟରେ ମେଜରଟା ଆରାମରେ ଘୁମାଇ ପଡ଼ିଲା । ଆଗ ସିଟରେ ବସି ମୁଁ ମଟର ଚଳାଉଥାଏ । ଲାଗୁଥାଏ ହୃଦୟଟା ଯେପରି ମୋର ପାଟିବାଟେ କୁଦା ମାରି ବାହାରି ପଡ଼ିବ । ଦାଉଁ ଦାଉଁ ହେଉଥାଏ ଛାତିଟା । ସହର ଭିତରେ ଖୁବ୍ ଜୋରରେ ଗାଡ଼ିକୁ ଛୁଟାଇଦେଲି । ସହର ବାହାରେ ରୋକି ରୋକି ଧିମେଇ ଧିମେଇ ଚଳାଇଲି । କିଛି ବାଟ ଗଲାପରେ ଏକାବେଳକେ ବନ୍ଦ କରିଦେଲି । ବାହାରି ଆସି ଚାରିଆଡ଼କୁ ଚାହିଁଲି–ପଛରେ ବହୁତ ଦୂରରେ ଯୋଡ଼ାଏ ଲରି ଧୀରେ ଧୀରେ ଆସୁଥାଏ । ଲୁହା ମୁଣ୍ଡାଟା ବାହାର କରି ଆଣିଲି, ପଛପଟ ଦୁଆରଟା ମେଲା କରିଦେଲି ଆଚ୍ଛା କରି । ଆଟିକା ପେଟା ବୁଢ଼ା ସିଟରେ ଆଉଜି ଘୁଙ୍ଗୁଡ଼ି ମାରୁଥାଏ । ସତେ ଯେମିତି ମାଇପ ପାଖରେ ଶୋଇଥାଏ ପାଜିଟା । ବାସ୍ ତା’ପରେ ତା’ ବାଆଁପଟ ଗିଲି ମୁଣ୍ଡାରେ ଲୁହା ଖଣ୍ଡକରେ ପାହାରେ ବସାଇଦେଲି କଷିକରି । ତା’ ଛାତି ଉପରକୁ ଝୁଲି ପଡ଼ିଲା ମୁଣ୍ଡଟା । କାଳେ ମାଡ଼ଟା ବାଜି ନଥିବ ଠିକ୍ ନିଧାର୍ଯ୍ୟ କରି ଜାଣିବା ପାଇଁ ବଜେଇଲି ଆଉ ଗୋଟିଏ ପାହାର । ଜୀବନରେ ମାରିବାକୁ ଇଚ୍ଛା ନ ଥାଏ ମୋର । ଚାହୁଁଥାଏ ତାକୁ ଜିଅନ୍ତା ନେଇଯିବି । ଆମ ସୈନ୍ୟଙ୍କୁ ବହୁତ ଖବର ଦେବାକୁ ଶକ୍ତିଟିକ ଥିବ ଯେମିତି ତା’ର ! ପିସ୍ତଲଟାକୁ ତା’ର ଖୋଳରୁ କାଢ଼ି ପକାଇଲି ମୋ ନିଜ ପକେଟରେ । ପଛ ସିଟରେ ଟାୟାର ଲିଭରକୁ ଭର୍ତ୍ତି କଲି । ମେଜରର ବେକରେ ଟେଲିଫୋନ ତାରକୁ ଗୁଡ଼େଇ ସେ ଟାୟାର ଲିଭରରେ ଭର୍ତ୍ତି କରିନେଇ ବାନ୍ଧିଲି–ବ୍ରାକେଟରେ କୋଟଟାଏ ଆଣ୍ଟିକରି ଟାଙ୍ଗିଲା ଭଳି । ଯେମିତି କି ଜୋରରେ ଖୁବ୍ ବେଗରେ ଗାଡ଼ି ଛୁଟେଇଲେ ବି ସେ ଆଉ ଢଳି ପାରିବ ନାହିଁ କରକୁ ।

 

ଜର୍ମାନଟାର ସାମରିକ ପୋଷାକ ଓ ଟୋପି କାଢ଼ି ପିନ୍ଧିଲି ଆଉ ଏକମୁହାଁ ହୋଇ ବିଜୁଳି ବେଗରେ ଛୁଟାଇଦେଲି ଗାଡ଼ିଟାକୁ ଠିକ୍ ସ୍ଥାନକୁ ଯେଉଁଠି ଘଡ଼ଘଡ଼ ନାଦରେ ଧ୍ଵନିତ ହେଉଥିଲା ଧରିତ୍ରୀଟା, ଯୁଦ୍ଧର ଝଡ଼ ଉଠିଥିଲା ପ୍ରଳୟଙ୍କର ହୋଇ ।

 

ଦୁଇଟି ପିଲବକ୍ସ (ସିମେଣ୍ଟ କଂକ୍ରିଟର କମାଣୀ ଗୃହ) ମଧ୍ୟରେ ଜର୍ମାନ ରଣକ୍ଷେତ୍ର ସମ୍ମୁଖ ସୈନ୍ୟଧାଡ଼ିକୁ ଜୀର୍ଣ୍ଣକରି ଯେପରି ଭେଦ କରିଗଲି ମୁହୂର୍ତ୍ତକରେ ।

 

ସାମରିକ ଗହ୍ୱରଭିତରରୁ ଦଳେ ସବ୍‍-ମେସିନଗନ ଚାଳକ ବନ୍ଧୁକଧାରୀ ସୈନ୍ୟ ସ୍ପ୍ରିଙ୍ଗ କଣ୍ଢେଇ ପରି ଠକ୍‍କିନା ମୁଣ୍ଡ ଉଠାଇ ଚାହିଁଲେ । ଜାଣିଶୁଣି ମନ୍ଥର କରିଦେଲି ଗାଡ଼ିର ଗତିକୁ । ଦେଖନ୍ତି ଯେମିତି ସେମାନେ ମୋ ସାଙ୍ଗରେ ଅଛି ଜଣେ ମେଜର । ପାଟିକରି ହାତ ହଲାଇ ମତେ ସଙ୍କେତ ଦେବାକୁ ଚାହିଁଲେ ସେମାନେ–ଆଗେଇବା ଉଚିତ ହେବ ନାହିଁ ସଙ୍କେତଟା ନବୁଝି ପାରିଲା ପରି ଛଳନା କରି ସେମାନଙ୍କୁ ଆଖିମିଟିକା ମାରି ହଠାତ୍ ଗର୍ଜନ କରି ଗାଡ଼ିକୁ ଛୁଟାଇଦେଲି ଅଶୀ କିଲୋମିଟର ବେଗରେ । କ’ଣ ଘଟିଲା ବା ଘଟିଯାଉଛି, ସେମାନେ ବୁଝିପାରି ମେସିନଗନରୁ ଗୁଳିଫାଏର କଲାବେଳକୁ ମୁଁ ଯାଇ ଯୁଦ୍ଧଭୂଇଁର ମଝିଆମଝି କୌଣସି ପକ୍ଷରେ ଅଧିକାରରେ ନ ଥିବା ସ୍ଥାନରେ ପହଞ୍ଚି ଯାଇଥାଏ ଆଉ ଗୁଳିଗୋଳା ଓ ବୋମା ପଡ଼ି ଯେଉଁ ଗାତ ସବୁ ହୋଇଥିଲା, ସେହି ଗାତକୁ ଦେଖି ଦେଖି ଘୂରି ଘୂରି ସୂତା ଗୁଡ଼େଇଲା ଭଳି ହୋଇ ଗାଡ଼ିକୁ ବୁଲାଇ ବୁଲାଇ ଡିଆଁଇ ଡିଆଁଇ ଠେକୁଆଠୁ ଆହୁରି ଚତୁର ଭାବରେ ଧାଉଁଥାଏ !

 

ପଛରୁ ଜର୍ମାନମାନେ ଗୁଳିଫଏର ଚଳାଉଥାନ୍ତି । ସାମନାରେ ତେଣେ ଆମ ସୈନ୍ୟ ଭୀଷଣ ହୋଇଉଠିଲେ । ମୁହାଁମୁହିଁ ଲକ୍ଷ୍ୟ କରି ମୋ ଉପରେ ତୁହାକୁ ତୁହା ଗୁଳି ବୃଷ୍ଟି ଆରମ୍ଭ କରିଦେଲେ । ମଟରଗାଡ଼ିର ପବନରୋକା ପରଦା ଦେହରେ ଚାରିଟା ଗୁଳି ଲାଛିଦେଇ ରାଡ଼ିଏଟରଟାକୁ ଗୁଳିରେ ଗୁଳିରେ ଛାଇ ଦେଲେ । ବେଶି ଦୂରରେ ନୁହେଁ, ଗୋଟାଏ ହ୍ରଦକୂଳରେ ଠଉରେଇ ପାରିଲି ଛାଇଛାଇଆ ହୋଇ ବୁଦୁବୁଦିଆ ଜଙ୍ଗଲଟିଏ । ସୈନ୍ୟମାନେ ଆମର ମୋ ଗାଡ଼ିଆଡ଼କୁ ଧାଇଁବାକୁ ଆରମ୍ଭ କରି ଦେଇଥାନ୍ତି ସେତେବେଳକୁ । ଗାଡ଼ିକୁ ବୁଦା ଭିତରକୁ ନେଇଯାଇ ଦୁଆରଟା ଖୋଲି ବାହାରିପଡ଼ିଲି ବାଇବିଛା ହୋଇ । ଆଗ ମୋର ଜନ୍ମମାଟି ଉପରେ ଗଡ଼ି ଗଡ଼ି ତାକୁ ଥରକୁ ଥର ଚୁମ୍ବନ କରିଗଲି, କି ଆକୁଳତାରେ, କି ବିକଳ ଭାବରେ, ସେଇ ମାଟିକୁ ମଥାରେ ବୋଳିହେଲି ସତେ ! ସେତେବେଳେ ନିଃଶ୍ୱାସ ମୋର ଯାଉଥାଏ କି ନାହିଁ ଜାଣେନା ..... ବନ୍ଦହୋଇ ଯାଇଥାଏ ବୋଧହୁଏ !!

 

ପ୍ରଥମେ ମୋ ପାଖରେ ଆସି ପହଞ୍ଚିଗଲା ଗୋଟିଏ କଅଁଳିଆ ଟୋକାଟିଏ, ଦେହରେ ସାମରିକ ଫତେଇ ତା’ ଉପରେ ଖାକି ସାମରିକ କାନ୍ଧପଟି ଗୋଟିଏ–ସେଭଳି ଖାକି କାନ୍ଧପଟି ଆଗରୁ ଆମ ସୈନ୍ୟଙ୍କଠି କେବେ ଦେଖି ନଥିଲି ମୁଁ । ସେ ରାଗରେ ଛିଗୁଲେଇ ଖତେଇ କରି କହିଲା, “କିରେ ସଇତାନ ‘ଫ୍ରିଜ’ ବଦମାସ୍ ନାଜି ! ବାଟ ହୁଡ଼ିଗଲୁ, ନାଇଁ ? ମୁଁ ମୋର ଜର୍ମାନ ସାମରିକ ଫତେଇକୁ ଚିରି ପକାଇ ଜର୍ମାନ ଟୋପିକୁ ପାଦତଳେ ପକାଇ ଦଳିଦେଉଥାଏ, କହିଲି:

 

“ବାପରେ ମୋର, ଧନରେ ମୋର, ଫ୍ରିଜ ମୁଁ ? ନାଜି ମୁଁ ? ନା ନା, ମୁଁ ଭେରୋନେକରେ ଜନ୍ମିଛିରେ । ତା’ର ପାଣି ପବନରେ ଫଳମୂଳରେ ବଢ଼ିଛିରେ ମୁଁ । ଯୁଦ୍ଧରେ ବନ୍ଦୀ ହୋଇଥିଲିରେ, ବୁଝିଲ ବାପ ! ମୋଟର କାରଟାରେ ଯେଉଁ ମୋଟା ମାଉଁସିଆ ଘୁଷୁରିଟା ବସିଛି, କଣ୍ଟାରୁ ଫିଟାଇ ଆଣ ତାକୁ, ନେଇଯାଅ ତା’ର କାଗଜପତ୍ର ଥଳି । କମାଣ୍ଡର ନିକଟରେ ତାକୁ ନେଇଯାଅ ହାଜର କରାଅ । ପିସ୍ତଲଟା ବଢ଼ାଇଦେଲି । ତା’ପରେ ଆମ ସୈନ୍ୟବାହିନୀର ସେନାପତିଙ୍କୁ ସନ୍ଧ୍ୟାରେ ଦେଖାକରି ତାଙ୍କୁ ସବୁ ବିବରଣୀ ଜଣାଇବା ଆଗରୁ ଜଣକ ପାଖରୁ ଆଉ ଜଣକ ପାଖକୁ ହୋଇ କେତେ ହାତକୁ ଗତି କରି ନ ଥିବି ବା ମୁଁ ! ସେଥିମଧ୍ୟରେ ମତେ ଖୁଆଇ ପିଆଇ ପରିଷ୍କାର କରେଇ ନୂଆ ସାମରିକ ପୋଷାକ ଯୋଗାଇ ପିନ୍ଧାଇ ଦିଆଯାଇଥାଏ–ସାମରିକ ରୀତିରେ ପ୍ରଶ୍ନ ସବୁ ପଚରା ସରିଥାଏ । ତେଣୁ କର୍ଣ୍ଣେଲ ବା ସେନାଧ୍ୟକ୍ଷଙ୍କୁ ଭେଟିଲି ଯେତେବେଳେ ସାମରିକ ଖାତ ଭିତରେ–ଭେଟିଲି ଯଥାର୍ଥ ସାମରିକ ପ୍ରଥାରେ, ଯଥାର୍ଥ ସାମରିକ ପୋଷାକରେ ସାଜିହୋଇ ନିର୍ମଳ ଦେହରେ, ନିର୍ମଳ ହୃଦୟରେ । କର୍ଣ୍ଣେଲ ଟେବୁଲ ପାଖରୁ ଉଠିଯାଇ ମତେ ପାଛୋଟି ନେଲେ, ସବୁ ଅଫସରଙ୍କ ସାମନାରେ, କୁଣ୍ଢାଇ ପକାଇ କହିଉଠିଲେ–“ଧନ୍ୟବାଦ, ସୈନିକ ସାଥୀ ଧନ୍ୟବାଦ ! ଯେଉଁ ଅମୂଲ୍ୟ ଦ୍ରବ୍ୟଟି ଆଣିଚ ତୁମେ, ଦାନ କଲ ଆଜି–ଧନ୍ୟବାଦ ସେଥିପାଇଁ ତୁମକୁ, ତୁମର ସେହି ମେଜର ଆଉ ତା’ର କାଗଜପତ୍ରର ଥଳିଟା, ଯାହାସବୁ କହିଲେ, ଜଣାଇଲେ, ସମ୍ମୁଖା ରଣକ୍ଷେତ୍ରରେ ପଚିଶ’ଟା ଜର୍ମାନଙ୍କୁ ଧରିଥିଲେ ମଧ୍ୟ ତାଙ୍କଠୁ ଆମେ ତାହା ପାଇପାରି ନ ଥାନ୍ତୁ । ତୁମ ବୀରତ୍ଵ ଓ ସାହସିକତା ପାଇଁ ତୁମକୁ ଉପାଧିଭୂଷିତ, ପଦକ ମଣ୍ଡିତ କରିବାଲାଗି ମୁଁ ସେନାପତି ମଣ୍ଡଳିକୁ ସୁପାରିସ କରିବି ।” ତାଙ୍କର ସେଇ କେତୋଟି ମାତ୍ର କଥା, କି ଗଭୀର ମମତାରେ ମତେ ଅଭିଭୂତ କରି ପକାଇଲା ! ଆବେଗରେ ଥରିଉଠିଲା, ମୋର ଓଠ ଦିଓଟି ଏମିତି ! କଷ୍ଟରେ ରୁଦ୍ଧସ୍ଵରରେ କେବଳ କହିପାରିଲି, “କମରେଡ୍ କର୍ଣ୍ଣେଲ, ବିନୀତ ନିବେଦନ ମୋର ଦିଆଯାଉ ଗୋଟିଏ ରାଇଫ୍ଲ ମତେ, ସୌନ୍ୟ ଫୌଜରେ ପଦାତିକ ବାହିନୀରେ ନିଆଯାଉ ମତେ କମରେଡ୍‍….. I”

 

କର୍ଣ୍ଣେଲ ହସିଉଠିଲେ, ମୋ କାନ୍ଧ ଥାପୁଡ଼େଇ କହିଲେ, “ଗୋଡ଼ରେ ଛିଡ଼ା ହେବାକୁ ବଳ ନାହିଁ ପଛେ, କି ଲଢ଼ୁଆ ସୈନିକଟାଏ ହେବ ଯେ ଏହିକ୍ଷଣି ଯାଅ ଆଗ, ମକୁ ସିଧା ସିଧା ଡାକ୍ତରଖାନାକୁ ପଠାଇ ଦେଉଛି, ଯାଅ ସେଠି ସେମାନେ ତମକୁ ସିଲେଇସାଲେଇ କରି ତମଠି ଢାଳି ପକାଇ ଠିକ୍‍ଠାକ୍ କରି ଦିଅନ୍ତୁ, ତମ ପେଟରେ ଥୋଡ଼ାଏ ଖାଦ୍ୟ ଭର୍ତ୍ତିକରି ସଜାଡ଼ି ଦିଅନ୍ତୁ, ତା’ପରେ ତମେ ମାସଟିଏ ଛୁଟିନେଇ ପିଲାପିଲିଙ୍କୁ ଦେଖି ଆସ ଯାଇ । ଫେରିଲା ପରେ କେଉଁଠି ତମକୁ ଭର୍ତ୍ତି କରିବାକୁ ହେବ ଚିନ୍ତା କରିବା ।”

 

କର୍ଣ୍ଣେଲ ଓ ତାଙ୍କ ପାଖରେ ଖାତରେ ଥିବା ସାମରିକ ଅଫିସରମାନେ ସମସ୍ତେ ମୋ ହାତରେ ହାତ ମିଶାଇ ବିଦାୟ ଦେଲେ ମତେ । ବିଦାୟ ଦେଲେ ଏଭଳି ସମ୍ଭ୍ରମ, ଏଭଳି ଶ୍ରଦ୍ଧା ଓ ସ୍ନେହର ସହିତ ଯେ ମୁଁ ବାହାରକୁ ଆସିଲାବେଳେ ମଥା ମୋର ଘୂରି ଚକ୍ରିଖାଉଥାଏ ଯେମିତି ! କାରଣ ଭାଇ, ବାହାରେ ଦୁଇଟା ବର୍ଷ କଟାଇଲା ବେଳେ ଭୁଲିଯାଇଥାଏ ମଣିଷ ଭଳି ବ୍ୟବହାରଟା ପାଇବା ଯେ କ’ଣ ପ୍ରକୃତରେ ଭାଇ, ଅନେକ ଦିନ ଯାଏ ଉପରିସ୍ଥ ଲୋକଙ୍କ ସଙ୍ଗେ କଥାକହିବା ବେଳେ ମୁଣ୍ଡଟିକୁ କାନ୍ଧ ଉପରକୁ ବଙ୍କେଇ ନୁଆଁଇ ଦେବା ଅଭ୍ୟାସଟା ତୁଟିଲା ନାଇଁ । ସତେ ଯେମିତି ସେତେବେଳ ଯାଏ ବି ଭୟଥାଏ ମୁଣ୍ଡ ଉପରେ ପାହାର ବସିବ, ବିଧା ବାଜିବ । ଫାଶିଷ୍ଟ କ୍ୟାମ୍ପଗୁଡ଼ାକରେ ଏଇ ତାଲିମ୍, ଏଇ ଶିକ୍ଷା ପାଇଥିଲୁ, ବୁଝିଲ !

 

“ଡାକ୍ତରଖାନାରେ ପହଞ୍ଚିଲା ମାତ୍ରେ ଇରିନା ପାଖକୁ ଚିଠି ଲେଖି ବସିଲି, ଠିକେ ଠିକେ ତାକୁ ଜଣାଇଦେଲି, କେମିତି ଯୁଦ୍ଧବନ୍ଦୀ ହେଲି, କେମିତି ମେଜରକୁ ଘେନି ପଳାଇ ଆସିଲି–ଏଇସବୁ । କେଉଁଠୁ ଯେ ମୋ ଛାତିରେ ପିଲାଳିଆ ଗର୍ବ ଆସିଲା, କୋଉଥି ପାଇଁ ଯେ ସେମିତି ଗର୍ବ ଦେଖେଇହେଲି କହି ପାରିବିନି ।

 

ସତେ ହୋ–କଥାଟିକୁ ପେଟରେ ରଖି ପାରିଲିନି । ମତେ ପଦକ ଦିଆଯିବା ଲାଗି ସୁପାରିସ କରିଛନ୍ତି କର୍ଣ୍ଣେଲ । ଛି, ମଣିଷ ଏମିତି ଗର୍ବୀ ହୁଏ ପୁଣି ?

 

ଦି’ ସପ୍ତାହ ଖଣ୍ଡେ ଖାଲି ଶୋଇଲି ଆଉ ଶୋଇଲି, ଖାଇଲି ଆଉ ଖାଇଲି । ସେମାନେ ମତେ ଟିକିଏ ଟିକିଏ କରି ଅନେକ ଥର ଖୁଆଉଥାନ୍ତି । ଡାକ୍ତରମାନେ ପରେ କହିଲେ ମତେ, ଖାଇବାକୁ ସେତେବେଳେ ଯେମିତି ମୁଁ ହାଇଁପାଇଁ ହେଉଥିଲି, ସେମାନେ ଯଦି ମୋତେ ଏକାବେଳେ ବେଶି ବେଶି ଖାଇବାକୁ ଦେଇଥାନ୍ତେ, ଦେହ ଆହୁରି ବିଗିଡ଼ିଥାନ୍ତା–ପାତାଳକୁ ଯାଇଥାନ୍ତି ହୁଏତ । ଦି’ ସପ୍ତାହ ପରେ ଆଉ ଲାଳସା ରହିଲା ନାହିଁ ଖାଇବାଲାଗି । ଖାଇବା ଚିଜକୁ ଅନେଇବାକୁ ଇଛା ହେଲା ନାହିଁ । ଘରୁ କିଛି ଚିଠିପତ୍ର ପାଇ ନଥାଏ, ମନ ଛଟପଟ ହେଉଥାଏ, କାଉଳା ଲାଗୁଥାଏ, ଖିଆପିଆ କଥା ଭାବିପାରିଲି ନାହିଁ, ନିଦ ଆସୁ ନଥାଏ । ଗୁଡ଼େଇ ତୁଡ଼େଇ ହୋଇ ସବୁପ୍ରକାର ଦୁଶ୍ଚିନ୍ତା ଆସି ମନରେ ସୁରୁସୁରୁ ହୋଇ ପଶିଯାଉଥାଏ । ତୃତୀୟ ସପ୍ତାହ ବେଳକୁ ଭୋରୋନେଜରୁ ଖଣ୍ଡେ ଚିଠି ମିଳିଲା–ଇରିନାର ନୁହେଁ, ମୋର ଜଣେ ପଡ଼ୋଶୀ ବଢ଼େଇର । କାହାରି ଭାଗ୍ୟରେ ସେପରି ଚିଠି ନ ମିଳୁ ! ପଡ଼ୋଶୀଟି ଲେଖିଥାଏ, “ଜର୍ମାନମାନେ ଉଡ଼ାଜାହାଜ କାରଖାନା ଉପରେ ବୋମାବର୍ଷଣ କଲେ–ଗୋଟାଏ ବିରାଟ ବୋମା ସିଧାସଳଖ ପଡ଼ିଲା ମୋ ଘର ଉପରେ–ସେତେବେଳେ ଇରିନା ଆଉ ଝିଅ ଯୋଡ଼ିକ ଘରେ ଥାଆନ୍ତି । ତା’ପରେ..... ତା’ପରେ.....ଲେଖିଥାଏ ସେ, କିଛି କେଉଁଠି ରହିଲା ନାହିଁ ଚିହ୍ନବର୍ଣ୍ଣ ବି ! ଘର ଥିଲା ଯେଉଁଠି, ସେଠି ଆଆ କରି ରହିଲା ଗୋଟାଏ ବଡ଼ ଗାଡ଼ିଆ ଭଳି ଗାତ ! ପ୍ରଥମେ ଚିଠିଟି ପଢ଼ି ପାରିଲି ନାହିଁ–ଶେଷ କରିପାରିଲି ନାହିଁ । ଅନ୍ଧାର, ଖାଲି ଅନ୍ଧାର, ଘୋଟି ଆସିଲା ଆଖି ଆଗରେ । ହୃଦୟଟା କେଉଁଠି କେମିତି, ଚିପିଚାପି ହୋଇ, ମୋଡ଼ିମାଡ଼ି ହୋଇ ଟାଣୁଆ ଛୋଟ ଗୁଳାଟିଏ ପାଲଟିଗଲା ଯେମିତି ! ଭାବିଲି, ନା ଫାଟିବ ନାଇଁ–ଖୋଲିବ ନାଇଁ ଏ ହୃଦୟ ! ବିଛଣାରେ ଗଡ଼ୁଥାଏ ଖଟ ଉପରେ–କେତେବେଳକୁ ଦମ୍ଭ ଆସିଲା, ବଳ ହେଲା ଟିକିଏ, ଚିଠିଟି ଶେଷ ଯାଏ ପଢ଼ିଲି ଏଥରକ–ପଡ଼ୋଶୀଟି ଲେଖିଥାଏ ଆହୁରି, ବୋମାବୃଷ୍ଟି ସମୟରେ ପୁଅ ଆନାତୋଲି ଘରେ ନଥିଲା, ଯାଇଥିଲା ସହରକୁ ! ସଞ୍ଜକୁ ଫେରି ଆସି ଦେଖିଲା ଘର ନାହିଁ–ଛିଡ଼ାହେଲା, ଯେଉଁଠି ଘରଟି ଥିଲା ସକାଳେ । ବୋମାଗାଡ଼କୁ ଚାହିଁ ରହିଲା ଟିକିଏ ! ଯିବାବେଳେ ପଡ଼ୋଶୀଟିକୁ କହିଗଲା ଖାଲି, “ଯାଉଛି ମୁଁ ଯୁଦ୍ଧକୁ ନାଆଁ ଲେଖେଇବି ସମ୍ମୁଖା ଯୁଦ୍ଧଭୂଇଁ ପାଇଁ..... ଏତିକି” ।

 

ହୃଦୟଟା କେତେବେଳେ ହାଲୁକା ହୋଇ ଆସିଥିବ କେଜାଣି, ଶୁଣିଲି ଭାଁ ଭାଁ କରୁଚି କାନ ଦୁଇଟା, କାନ ଭିତରେ ରକ୍ତର ସୁଅ ଛୁଟୁଚି ସୁଉ ସୁଉ ହୋଇ । ମନେପଡ଼ିଗଲା ଭାଇ ! ଷ୍ଟେସନରେ ବିଦାୟ ନେଲା ମୁହୂର୍ତ୍ତରେ ଇରିନା ମୋର ଚାପି ଧରିଥିଲା ଯେମିତି ମତେ, ଲାଖିଯାଇଥିଲା ଛାତିରେ ମୋର ! ତା’ର ମାଇପି ମନଟି ମାଇପି ହୃଦୟଟି ବାରି ପାରିଥିଲା ଯେମିତି ଆଗରୁ, ଏ ଜନ୍ମରେ ଏ ସଂସାରରେ ଆଉ ଭେଟାଭେଟି ନାହିଁ, ଭେଟାଭେଟି ହେବ ନାହିଁ ଆମର । ଆଉ ମୁଁ, ମୁଁ ପୁଣି ସେ ଦିନ ସେଇ ମୁହୂର୍ତ୍ତରେ ଭାଇ ! ଠେଲି ଦେଇଥିଲି, ଛିଞ୍ଚାଡ଼ି ଦେଇଥିଲି ତାକୁ..... ଦିନେ ଥିଲେ ପିଲାପିଲି ଥିଲେ, ବସବାସ ଥିଲା ମୋର । କେତେ ବର୍ଷ ଲାଗି ନଥିଲା ସତେ ଘରଖଣ୍ଡ ଟେକିବା ପାଇଁ–ଆଉ ଆଖି ପିଞ୍ଚୁଡ଼ାକେ ଭାଇ, ସରିଗଲା, ସବୁ ସରିଗଲା ମୋର–ରହିଗଲି ଏକୁଟିଆଟି–ଏକୁଟିଆଟି ମୁଁ । ଭାବିଲି ନା ସ୍ୱପ୍ନ ଏ ନିଶ୍ଚୟ–ଏଇ ମୋର ଘଣ୍ଟାଚକଟା ଜୀବନଟା ! କହିଲ ଦେଖି, କାହିଁକି ନଇଲେ ବନ୍ଦୀ ହୋଇଥିଲି ଯେତେବେଳେ, ପ୍ରତି ରାତିରେ ନିଃଶ୍ୱାସର ତଳେ ତଳେ ମୋର, ଇରିନା ସାଥିରେ, ପିଲାଗୁଡ଼ିଙ୍କ ସାଥିରେ ବେଶ୍ ଗପ କରୁଥିଲି ମୁଁ–ତାଙ୍କୁ ଦମ୍ଭ ଦେଇ ଖୁସି କରେଇ କହୁଥିଲି, “ଛିଃ କାନ୍ଦନା, କାନ୍ଦନ୍ତି ନା ଏମିତି ! ମୁଁ କ’ଣ ଘରକୁ ଫେରିବି ନାହିଁ ? ଫେରିବି ମ ! ଭାରି ବଳୁଆ, ଭାରି ଜୋରଦାର ମୁଁ–ସବୁ ସହିଯିବି, ସବୁ ସହିପାରିବି ମ ! ପୁଣି ଦିନେ ସମସ୍ତେ ଏକାଠି ହେବା ମ ଆମେ ! ତେବେ କ’ଣ ଦି’ ବର୍ଷ ହେଲା ଯେଉଁମାନେ ଚାଲିଗଲେଣି ଇହଧାମରୁ ତାଙ୍କୁଇ ସବୁ କହୁଥିଲି ମୁଁ ଏ କଥା ତ ?”

 

ଅତିକାୟ ମଣିଷଟି ତୁନିପଡ଼ିଲେ ମିନିଟିଏ–ତା’ପରେ ଥିର ଥିର କହିଲେ ଯେତେବେଳେ, ପାଟି ଖନି ମାରିଯାଉଥାଏ–‘‘ଆସ ଟିକେ ପିକା ଟଣାଯାଉ ସଙ୍ଗୀ ! ଲାଗୁଚି, ନିଃଶ୍ୱାସ ଯେମିତି ରୁଦ୍ଧ ହୋଇଆସୁଚି ମୋର–”

 

ସିଗାରେଟ୍ ଲଗାଇଲୁ, ବଢ଼ିପାଣିର ଅପନ୍ତରା ପାଣିପାଟରେ ବଣଭୂଇଁଟାରେ ସେଇ କେଉଁଠି, କେଉଁ ଗଛରେ କାଠହଣା ଚଢ଼େଇର ଠକ୍‍ଠକ୍‍ଟା ଶୁଭିଲା ଉଚ୍ଚରୁ ଉଚ୍ଚ, ତୀବ୍ରରୁ ତୀବ୍ରତର ହୋଇ । ଉଷୁମୁଳିଆ ମଳୟ ପବନଟା ତଥାପି ବି ବହିଯାଉଥାଏ ଆଲ୍‍ଡର ଗଛଗୁଡ଼ିକର ଶୁଖିଲା ଶୁଖିଲା ପତ୍ରକୁ ସର୍‍ସର୍ କରି । ତଥାପି ବି ବଉଦସବୁ ଭାସି ଭାସି ଯାଉଥାଏ କାହିଁ କେତେ ଉଚ୍ଚରେ ଆକାଶର ନୀଳିମା ଭିତରେ–ସତେ ଯେମିତି ଖେଳି ଖେଳି ଯାଉଥାଏ, କେଉଁ ଜାହାଜ ଶ୍ରେଣୀର ଶୁଭ୍ରସୁନ୍ଦର ଖାଡ଼ଙ୍ଗା ହୋଇ ଭିଡ଼ା ମାସ୍ତୁଲ ଭଳି । ସେଇ ଗଭୀର ଆଉ ସୁଗମ୍ଭୀର ନୀରବତାର କେତୋଟି ମୁହୂର୍ତ୍ତରେ ସୀମାହୀନ ଧରିତ୍ରୀର ଆୟୋଜନ, ବସନ୍ତର ସୁମହାନ୍‍ ସାର୍ଥକ ସମାରୋହ ଲାଗି ଆୟୋଜନ, ଜୀବନରେ ଜୀବନ୍ତର ଶାଶ୍ୱତ ଆଉ ସୁଦୃଢ଼ ସମର୍ଥନ ଲାଗି–କେଜାଣି କାହିଁକି ପୂରାପୂରି ସ୍ଵତନ୍ତ୍ର ବିସଦୃଶ୍ୟ ବିଷାଦମୟ ଲାଗିଲା ମତେ–

 

ଅତି କରୁଣରୁ କରୁଣ ହୋଇଉଠିଲା ନୀରବ ହୋଇ ରହିବାଟିକ; ପଚାରିଲି:–

 

“ତା’ପରେ କ’ଣ ହେଲା, କ’ଣ ଘଟିଲା ଯେ !”

 

“ତା’ପରେ କ’ଣ ଘଟିଲା ?’’ ଅନ୍ନିଚ୍ଛାର ସହିତ ଉତ୍ତର ଦେଲେ ।

 

ତା’ପରେ ମାସେ ଛୁଟି ପାଇଲି କର୍ଣ୍ଣେଲଙ୍କଠୁ । ସପ୍ତାହଟିଏ ବିତିଥିବ କି ନାହିଁ ପହଞ୍ଚିଗଲି ଯାଇ ଭୋରୋନେଜରେ । ଚାଲି ଚାଲି ଆଗେଇଗଲି ଥିରି ଥିରି ସେଇ ଜାଗାଟିକୁ, ଠିକ୍ ଯେଉଁଠି ଦିନେ ବସବାସ କରି ରହିଥିଲି ମୋର ସୁଖର ସଂସାରଟିକୁ ନେଇ । ଗୋଟାଏ ବୋମାଗାଡ଼ିରେ ସେଠି ଭରଭରେଇ ଉଠିଥାଏ ପଚା ସଢ଼ା ପାଣି, ଆଙ୍ଗୁଳେ ବହଳରେ ସର ପଡ଼ିଯାଇଥାଏ ସେଥିରେ । ପାଣିକୂଳିଆ ବଣୁଆ ଘାସ ଚାରି ପାଖେରେ, ଅଣ୍ଟାଏ ଉଞ୍ଚର ତୁମର । କେମିତି ଗୋଟାଏ ଶୂନ୍ୟତା ଘୋଟି ଯାଇଥାଏ ଚାରିଆଡ଼େ । ସବୁ ତୁନ୍‍ତାନ୍ କବରସ୍ଥାନ ପରି ! ଉଃ, କି ଖରାପ ଲାଗିଲା ମତେ, କେମିତି ବା କହିବି ସାଥୀ ! କେମିତି ଦୁଃଖରେ ଭାଙ୍ଗିପଡ଼ି ଛିଡ଼ାହେଲି ଟିକିଏନାକୁ ! ଆପଣାକୁ ଆପେ କହିଦେଲି, “ଝୁରିହୁଅରେ ଆତ୍ମାଟି ମୋର ? ଝୁରି ହେଉଥା ଖାଲି ।” ଛାତି ଭିତରଟା ନିଃଶବ୍ଦରେ କଇଁ କଇଁ ହୋଇଉଠିଲା –ଓଃ କି କୋହ ସେ ! ଫେରିଗଲି ଷ୍ଟେସନକୁ, ଘଣ୍ଟାକରୁ ବେଶି ସମୟ ରହିନଥିବି ସେଠି, ସେଇ ଦିନ ବାହୁଡ଼ିଗଲି ପୁଣି ସୈନ୍ୟଫୌଜକୁ

 

ତିନୋଟି ମାସ ପରେ କିନ୍ତୁ, ଆନନ୍ଦର ଝଲସ ଟିକେ ପାଇଲି, ମେଘର ଉଢ଼ାଳରୁ ସୂର୍ଯ୍ୟାଲୋକର ଝଲକ ପରି, ଖବରଟା ମିଳିଲା ‘ଆନାତୋଲିର’ । ଆଉ ଗୋଟିଏ ଯୁଦ୍ଧଭୂଇଁରୁ ଚିଠିଟିଏ ଲେଖିଥାଏ ସେ, ଠିକଣାଟି ମୋର ପାଇଥାଏ ସେଇ ପଡ଼ୋଶୀଠୁ ଆମର । ମତେ ଲାଗୁଛି, ଯୁଦ୍ଧରେ ପଶିବା ପାଇଁ ଯାଇ ଆଗ ସେ ଭର୍ତ୍ତି ହୋଇଥିଲା ଆର୍ଟିଲେରି (ବା କମାଣୀଫୌଜର) କଲେଜରେ । ଗଣିତ ପ୍ରତି ତା’ର ଆଗ୍ରହ, ସେଥିରେ ତା’ର ପ୍ରତିଭା, ତାକୁ ସେଠି ଖୁବ୍ ସହାୟ ହୋଇଥିବ ନିଶ୍ଚୟ । ବର୍ଷକ ପରେ ଅନର୍ସ ସହ ପାସ୍‍ କରି ସେ ସେଠୁ ଚାଲି ଯାଇଥାଏ ଯୁଦ୍ଧଭୂଇଁକୁ । ଲେଖିଥାଏ, କ୍ୟାପ୍ଟେନ୍‍ ପଦ ପାଇଥାଏ, ଅଧିନାୟକତ୍ୱ କରୁଥାଏ ପାଇଁଚାଳିଶ ଜଣ ସୈନ୍ୟ ଥିବା ଗୋଟିଏ କମାଣୀଫୌଜର ଆଉ ପୁରସ୍କାର ପାଇଥାଏ ଛଅଟି ପଦକ ଆଉ ଉପାଧି । ପଦେ କଥାରେ କହିଲେ,ସେ ତା’ର ବୁଢ଼ାବାପାକୁ କାହିଁ କେତେ ପଛରେ ପକେଇ ଆଗେଇ ଯାଇଥାଏ । ତା’ପାଇଁ ପ୍ରକୃତରେ ଛାତିଟା ଗର୍ବରେ ଫୁଲିଉଠିଲା ମୋର । ଯାହା ଇଚ୍ଛା ତାହା କହ ପଛେ ତମେ, ବୁଝିଲ ! ପୁଅ ମୋର କ୍ୟାପ୍ଟେନ୍‍, ଗୋଟିଏ କମାଣଫୌଜର ନାୟକ ସେ । ଏ କ’ଣ କମ୍ କଥା ଏ ! ଆଉ ସେହି ଉପାଧି ସେହି ପଦଗୁଡ଼ିକ ପୁଣି ! କି ଯାଏ ଆସେ ବା ବୁଢ଼ାବାପାଟା ତା’ର ଗୁଳିଗୋଳା ଆଉ ସାଜସରଞ୍ଜାମ ସବୁ ଷ୍ଟଡ଼ିବେକାରରେ ବୁହାଇଲେ ? ଯାଇଚି ବାପାର ସମୟ ଯାଇଚି–ପୁଅ ଯେ କ୍ୟାପ୍ଟେନ୍‍ ତା’ର, ତାଙ୍କୁ ଡେଇଁ, ତାକୁ ଟପି ତାକୁ ବଳି ମାଡ଼ିଚାଲିଛି ଆଗକୁ ଆହୁରି ଆଗକୁ–ସବୁ ଯେ ଆଗରେ ପୁଅର ତା’ର–

 

ରାତିରେ ଏଣିକି ବୁଢ଼ାକାଳିଆ ସ୍ଵପ୍ନରେ ଖାଲି ଆଖି ଦୁଇଟା ନଇଁ ନଇଁ ଆସିଲା ଯେମିତି-! ଦିନେ ହେଲେ ଦିନେ ଯୁଦ୍ଧ ଯିବ, ଯୁଦ୍ଧ ସରିଯିବ, ପୁଅଟିକି ହାତକୁ ଦି’ହାତ କରିବି, କୁବୁରୁକାବୁରୁ ହୋଇ ପିଲାଛୁଆଗୁଡ଼ିଏ ହେବେ, ବୁଢ଼ାଟି ମୁଁ ଠୁକ୍‍ଠୁକ୍ ହୋଇ ବଟାଳି ଧରି ବଢ଼େଇ କାମ କରୁଥିବି ଆଉ ପିଲାଗୁଡ଼ିଙ୍କୁ ବଢ଼େଇ କୁଢ଼େଇ ରଖୁଥବି–ଏଇ, ଏଇ ଯେତେ ଯାହା କାମ ସବୁ, ସବୁ ଯୁଗରେ ବୁଢ଼ାଏ କରନ୍ତି । କିନ୍ତୁ, କିନ୍ତୁ ଭାଇ, ସବୁ ଭଣ୍ଡୁର ହୋଇଗଲା, ସବୁ ପଣ୍ଡ ହୋଇଗଲା, ଜଳିପୋଡ଼ି ପାଉଁଶ ହୋଇଗଲା ସ୍ୱପ୍ନଗୁଡ଼ାକ ମୋର–ଶୀତଦିନରେ ଆମେ ବିଜୟ ପରେ ବିଜୟ ହାସଲ କରି ଆଗେଇ ଚାଲିଲୁ–ଟିକିଏ ହେଲେ ବିଶ୍ରାମ କି ବିରତି ନ ଥାଏ କେତେବେଳେ, ପରସ୍ପରକୁ ଥରକୁଥର ଚିଠି ଲେଖିବାକୁ ସମୟ ମିଳୁଥାଏ ଖୁବ୍ କମ୍, ମିଳୁ ନ ଥାଏ କହିଲେ ଚଳେ । ଯୁଦ୍ଧ ସରି ସରି ଆସିଲା, ବର୍ଲିନ୍ ନିକଟରେ ଠିକ୍ । ଦିନେ ସକାଳୁ ଖଣ୍ଡେ ଚିଠି ଲେଖିଲି ଆନାତୋଲିକୁ-। ତହିଁଆରଦିନ ଉତ୍ତର ପାଇଲି ତା’ଠୁଁ । ଜଣାପଡ଼ିଗଲା, ସେ ଆଉ ମୁଁ ଅଲଗା ବାଟରେ ଆସି ଜର୍ମାନ ରାଜଧାନୀ ପାଖରେ ପହଞ୍ଚି ଯାଇଥାଉଁ, ପରସ୍ପରର ଖୁବ୍ ନିକଟ ହୋଇ ଯାଇଥାଉ-। କେତେବେଳେ ଆମର ଭେଟ ହେବ, ସେଥିପାଇଁ ମୁଁ ଯେମିତି ଆଉ ଅପେକ୍ଷା କରିପାରୁ ନ ଥାଏ-। ଆଃ, ଆସିଲା, ମୁହୂର୍ତ୍ତଟିଏ ଆସିଲା.....ମେ ନଅ ତାରିଖରେ, ଠିକ୍ ବିଜୟ ଦିବସର ପ୍ରତ୍ୟୁଷରେ ଗୋଟାଏ ଜର୍ମାନ ଗୋଲନ୍ଦାଜ ଗୁଳିରେ ଟଳି ପଡ଼ିଲା, ଆଃ ଢଳି ପଡ଼ିଲା ଆନାତୋଲି ମୋର.....

 

ଉପରବେଳା ଆମ ଫୌଜର ଅଧିନାୟକ ଡକେଇ ପଠେଇଲେ ମତେ । ଦେଖିଲି ତାଙ୍କ ପାଖରେ ବସିଥାନ୍ତି ଜଣେ ଅପରିଚିତ କମାଣପୌଜ ଅଫିସର । କୋଠରୀ ଭିତରେ ପାଦ ଦେଇଚି କି ନାହିଁ, ସେ ଉଠିପଡ଼ିଲେ; ସତେ ସେମିତି ଉଚ୍ଚପଦସ୍ଥ ସାମରିକ ଅଫିସରଙ୍କ ସହିତ ସାକ୍ଷାତ କରୁଥିଲେ ସେ । ମୋ ସୈନ୍ୟବାହିନୀର ଅଧିନାୟକ କହିଲେ, “ତୁମ ସଙ୍ଗେ ସାକ୍ଷାତ କରିବାକୁ ଆସିଛନ୍ତି ଏ, ସୋକୋଲୋଭ !” ଏତିକି କହି ମୁହଁବୁଲାଇ ଘୁଞ୍ଚିଗଲେ ଝରକା ପାଖକୁ, ବିଦ୍ୟୁତ୍‍ର ଚମକ ଭଳି କ’ଣ ଗୋଟାଏ ଖେଳିଗଲା ମୋ ଦେହରେ ! ବୁଝିପାରିଲି କ’ଣ ଗୋଟାଏ ଦୁର୍ଯୋଗ ଘୋଟିଆସୁଚି ନିଶ୍ଚୟ । ଲେଫ୍ଟେନାଣ୍ଟ କର୍ଣ୍ଣେଲ (ଆଗନ୍ତୁକ ସେନାଧ୍ୟକ୍ଷଟି) ମୋ ପାଖକୁ ଆଗେଇ ଆସିଲେ, ଧୀରତାର ସହିତ କହିଲେ, “ବାପା ତୁମେ, ଧୈର୍ଯ୍ୟ ଧରିବାକୁ ହେବ, ଧୈର୍ଯ୍ୟଧର, ତୁମର ପୁଅ କ୍ୟାପ୍ଟେନ୍ ସୋକୋଲୋଭ ଆଜି ନିହତ ହୋଇଛି ଯୁଦ୍ଧ କରୁ କରୁ ତା’ର କମାଣ ପାଖରେ, ଆସ, ମୋ ସାଙ୍ଗରେ ଆସ ।”

 

ଦୋହଲିଲି ଟଳଟଳ ହେଲି–ପାଦ ଯୋଡ଼ିକ ଦୃଢ଼ ରଖିଲି କିନ୍ତୁ ପ୍ରାଣପଣେ । ଏବେ ବି ମତେ ସ୍ୱପ୍ନ ପରି ଲାଗୁଚି, ଯେମିତି ଭାବରେ ସେଇ ଲେଫ୍ଟେନାଣ୍ଟ କର୍ଣ୍ଣେଲ ଆଉ ମୁଁ ଗୋଟାଏ ମସ୍ତ ବଡ଼ ମଟରକାର ଛୁଟାଇ ଧାଇଁଲୁ ସେଇ କଙ୍କରବିଛା ଭଙ୍ଗାରୁଜା ଇଟା ପଥରମୟ ଗଳି କନ୍ଦି ଭିତରେ । ଝାପ୍ସା ଝାପ୍ସା ହୋଇ ମନେଅଛି, ମନେ ନାହିଁ, ସୈନ୍ୟମାନେ ଛିଡ଼ା ହୋଇଥାନ୍ତି ଧାଡ଼ି ହୋଇ ଆଉ କଫିନ୍‍ଟି ଘୋଡ଼ା ହୋଇଥାଏ ଲାଲ ଭେଲଭେଟ୍ କନାରେ । କିନ୍ତୁ ମୋର ଆନାତୋଲିକୁ ସିଧା ସିଧା ସ୍ପଷ୍ଟ ମୁଁ ଦେଖିପାରୁଚି, ମୁଁ ତମକୁ ଯେମିତି ଏଇ ଏବେ ଦେଖୁଚି ଭାଇ, ସେମିତି ! ଗଲି ମୁଁ କଫିନ୍‍ଟି ପାଖକୁ ଗଲି, ହଁ ହେ, ଶୋଇଥିଲା, ମୋରି ପୁଅ ଶୋଇଥିଲା ସେଥିରେ–ନା, ନା, ମୋ ପୁଅ ନୁହେଁ ସେ,–ମୋ ପୁଅ ଯେ ଥିଲା ଟୋକାଟାଏ, ସବୁବେଳେ ହସ ହସ, କେମିତିକା ଜାକିଲା ଜାକିଲା କାନ୍ଧ ଯୋଡ଼ିକ ତା’ର, ସରୁଆ ବେକରୁ ତା’ର ବାହାରି ପଡ଼ିଥିଲା ଯେମିତି ଛୋଟ ଛୋଟ ତୀକ୍ଷ୍ଣ ଡୋଳା ଯୋଡ଼ିକ । ନା ନା ମୋ ପୁଅ ହୋଇପାରେନା ଏ, ଏ ଯେ ପୂରାପୂରି ଭେଣ୍ଡିଆଟିଏ, ପୋଖତ ମଣିଷଟାଏ କେମିତି ! କେଡ଼େ ଓସାରିଆ ଓସାରିଆ କାନ୍ଧ ୟା’ର-! ଆଉ କେଡ଼େ ସୁନ୍ଦର କେଡ଼େ ସୁନ୍ଦର ସତେ ! ଅଧାଅଧି ବୁଜି ହୋଇ ରହିଥିଲା ଆଖି ଯୋଡ଼ିକ, ସତେ ଯେମିତି ମତେ ଡେଇଁ ମତେ ପଛକୁ ପକାଇ ଚାହିଁଥିଲା କାହିଁ କେଉଁ ଅଜଣା ଅଶୁଣା ଦୂରଦୂରାନ୍ତକୁ ବା ! ଖାଲି ଯାହା ଓଠର କଣ ଦିଓଟିରେ ଥିଲା ମୋ ପୁଅ ମୁହଁର ହସରୁ ଟିକିଏ-। ମୋ ପୁଅ, ବୁଝିଲ, ମୋ ପୁଅ ଆନାତୋଲି, ଯାହାକୁ ମୁଁ ଜାଣିଥିଲି ଥରେ କାହିଁ କେବେ କେଜାଣି-! ଚୁମ୍ବନ କଲି ଶିର ଚୁମ୍ବନ କଲି ତା’ର । ଘୁଞ୍ଚି ଆଡ଼େଇଗଲି କରକୁ । ଲଫ୍ଟେନେଣ୍ଟ କର୍ଣ୍ଣେଲ ଛୋଟ ଭାଷଣଟିଏ ଦେଲେ ଥରଥର ଗଳାରେ, ମୋ ଆନାତୋଲିର ସାଥୀଙ୍କ ଆଖିରୁ ଝର ଝର ଲୁହ ଝରୁଥାଏ, ପୋଛୁଥାନ୍ତି ସେମାନେ, ଆଉ ମୁଁ କାନ୍ଦିପାରୁ ନ ଥାଏ ଆଦୌ, ଲାଗୁଚି ଲୁହ ମୋର ଶୁଖି ଯାଇଥାଏ, ଶୁଖି ନିଭି ଯାଇଥାଏ ହୃଦୟରେ ଗହନରେ କେଉଁଠି ? ସେଇଥିପାଇଁ ବୋଧହୁଏ ଏବେ ମଧ୍ୟ ଏତେ କାଟୁଚି ମତେ ଜଳିପୋଡ଼ି ଯାଉଚି ଛାତିଟା !

 

ମୋର ଶେଷ ଆଶା, ଶେଷ ଆନନ୍ଦଟିକ କବର ଦେଇଦେଲି ସେଇଠି, ସେଇ ବିଦେଶରେ, ଜର୍ମାନୀର ମାଟିରେ । କମାଣୀଫୌଜଟି ତୁହାଏ ଗୁଳିଫଏର କରି ବିଦାୟ ନେଲେ ନିଜର ଅଧିନାୟକଠୁ, ପଠାଇଦେଲେ ତାକୁ ସୁଦୀର୍ଘ ଯାତ୍ରାପଥରେ ତା’ର–ଆଉ ମୋ ଭିତରେ କେଉଁଠି ଗୋଟାଏ କ’ଣ ଛାଡ଼ିଗଲା ଯେମିତି ଚିରକାଳ ପାଇଁ ! ଫୌଜକୁ ଫେରିଲାବେଳକୁ ପୂରାପୂରି ଅଲଗା ମଣିଷଟିଏ ପାଲଟିଗଲି ମୁଁ । ଏହାପରେ ଖୁବ୍ ଶୀଘ୍ର ସାମରିକ କାମରୁ ନିଷ୍କୃତି ପାଇଲି ସତ, କିନ୍ତୁ ଭାଇ, ଭାବିଲି ଯିବି କୁଆଡ଼େ, କେଉଁଠିକି ଭୋରୋନେଜ ? ନା, ନା କେଭେଁ ନୁହେଁ–ଦୁନିଆର ଯେକୌଣସି ଜିନିଷର ବଦଳରେ ବି ନୁହେଁ, ମନେପଡ଼ିଲା ମୋର ଜଣେ ବନ୍ଧୁ ଆହତ ହୋଇ ସାମରିକ କାମରେ ଅସମର୍ଥ ହୋଇଥାନ୍ତି ଶୀତ ଋତୁରେ । ଥାଆନ୍ତି ସେ ଉରିୟୁପିନ୍‍ସ୍କରେ । ବହୁତ କରି କହିଥାନ୍ତି ଥରେ ତାଙ୍କ ପାଖରେ ଯାଇ ରହିବା ପାଇଁ । ବାହାରିଲି ସେଇ ବନ୍ଧୁଙ୍କ ଉଦ୍ଦେଶ୍ୟରେ– ।

 

ବନ୍ଧୁ ଆଉ ବନ୍ଧୁପତ୍ନୀଙ୍କର ପିଲାଛୁଆ ନ ଥାନ୍ତି । ସହରର ଉପକଣ୍ଠରେ ଛୋଟ ଘର ଖଣ୍ଡିଏ ଥାଏ ସେମାନଙ୍କର । ଅସାମର୍ଥ୍ୟ ପେନ୍‍ସନ୍ ପାଉଥାନ୍ତି ସେ । ତଥାପି ଗୋଟିଏ ଲରି ଡିପୋରେ କାମ କରୁଥାନ୍ତି ଡ୍ରାଇଭର ଭାବରେ । ସେଠି ମୋତେ କାମ ମିଳିଗଲା । ବସବାସ କଲି ବନ୍ଧୁଙ୍କ ସାଥିରେ । ଘର ବଖୁରିଏ ଛାଡ଼ିଦେଲେ ମତେ ସହରତଳ ଅଞ୍ଚଳରେ, ଆମେ ନାନା ପ୍ରକାର ଜିନିଷପତ୍ର ବୁହାବୋହି କରି ନିଆଅଣା କରୁ ଲରିରେ–ଶରତ ଋତୁରେ ଗହମ ଯଅ ପ୍ରଭୃତି ଶସ୍ୟ ବୋହିନେଇ ରାଷ୍ଟ୍ରୀୟ ଗୋଦାମରେ ପହଞ୍ଚାଇବାରେ ଲାଗୁ । ସେତିକିବେଳେ ମୁଁ ମୋ ନୂଆ ପୁଅଟିକୁ ଜାଣିବାକୁ ପାଇଲି, ହେଇ, ସେଠି ଯିଏ ବାଲିରେ ଖେଳୁଚି ସେଠି, ସେଇ ମୋର ନୂଆ ଧନଟିକୁ.....

 

ବହେ ବାଟ ମଟର ଛୁଟାଇ ଆସିଲା ପରେ ମଣିଷ ଆଗ ଗୋଟାଏ ହୋଟେଲ କି କାଫେ ଭିତରେ ପଶିଯାଏ, ଜାଣିଚ କିଞ୍ଚିତ ଟିକିଏ ପାଟିରେ ପକେଇ ଆଉ ଥକ୍କା ମାରିବା ପାଇଁ, କ୍ଳାନ୍ତି ଦୂର କରିବା ପାଇଁ ଗିଲାସେ ଖଣ୍ଡେ ଭୋଦ୍‍କା ତ ପିଇବ ଅନ୍ତତଃ ! ବଡ଼ ଖରାପ ଅଭ୍ୟାସ ସତ, କିନ୍ତୁ କ’ଣ କରିବି, ସେତେବେଳକୁ ମାନୁଚି, ତା’ପାଇଁ ପ୍ରୀତିଟା କେମିତି ବଳି ପଡ଼ିଥାଏ ମୋର, ତା’ପରେ କ’ଣ ହେଲା କି, ଦିନେ କାଫେ ପାଖରେ ଦେଖିଲି ଏଇ ପିଲାଟିକୁ । ତହିଁଆରଦିନ ପୁଣି ସେଠି ଭେଟିଲି ତାକୁ, କି ମଇଳାମେଳେଛା ହୋଇଥାଏ, ଲଙ୍ଗଳାଫୁଙ୍ଗୁଳା ଛୁଆଟି ! ମୁହଁଟି ତା’ର ସାଲୁବାଲୁ ହୋଇଥାଏ ତରଭୁଜ ରସରେ ଧୂଳିରେ କି ଅସନା ହୋଇଥାଏ ଛିଃ, ବାଳଗୁଡ଼ାଏ କୋଉଁଠୁ ନେସି ହୋଇ ଯାଇଥାଏ ସେଥିରେ ! କିନ୍ତୁ ଭାଇ, ଆଖି ଦୁଇଟା ତା’ର–ଅସରାଏ ବର୍ଷା ପରେ ରାତିରେ ତାରା ପରି ଜଳୁଥାଏ ଖାଲି ଜକ୍‍ଜକ୍ ହୋଇ । ଏତେ ଭଲ ଲାଗିଲା, ମନକୁ ପାଇଲା ପିଲାଟି ସତେ ! ଆଶ୍ଚର୍ଯ୍ୟ ଲାଗିପାରେ ତମକୁ, ତାକୁ ଦିନେ ନ ଦେଖିଲେ ବାଇଆ ହୋଇଗଲି ମୁଁ । ତାକୁ ଭେଟିବି ବୋଲି ତରବରରେ ମୋର ଲରିଦୌଡ଼ା କାମ ସାରି ଦେଉଥାଏ, ଉଚ୍ଛନ୍ନ ହେଉଥାଏ କେମିତି ଶୀଘ୍ର କାଫେକୁ ଫେରିବି, ଦେଖିବି ଟିକେ ତାକୁ । ସେଇ କାଫେରେ ମୁଠାଏ ମୁଠାଏ ଯାହା ଖାଇବାକୁ ପାଉଥାଏ ସେ–ଖାଇବାକୁ ପାଉଥାଏ ଗଲା ଆଇଲା ଯିଏ ଯାହା ଯେତେବଳେ ଦେଉଥାନ୍ତି–

 

ଚତୁର୍ଥ ଦିନ ରାଷ୍ଟ୍ରୀୟ କୃଷି ଫାର୍ମରୁ ସିଧାସଳଖ ଶସ୍ୟ ବୋଝେଇ ଲରିଟାକୁ ଚଳେଇ ନେଇ ଆସି ଧଡ଼୍‍କିନି ଅଟକେଇ ଦେଲି କାଫେ ଆଗରେ । ସାନମଣିଷଟି ମୋର ବସିଥାଏ ପାହାଚ ଉପରେ କାଫେର, ଗୋଡ଼ ଦିଓଟି ଛାଟୁଥାଏ, ଗୋଇଠି ବାଡ଼ଉଥାଏ ଚୁପ୍‍ଚାପ୍ । ଚାହିଁଦେଲା ମାତ୍ରେ ଜାଣିପାରିଲି ଚେହେରାରୁ କିଛି ପଡ଼ି ନ ଥାଏ କୁନି ପେଟଟିରେ ତା’ର । ଲରିର ଝରକା ଭିତରୁ ମୁହଁ କାଢ଼ି ଡ଼ାକିଲି, “ହେଇ ଏ, ଭାନିଆ ! ଆ ! ଲରି ଭିତରକୁ ଡେଇଁପଡ଼, ଆ ଶସ୍ୟଖୋଲା ଏଲିଭେଟରକୁ (ଶସ୍ୟଉଠାକଳକୁ) ନେଇଯିବି, ଆ ସାଙ୍ଗରେ ପୁଣି ଫେରିଆସିବା ମ.....ଖିଆପିଆ କରିବା ଏଠି ।’’ ମୋ ପାଟିରେ ଚମକିପଡ଼ିଲା, କାଫେ ପାହାଚରୁ ସିଧା କୁଦାମାରିଲା ଲରିଚକ ପାଖର ପଟା ଉପରକୁ, ଝରକା କତିକୁ ଉଠିଗଲା ଉହୁଙ୍କି କରି । ଥିର୍‍କିନି କଅଁଳ ସ୍ୱରରେ କହିଲା–“କେମିତି ଜାଣିଲ ମ ମୋ ନାଆଁ ଭାନିୟା ବୋଲି ?” ଉତ୍ତରକୁ ମୋର ଅପେକ୍ଷା କରି ଓସାରିଆ କରିଦେଲା ତା’ର ସେଇ ତାରା ପରି ଜୁକ୍‍ଜୁକ୍ ଆଖି ଦୁଇଟିକୁ । କ’ଣ କହନ୍ତି ଯେ କି ଜବାବ ଦିଅନ୍ତି ଯେ ! କହିଲି, “ମୁଁ ସେଇ ସର୍ବଜ୍ଞ ସବ୍‍ଜାନ୍‍ତା ଲୋକଙ୍କ ଭିତରୁ ଜଣେ, ବୁଝିଲୁ !”

 

ଲରିର ଡାହାଣପଟକୁ ବୁଲି ଆସିଲା ସେ–ଦୁଆର ମେଲା କରି ତାକୁ ଟେକିନେଲି ଭିତରକୁ, ପାଖରେ ବସାଇ ଗାଡ଼ି ଛାଡ଼ି ଦେଲି । ହସଖୁସିର ବେଶ୍ ମଉଜିଆ ଚଞ୍ଚଳ ପିଲାଟି ସେ–କିନ୍ତୁ ହଠାତ୍ ତୁନି ପଡ଼ିଗଲା । ଗୁମ୍ ମାରିଗଲା କେମିତି ! ତା’ର ସେଇ ଲମ୍ବାଳିଆ କୁଞ୍ଚକୁଞ୍ଚିଆ ବହଳିଆ ଭୂରୁତଳରୁ ଚୋରେଇ ଚୋରେଇ ନିରିଖି ନିରିଖି ଅନେଇ ଲାଗିଲା ଖାଲି, ନିଃଶ୍ୱାସ ପରେ ନିଃଶ୍ଵାସ ମାରୁଥାଏ ଅଥୟରେ । ବକଟେନାକୁ ପିଲା । ସେ ବି ସେତେବେଳକୁ ଶିଖିଯାଇଥାଏ ଦୁଃଖରେ ନିଃଶ୍ଵାସ ମାରିବାଟି–ସେଇଟି କ’ଣ ତା’ କରିବା କଥା ! ତା’ ପକ୍ଷରେ ସୁନ୍ଦର ! ପଚାରିଲି–“ତୋର ବାପା କାଇଁ ରେ ଭାନିୟା ?” “ଯୁଦ୍ଧରେ ମରିଯାଇଛନ୍ତି–” ଫୁସ୍‍ଫୁସ୍ କରି କହିଲା, ତୁନି ତୁନି କେମିତି !

 

“ଆଉ ମାଆ ?”

 

“ମାଆ ବି ! ଆମେ ଗୋଟାଏ ଟ୍ରେନରେ ଯାଉଥାଉ, ବୋମା ପଡ଼ିଲା, ମାଆ ବି ମରିଗଲା !”

 

“ତମେ ସବୁ କେଉଁଠୁ ଆସୁଥିଲ ସେ ଟ୍ରେନରେ ?”

 

“ଜାଣେନା, ମନେ ନାଇଁ.....”

 

“ତୋର କ’ଣ କେହି ନାହିଁ, ଭାଇ ବନ୍ଧୁ କୁଟୁମ୍ବ ହୋଇ କେହି ନାହିଁ ?”

 

“ନା, କେହି ନାହିଁ !”

 

“ରାତିରେ ଶୋଉ ତେବେ କୋଉଠି ତୁ ?”

 

“ଯୋଉଠି ପାରେ ସେଠି,–ଯୋଉଠି ଟିକେ ଥାନ ପାଏ–’’

 

ଲାଗିଲା, ତାତିଲା ତାତିଲା ଲୁହ ଯେମିତି ଭିତରୁ ମୋର ଟକମକ ହୋଇ ଉଛୁଳି ପଡ଼ୁଚି-। ସାଙ୍ଗେ ସାଙ୍ଗେ ସ୍ଥିର କରିନେଲି ମନରେ–, ଦୁହେଁ କାହିଁକି ଆମେ ଏମିତି ଏକା ଏକା ଆଉ ଅଲଗା ରହି କଷ୍ଟ ପାଇବୁ ଯେ, ନା, ନେବି ତାକୁ ନିଜର ପୁଅ କରିନେବି ମୋର, ଏତିକି ଭାବିଥିବି କି ନାହିଁ, ଛାତିଟା ଉଶ୍ଵାସିଆ, ହାଲୁକା ହୋଇଗଲା ଯେମିତି ! କେମିତି ଗୋଟାଏ ଉଜ୍ଜ୍ୱଳତା, କେମିତି ଗୋଟାଏ ପ୍ରସନ୍ନତା ଫୁଟି ଉଠିଲା ମନରେ । ତା’ ଉପରକୁ ଢଳିପଡ଼ି ଚୁପଚୁପକିନି କହିଲି, “ଭାନିୟା, ମୁଁ କିଏ ଜାଣୁ ?” ସତେ ଯେମିତି ବିଶ୍ୱାସରେ ତା’ର ବାହାରି ଆସିଲା– “କିଏ-?” (ନିଃଶ୍ଵାସ ସାଥିରେ କହି ପକାଇଲା କିଏ ?) ଆଗପରି ସେମିତି ଥିରିଥିରି ତୁନି ତୁନି କରି କହିଲି, “ମୁଁ, ମୁଁ ତୋର ବାପା ପରା !”

 

ଭଗବାନ ଜାଣନ୍ତି, ଯାହା ଘଟିଗଲା ତା’ପରେ ! ଦୀର୍ଘାୟୁ ହେଉ ଧନଟି ମୋର ! କ’ଣ ଘଟିଲା ଜାଣ ? ଚମକି ପଡ଼ିଲି, ମୋ ଗଳାକୁ କୁନି କୁନି ହାତରେ ସଙ୍ଗେ ସଙ୍ଗେ ଜାବୁଡ଼ି ଧରିଲା ସେ–ମୋ ଗାଲ, ମୋ ଓଠ, ମୋ କପାଳକୁ ଚୁମାରେ ଚୁମାରେ ଗୋଳିଦେଲା ଯେମିତି ! ଗେଲ କରି କରି ବିହ୍ଵଳ କରିପକେଇଲା ମତେ–ଗାଉଣା ଚଢ଼େଇଟିଏ ପରି କଳରବ କରି କରି ଡାକି ହେଲା ଖାଲି–“ବାପା, ବାପା, ବାପା ଲୋ ମୋର ବାପା.....” କହି ହେଲା ସେମିତି,–“ଜାଣିଥିଲି, ଜାଣିଥିଲି ମ, ମତେ ପାଇବ ତମେ, ମତେ ପାଇବ, ଯୋଉଠି ଯାହାହେଉ, ଯୋଉଠି ଯାହା ଘଟୁପଛେ ମତେ ପାଇବ । ତୁମେ ମତେ ପାଇବ,–ଏଇଥିପାଇଁ ପରା ଏତେଦିନଯାଏ ଅନେଇ ବସିଥିଲି ବାପା !” ଜାକିଜୁକି ହୋଇ ଆସିଲା ମୋ କୋଳ ଭିତରକୁ । ଗୋଟିପଣେ ଥରୁଥାଏ ସେ ପବନରେ ଗହମ ଶିସାଁପରି ଆଉ ମୋ ଆଖିରେ ହାବୁକା ମାରୁଥାଏ ଲୁହ ଖାଲି–ଲୁହର ବାଷ୍ପ ! ମୁଁ ବି ଥରୁଥାଏ, ଥରୁଥାଏ ହାତଯୋଡ଼ିକ.....କେମିତି ଯେ ଷ୍ଟିଅରିଙ୍ଗ ଚକଟିରେ ହାତ ରଖି ପାରିଥିଲି ଜାଣେନା ! ତଥାପି ବି ମଟରଟାକୁ ସମ୍ଭାଳି ନ ପାରି ଗଡ଼େଇ ଦେଲି ଗୋଟାଏ ନାଳୀ ଭିତରକୁ, କୌଣସିମତେ ବନ୍ଦ କରିଦେଲି ଇଞ୍ଜିନଟା । ଲୁହରେ ଲୁହରେ ଆଖି ମୋର ଏତେ ଝାପ୍ସା, ଏତେ କୁହୁଡ଼ିଆ ହୋଇଯାଇଥାଏ, ଡର ମାଡ଼ିଲା କେମିତି ଚଳେଇଥାନ୍ତି ଗାଡ଼ିଟାକୁ, ଗଡ଼େଇ ଦେଇଥାନ୍ତି, ମଡ଼େଇ ଦେଇଥାନ୍ତି ହୁଏତ କାହା ଉପରେ । ପାଞ୍ଚମିନିଟ ଯାଏ ସେଠି ସେମିତି ବସିରହିଲୁଁ ଦିହେଁ । ଛୋଟ କୁନି ପୁଅଟି ମୋର ପ୍ରାଣପଣେ ଭିଡ଼ି ଧରିଥାଏ ମତେ, ଲାଖିଯାଇଥାଏ ଛାତିରେ ମୋର ସମୁଦାୟଟିକୁ–ତା’ର ସ୍ନେହକୁ ଢାଳିଦେଇ ମୋଠି ଯେମିତି ! ଗୋଟି ସୁଦ୍ଧା ଥରୁଥାଏ ସେ । ଡାହାଣ ହାତରେ ତାକୁ ବେଢ଼େଇ ଧରିଲି, ଆହୁରି ଜାକି ଆଣିଲି ଛାତି ଭିତରକୁ ଯେମିତି ! ଧୀରେ ଧୀରେ ଗେଲ କରି କରି ବାଆଁ ହାତରେ ଷ୍ଟିଅରିଙ୍ଗ ଚକଟିକୁ ମୋଡ଼ି ବୁଲେଇଲି ଲରିକୁ ଆଉ ପଛମୁହାଁ ହୋଇ ଫେରିଲି କୁଡ଼ିଆଟିକି ମୋର । ଥିଲି ମୁଁ ଯୋଉଠି, ଏଇ, ଏଇ ଘଟଣା ପରେ ଆଉ ଯାଇପାରିଲି ନାହିଁ ଶସ୍ୟଗୋଲାକୁ, ଏଲିଭେଟର ପାଖକୁ ।

 

ଦାଣ୍ଡଦୁଆର ଫାଟକ ସାମନାରେ ଲରିଟିକୁ ଭିଡ଼ି ଦେଇ ନୂଆ ପୁଅଟିକୁ କାଖେଇ କୁଣ୍ଢେଇ ପଶିଗଲି ଘର ଭିତରକୁ । କୁନି କୁନି ହାତ ଦୁଇଟିରେ ବେକକୁ ମୋର ଜାବୁଡ଼ି ଧରି ଓହଳିଥାଏ ସେ । ଗାଲଟିକୁ ଲଗେଇ ଦେଇଥାଏ ତା’ର, ମୋର ଖିଅର ନ ହେଲା ରୁଢ଼ିଆ ଚିବୁକରେ । ଲାଖି ଯାଇଥାଏ ଅଠାରେ ଯେମିତି । ସେମିତି, ସେମିତି ଅବସ୍ଥାରେ ତାକୁ ନେଇଗଲି ଘରକୁ । ବନ୍ଧୁ ଆଉ ବନ୍ଧୁପତ୍ନୀ ଦୁହେଁ ଘରେ ଥାଆନ୍ତି ସେତେବେଳେ । ଭିତରକୁ ଯାଇ ଦି’ଆଖି ଟିପି ମିଟିକା ମାରି ଠାରିଦେଲି ସେମାନଙ୍କୁ । ତା’ପରେ ଦମ୍ଭରେ ଖୁବ୍ ହସି ହସି ଆନନ୍ଦର ଉଚ୍ଛ୍ଵାସରେ କହିଉଠିଲି,–“ହେଇ ମୋ ଧନ, ହେଇ ମୋ ଟିକି ଭାନିୟାଟିକୁ ପାଇଲି ଆଜି ମୁଁ, ଶେଷରେ ପାଇଲି-। ହେଇ ଆସିଗଲୁ ଆମେ, ଭଦ୍ରଲୋକ, ଭଲଲୋକ ସବୁ !” ପୁଅପାତି ନ ଥାଏ ସେମାନଙ୍କର, ଆକୁଳି ବିକୁଳି ହେଉଥାନ୍ତି ପିଲାଟିଏ ପାଇଁ । ତେଣୁ ସିଧାସଳଖ ଅନୁମାନ କରିନେଲେ, ବୁଝିପାରିଲେ ସବୁ, ଖୁସିରେ ନସର ପସର ହୋଇ ଦି’ଚାରି ଘେରା ଘୂରିଗଲେ ଆଗ । ଅଥେଇ ବିଥେଇ ହୋଇ ଲାଗିପଡ଼ିଲେ ତା’ପାଇଁ ବ୍ୟବସ୍ଥା କରିବା ସକାଶେ । ମୋ ପୁଅଟିକୁ ଛାଡ଼ି ତା’ ପାଖରୁ କୁଆଡ଼େ ଯାଇପାରୁ ନ ଥାଏ ମୁଁ । ତଥାପି କୌଣସିମତେ ବୁଝେଇ ଶୁଝେଇ ଛାତିରୁ ଓହ୍ଲେଇଲି ତାକୁ । ସାବୁନରେ ସୁତୁରା କରି ମୁହଁ ହାତ ଧୋଇଧାଇ ଦେଇ ବସେଇଲି ନେଇ ଖାଇବା ଟେବୁଲ ପାଖରେ । ବନ୍ଧୁପତ୍ନୀଟି ଥାଳିଆରେ ଡଙ୍କିଏ ଝୋଳ ଆଗ ବଢ଼େଇଦେଲେ ତାକୁ, ଦେଖିଲେ ଯେତେବେଳେ କି ଆତୁରିଆ କି ବିକଳିଆ ହୋଇ ହାଁ ହାଁ ହୋଇ ଏକା ସୁଡ଼ୁକାକେ ଢୋକିଦେଲା ସେତକ–ସେ କି ଆଉ ସମ୍ଭାଳି ହୋଇ ପାରନ୍ତେ, କାନ୍ଦିଉଠିଲେ ଭେଁକିନି-। ଚୁଲି (ଷ୍ଟୋଭ) ପାଖକୁ ଚାଲିଯାଇ କାନିରେ ମୁହଁ ଗୁଞ୍ଜିଦେଇ ଛିଡ଼ାହୋଇ ସୁଁ ସୁଁ ହୋଇ କାନ୍ଦିଲେ ଅସମ୍ଭାଳ ହୋଇ । ଆଉ ମୋର ଭାନିୟା ତାଙ୍କ କାନ୍ଦଣା ଦେଖି ଉଠିପଡ଼ିଲା, ଦୌଡ଼ିଗଲା ତାଙ୍କ ପାଖକୁ । କାନିଟିକୁ ଧରିପକେଇ ତାଙ୍କର କହିଉଠିଲା, “କାଇଁକି କାନ୍ଦୁଚୁ, କାହିଁକି କାନ୍ଦୁଚୁ ଖୁଡ଼ୀ-! ବାପା ତ ପାଇଲା ମତେ କାଫେ ପାଖରେ । ସମସ୍ତେ ସିନା ଖୁସି ହୁଅନ୍ତ ତମେ ! କାନ୍ଦୁଚୁ ପୁଣି କ’ଣ ତୁ !” ଏଥିରେ, ଏଥିରେ କାହାର ବା କୋହ ଉଠି ନ ଥାନ୍ତା ! ସେ ଆହୁରି କଇଁ କଇଁ ହୋଇଉଠିଲେ-

 

ଖୁଆଇ ପିଆଇ ସାରି ତାକୁ ବାରିକ ପାଖକୁ ନେଇ ତା’ର ବାଳ କଟେଇ ଆଣିଲି । ଘରେ ପାଣି କୁଣ୍ଡରେ ବସେଇ ଘଷିମାଜି ଗାଧେଇଦେଲି । ପୋଛିପାଛି ଦେଇ ପରିଷ୍କାର ଚାଦରଟିଏ ବେରେଇ ଦେଲି ଦେହଟିରେ ତା’ର । ବେକରେ ମୋର ହାତ ଗୁଡ଼େଇ କୋଳରେ ମୋର ଶୋଇପଡ଼ିଲା ସେ ଚଟ୍‍କିନି । ଥିରକିନି ବିଛଣାରେ ଶୁଆଇ ଦେଇ ତାକୁ ଲରି ନେଇ ଚାଲିଗଲି ଶସ୍ୟଗୋଲା ଏଲିଭେଟର ପାଖକୁ । ତରବରରେ ଶସ୍ୟତକ ଖଲାସ କରି ଦେଇ ସେଠି ଲରି ଘେନି ଫେରିଆସିଲି ଗୋଟିଏ ପାର୍କ ବା ବଗିଚା ନିକଟକୁ । ତା’ପରେ ଧାଇଁଲି ଦୋକାନକୁ । ପୁଅଟି ପାଇଁ କିଛି କିଣାକିଣି କରିବାକୁ ହେବ ଯେ ! କିଣିଲି ଆଗ ଯୋଡ଼ିଏ ଟ୍ରାଉଜର, ଛୋଟ କାମିଜିଟିଏ, ଗୋଟିଏ ଚଟି ବା ସାଣ୍ଡାଲ ହଳେ, ଶୋଲ ବା କୁଟାର ଟୋପିଟିଏ । ସେଗୁଡ଼ିକର ମାପଚୁପ ଠିକ୍‍ ଥିଲା କି ଭୁଲ ଥିଲା ଭାବିବାକୁ ଫୁରସତ ବା ଥିଲା କେଉଁଠି ? ସବୁ ଭୁଲ ହୋଇଗଲା । ବେଖାପ ବେମାପ ହୋଇ ସାନବଡ଼ ହୋଇଗଲା । ରୂପ ଗୁଣରେ ଭଲ ପଡ଼ିଲା ନାହିଁ ବି ଆଦୌ । ଠକେଇ ଗଲି–ପରେ ବନ୍ଧୁପତ୍ନୀ ବି ପ୍ୟାଣ୍ଟ ହଳକ ସକାଶେ ମତେ ଟାପରା କରି ଦି’ପଦ ଶୁଣାଇଦେଲେ–“ତୁମର କ’ଣ ମୁଣ୍ଡ ବିଗିଡ଼ି ଗଲାଣି ? ଏତେ ଖରା, ଏମିତି ତାତି ଏଥିରେ ଛୁଆଟାକୁ ସର୍ଜର ଗରମ ପୋଷାକ ପିନ୍ଧେଇବ !” ମୁହୂର୍ତ୍ତକ ପରେ ସେ ସିଲେଇ କଳ ଧରି ବସିପଡ଼ିଲେ, ସିନ୍ଦୁକ ବାକ୍ସ ଦରାଣ୍ଡି କନାଖଣ୍ଡେ ବାହାର କଲେ । ଦେଖୁଥାଏଁ, ଘଣ୍ଟାକ ଭିତରେ ଭାନିୟା ପାଇଁ ମୋର ସୂତାର ପୂରା ପ୍ୟାଣ୍ଟ ହଳେ ଆଉ ଛୋଟ କାମିଜିଟିଏ ତିଆର କରିଦେଲେ । ପୁଅଟିକୁ ନେଇ ଶୋଇବାକୁ ଗଲି ବିଛଣାକୁ ଆଉ ସତ କହୁଚି ସାଥୀ ! ଅନେକ, ଅନେକ ରାତି ପରେ ପ୍ରଥମଥର ପାଇଁ ଶାନ୍ତିରେ ଶୋଇପଡ଼ିଲି ମୁଁ । ରାତିକ ଭିତରେ ଚାରିଥର ଅବଶ୍ୟ ଉଠିଥିବି ମୁଁ । ନିଦ ଭାଙ୍ଗିଥିବ ମୋର, ଦେଖିଥିବି ମୁଁ–ଶୋଇଥାଏ ସେ । ଛାତ ଖୋଲରେ କି କାନସରେ ଘରଚଟିଆ ଚଢ଼େଇଟି ପରି ଜାକିଜୁକି ହୋଇ ଶୋଇଥାଏ ସେ ମୋ କୋଳରେ, ମୋ କହୁଣୀ ଉପରେ, ହାତର ମୋଡ଼ ଉପରେ କେଡ଼େ ଥିରି ଥିରି ନିଃଶ୍ଵାସ ତା’ର, କେଡ଼େ ଥିରି ଥିରି ଯାଆସ କରୁଥାଏ ସତେ । ସେତେବେଳର ସେଇ ସୁଖ ସେଇ ଆନନ୍ଦଟିକେ ଯେ କେତେ ! –ନାଃ କଥା ନାହିଁ, ଶବ୍ଦ ନାଇଁ ମୋର କହିବାକୁ ତୁମକୁ । କାଳେ ଟିକିଏ ହଲଚଲ ହେଲେ ନିଦ ତା’ର ତୁଟିଯିବ–ଡରି ଡରି ଚୁପ୍‍ଚାପ୍‍ ନିଶ୍ଚଳ ହୋଇ ପଡ଼ିଥାଏ ମୁଁ । କିନ୍ତୁ ନାଃ, ସ୍ଥିର ହୋଇ ରହିପାରୁଥାଏ ବା କେଉଁଠି ? ତୁନି ତୁନି ଉଠି ପଡ଼ୁଥାଏ । ଦିଆସିଲ କାଠିଟିଏ ଜାଳି ଛିଡ଼ା ହୋଇ ଅନେଇ ରହୁଥାଏ ତାକୁ ସ୍ନେହରେ । କେମିତି କେଜାଣି ସାଥୀ, ହୃଦୟଟା ପୂରି ଉଠୁଥାଏ ମୋର ! –

 

ଭୋର ହେଲା ଆଗରୁ ନିଦଟା ଭାଙ୍ଗିଗଲା–ବୁଝିପାରିଲି ନାଇଁ ଘରୁଟା କେମିତି ରୁନ୍ଧିଲା ରୁନ୍ଧିଲା ଅଣନିଃଶ୍ଵାସିଆ ଲାଗିଲା କାହିଁକି ? ଆରେ ବାଆରେ କୁନି ପୁଅଟି ଯେ ମୋର କେତେବେଳେ ଚାଦର ଭିତରୁ ବାହାରି ଛାତି ଉପରେ ମୋର ଚଢ଼ି ଶୋଇ ପଡ଼ିଚି ଛକି କାଟିଲା ପରିରେ । ତା’ର ଟିକି ଟିକି ଗୋଡ଼ ଦୁଇଟିରୁ ଗୋଟିକରେ ଠେଲି ଦେଇଚି ମୋର ଗଳାଟିକୁ ସତରେ ହୋ ! ଗୋଟାଏ ନାହିଁ ନ ଥିବ ଦୁଷ୍ଟଟାଏ ! ଚଗଲା ଟାଏ ସେ ! ଏଡ଼ିକି ଅଥୟ,ଏଡ଼ିକି ଅଧୀର ! ତା’ ହାତଗୋଡ଼ ଛଟାଛଟି କିନ୍ତୁ ସହି ହୋଇଗଲା ମୋର । ମୋ ପାଖରେ, ମୋ ବିଛଣାରେ ନ ଥିଲେ ସେ ବିଛଣାଟା ଖାଲି ଖାଲି ନିଶୂନ ଖାଁ ଖାଁ ଲାଗେ ! ରାତି ଅଧରେ ସେ ଯେତେବେଳେ ନିଘୋଡ଼ ନିଦରେ ଶୋଇପଡ଼େ, ସେତେବେଳେ ଆଖି ପୂରେଇ ମନ ପୂରେଇ ଦେଖିନିଏ ତାକୁ । ତା’ର କୁଞ୍ଚକୁଞ୍ଚିଆ ବାଳଗୁଡ଼ିକୁ ଖେଳେଇ ଖେଳେଇ ମିଠାଳିଆ ବାସନାରେ ତା’ର ବିହ୍ଵଳ ହୋଇଯାଏ କେମିତି ! ହୃଦୟର ଯେତେ ଦୁଃଖ, ଯେତେ ଯନ୍ତ୍ରଣା ହରିଯାଏ ! ମିଳେଇଯାଏ କୁଆଡ଼େ ? ସେ ଯେମିତି ଭସେଇ ନିଏ ସେଥିରୁ କିଛି ! ହୃଦୟଟା ନରମିଯାଏ ସ୍ନିଗ୍ଧ ହୋଇଯାଏ କେମିତି ! ସେଇଟା ତ ପାଷାଣ ପାଲଟି ଯାଇଥାଏ, ତୁମେ ଜାଣ !

 

ପ୍ରଥମେ ପ୍ରଥମେ ଲରିରେ ମୋ ସାଥିରେ ଯାଆସ କରୁଥିଲା ସେ, ପରେ ବୁଝିପାରିଲି ଠିକ୍ ହେଉନି ସେ କାମଟା । ଯେତେ ଯାହାହେଲେ ମୋର ନିଜର ସିନା କିଛି ଲୋଡ଼ା ନାହିଁ ! ରୁଟି ଚେନାଏ, ପିଆଜୁଟାଏ, ଲୁଣରୁଆଏ ଏତିକିରେ ତ ଦିନୁଟାଏ ଚଳିଯିବ ସୈନିକର ! କିନ୍ତୁ ତା’ କଥା ଯେ ଅଲଗା ! ତା’ପାଇଁ ତ କୋଉଠୁ ଦୁଧଟୋପାଏ ଆଣିବାକୁ ହେବ ଏଇକ୍ଷଣି, ଅଣ୍ଡାଟିଏ ସିଝେଇବାକୁ ହେବ ଆଗ ଆରେ ! ଉଷୁମ ଉଷୁମ କି ଗରମ ଗରମ ନ ହେଲେ ଯେ କିଛି ଛୁଇଁପାରିବ ନାହିଁ, ଖାଇପାରିବ ନାହିଁ ସେ ! ମୋର ପୁଣି ତେଣେ କାମ–ଅସରନ୍ତି କାମ ! ତେଣୁ ଦମ୍ଭ ଧରିଲି ସାହସ ବାନ୍ଧିଲି । ଥରେ ତାକୁ ଛାଡ଼ିଦେଇ ଗଲି ବନ୍ଧୁ ଭାରିଯାଙ୍କ ତତ୍ତ୍ୱାବଧାନରେ । ବୁଝିଲ, ଦିନଟି ଯାକ ସେ ଥରକ କାନ୍ଦିଲା, ଖୁବ୍ କାନ୍ଦିଲା । ସଞ୍ଜ ହେଉ ହେଉ ଦୌଡ଼ିଲା ଶସ୍ୟଗୋଲାକୁ ଏଲିଭେଟର କତିକୁ । ମତେ ଦେଖିବ ବୋଲି ! ମୋ କାମ ସରୁ ନଥାଏ । ଅଧରାତି ଯାଏ ଚାହିଁ ରହିଲା ସେଠି ମତେ । ଅଧରାତି ଯାଏ ଅପେକ୍ଷା କଲା, ବୁଝିଲ ।

 

ଆଗ ଆଗ ତା’ ଘେନି ଭାରୀ ଅଡ଼ୁଆ ହେଉଥାଏ । ସମୟଟା ବଡ଼ କଷ୍ଟରେ କଟୁଥାଏ, ଥରେ ସଞ୍ଜ ହୋଇ ଆସୁଥାଏ, ଆଲୁଅ ନିଭି ନଥାଏ କିନ୍ତୁ ଦିନଟା ବିତିଥାଏ କ୍ଳାନ୍ତିରେ, ଦୁହେଁ ଟିକିଏ ଗଡ଼େଇ ତଡ଼େଇ ହେବାକୁ ଗଲୁ ବିଛଣାକୁ । ଘରଚଟିଆ ପରି ସବୁବେଳେ କିଚିରିମିଚିରି ହେବା ତା’ର ସ୍ଵଭାବ । ସେଥରକ କାହିଁକି ତୁନି ହୋଇ ପଡ଼ିରହିଲା, ଖୁଜୁବୁଜ ହେଲା ନାହିଁ ଆଦୌ, “କ’ଣ ଭାବୁଛୁ କିରେ, ବାପ,” ପଚାରିଲି ଥିର୍‍କିନି । ସେ ଛାତକୁ ଚାହିଁଲା, କଡ଼ିକୁ ଚାହିଁଲା, ଓଲଟି ପଚାରିଲା–“ତମର ସେ ଚମଡ଼ା କୋଟ୍‍ଟା କ’ଣ କଲ, ବାପା ! ଚମଡ଼ା କୋଟ୍‍ ? ଜୀବନରେ ଚମଡ଼ାକୋଟ୍‍ଟିଏ ଥିଲା, କେବେ କେଉଁଠି ଥିଲା ବା ମୋର ? କଥାଟାକୁ ତ ବୁଲେଇଦେବାକୁ ହେବ–କହିଲି, “ଭୋରୋନେଜରେ ଛାଡ଼ି ଆସିଛି ।” ମୋତେ ଖୋଜି ଖୋଜି ପାଇବାକୁ ଏତେ ଦିନ ଲାଗିଲା କାହିଁକି ତୁମକୁ ?’’ ଉତ୍ତର ଦେଲି, ‘‘ତୋତେ ଖୋଜୁଥିଲିରେ ପୁଅ, ଖୋଜୁଥିଲି ଜର୍ମାନୀରେ, ପୋଲାଣ୍ଡରେ, ବାଇଲୋରୁଷିଆର ଅନ୍ଦିସନ୍ଧିରେ, ଆଉ ତୁ ମିଳିଲୁ ଆସି ଇଉରିୟୁପିନ୍‍ସ୍କରେ !’’ ଇଉରିୟୁପିନସ୍କ କ’ଣ ଜର୍ମାନୀଠୁଁ ନିକଟ ବାପା, ପୋଲାଣ୍ଡଟା କ’ଣ ଆମ ଘରଠୁ ବହୁତ ଦୂରରେ ? ଏମିତି କେତେ କ’ଣ ଗପ କରି କରି କେତେ କ’ଣ ପଚରା ପଚରି ହୋଇ ଶୋଇପଡ଼ିଲୁ ସେଦିନ ।

 

ଚମଡ଼ା କୋଟ୍ କଥା ପଚାରିଲା ସେ–ସେମିତି ପଚାରିବା ମୂଳରେ କ’ଣ କିଛି କାରଣ ନ ଥିଲା ସାଥୀ ? ନା ଥିଲା, ତା’ ପଛରେ କାରଣଟିଏ ଥିଲା, ଠିକ୍ । ତା’ ଅର୍ଥ ଅସଲ ବାପଟି ତା’ର, କେବେହେଲେ କେବେ ପିନ୍ଧିଥିବ ଚମଡ଼ା କୋଟ୍‍ଟିଏ । ହଠାତ୍ ତା’ର ମନେପଡ଼ିଗଲା ସେ କଥା । ପିଲାର ମନ, ପିଲାର ସ୍ମୃତି–ବୈଶାଖର ବିଜୁଳି ପରି ବୁଝିଲ ! ଚମକି ଯାଏ, ସବୁ ଉଜ୍ଜ୍ୱଳ କରିଦିଏ ଟିକିଏ, ତା’ପରେ ମିଳେଇଯାଏ, ଉଭେଇଯାଏ କୁଆଡ଼େ ! ଠିକ୍ ସେମିତି ଗୋଟାଏ ଗୋଟାଏ ଘଟଣା, ଗୋଟାଏ ଗୋଟାଏ କଥା ଝଲସି ଯାଉଥିଲା ତା’ ମନରେ !

 

ଆଉ ବର୍ଷେ ଖଣ୍ଡେ ଇଉରିୟୁପିନସ୍କରେ ଏକାଠି ସେମିତି କଟେଇ ପାରିଥାନ୍ତୁ ହୁଏତ । ନଭେମ୍ବର ମାସରେ କିନ୍ତୁ ଗୋଟାଏ ଦୁର୍ଘଟଣାରେ ପଡ଼ିଲି । ଦିନେ ଗୋଟାଏ ଗାଆଁରେ, କାଦୁଆ ପଙ୍କୁଆ ରାସ୍ତାରେ ଲରି ଚଳେଇ ଯାଉଥାଏ । ସଟ୍‍କିନି ହଠାତ୍ ଖସଡ଼ାରେ ଖସିଗଲା ଲରିଟା, ବାଟରେ ଗାଈଟାଏ ଥିଲା ଧକ୍କା ଲାଗିଲା ତାଠି । ଜାଣିଚ ତ ଏଭଳି ଘଟଣାରେ କ’ଣ ହୁଏ ଡ୍ରାଇଭର ଅବସ୍ଥାଟା–ମାଇପେଗୁଡ଼ାଏ କୋଉଠି ଥିଲେ ହୋହା ହୋଇ ପାଟି କରି ଉଠିଲେ । ଲୋକେ ଆସି ବେଢ଼ିଗଲେ ମତେ, ଚାହୁଁ ଚାହୁଁ ସେ ଦୁର୍ଘଟଣା ଜାଗାରେ ହାଜର ହୋଇଗଲା ଯାନବାହନ ଇନସ୍ପେକ୍ଟରଟାଏ । ଘଟଣାଟାକୁ ସହଜ ସରଳ ଭାବରେ ଦେଖିବା ପାଇଁ ବହୁତ କୁହାବୋଲା କଲି ତାକୁ, କିନ୍ତୁ ସେ ମୋ ଗାଡ଼ି ଚଳା ଲାଇସେନ୍‍ସଟା ନେଇଗଲା । ଆଉ ସେତିକିବେଳେ ଠିକ୍ ଗାଈଟା ଉଠିପଡ଼ିଲା, ଲାଙ୍ଗୁଳଟାକୁ ପବନରେ ଛାଟି ଉପରକୁ ଟେକି ଦେଇ କୁଦା ମାରି ଦୌଡ଼ିଲା ରାସ୍ତାରେ, ମୁଁ କିନ୍ତୁ ହରେଇ ବସିଲି ମୋ ଲାଇସେନ୍‍ସଟା । ଶୀତଋତୁଟାଯାକ ଲାଗିଗଲି ବଢ଼େଇ କାମରେ–ତା’ପରେ ଖବର ପାଇଲି ଯୁଦ୍ଧବେଳର ମୋର ଜଣେ ପୁରୁଣା ସଙ୍ଗୀର–ସେ ଡ୍ରାଇଭର କାମ କରୁଥାନ୍ତି ଆମ ଜିଲ୍ଲାରେ–ସେ ମତେ ଡାକି ପଠାଇଲେ ତାଙ୍କ ପାଖରେ ଯାଇ ରହିବା ପାଇଁ । ଖବରଦେଲେ, ବର୍ଷେଖଣ୍ଡେ ଠିକ୍‍ଠାକ୍ ବଢ଼େଇକାମ ବା କରିବାକୁ ପଡ଼ିପାରେ ତମକୁ, ତା’ପରେ ଆମ ଅଞ୍ଚଳରେ ମଟର ଚଳାଇବା ପାଇଁ ନୂଆ ଲାଇସେନ୍‍ସଟା ପାଇଯିବ ନିଶ୍ଚୟ ! ତେଣୁ ଏବେ, ମୁଁ ଆଉ ପୁଅ ବାହାରିଚୁ ଆମେ–“ମାର୍ଚ୍ଚକରି” ଚାଲିଛୁ କାମେରି ଆଡ଼େ ।

 

ବୁଝିଲ, ଗାଈଟା ଦେହରେ ଧକ୍କା ବାଜି ଦୁର୍ଘଟଣା ଘଟି ନ ଥିଲେ ବି ଇଉରିୟୁପିନସ୍କ ଛାଡ଼ିଦେଇଥାନ୍ତି ମୁଁ ଯେମିତି ହେଉ । ଗୋଟାଏ ଜାଗାରେ ବହୁଦିନ ରହିପାରେନା ମୁଁ, ମୋର ଯନ୍ତ୍ରଣାଟା ବା କୋଉଠି ମେତେ ବେଶି ଦିନ ରଖେଇ ଦିଅନ୍ତା ଯେ । ତା’ଛଡ଼ା ଭାନିୟାଟି ମୋର ସବୁଦିନ ତ ଆଉ ଛୋଟ ହୋଇ ରହିନଥିବ, ବଢ଼ିବ ସେ, ସ୍କୁଲକୁ ପଠେଇବାକୁ ହେବ ତାକୁ । ଭାବୁଚି କେଉଁଠି ହେଲେ ମତେ ଅଣ୍ଟାରେ ଦଉଡ଼ି ଭିଡ଼ିହୋଇ ଟେକିବାକୁ ହେବ, ବସା ବାନ୍ଧିବାକୁ ହେବ ନିଶ୍ଚୟ । କିନ୍ତୁ ଭାଇ, ବର୍ତ୍ତମାନ ପାଇଁ ବୁଝିଲ, ବାହାରିଚୁ ଆମେ ଏକାଠି ପାଦରେ ଚାଲିଚାଲି ପବିତ୍ର ରୁଷ ଭୂଇଁଟାକୁ ପ୍ରଦକ୍ଷିଣ କରିବୁ ଆମର ।

 

ପଚାରିଲି–“ସେ ଥକିପଡ଼େ ତ ! ଥକିପଡ଼ୁନି ?”

 

“ଆଃ ତା’ ପାଦ କଣ ମାଟିରେ ଲାଗେ ନା ଲାଗୁଛି ! ନିଜ ଗୋଡ଼ରେ ବେଶି ଦୂର ଯାଇ ପାରୁଛି ବା ସେ କୋଉଠି ! ଅଧିକାଂଶ ସମୟ ତ ଚଗଲାଟା ମୋ ଉପରେ ଲଦନ ! କାନ୍ଧୁଅ ହୋଇ ନାଉ ହୋଇ, ବେକରେ ଓହଳି, ଛାତିରେ ଝୁଲି ଚାଲିଚି ସେ ବୋହି ବୋହି ଚାଲିଛି ମୁଁ ତାକୁ ! ଯେତେବେଳେ ମନହେଉଚି ଗୋଡ଼ ଖେଳେଇବ, ଗୋଡ଼ ଲଖେଇବ, ଭୁଷ୍‍କିନି ଡେଇଁ ପଡ଼ୁଚି ମୋ ଉପରୁ, ଦଉଡ଼ୁଚି ଯେ ଦଉଡ଼ୁଚି ଯାଇ ସଡ଼କ କରେ କରେ ଛେଳି ଛୁଆଟିଏ ପରି ଖୁପୁରୁ ଖୁପୁରୁ ହୋଇ ! ହାତ ଗୋଡ଼ ଛାଟି ଛାଟି ଦଉଡ଼ୁଚି ଯେ–ଥକି ପଡ଼ିବା ଯାଏ ପୁଣି, ନା ସାଥୀ, ଏଇଟା କିଛି ନୁହେଁ । କଥାର କଥା ନୁହେଁ, ଆମେ ଆମ ବାଟ ଧରି ଚାଲିବୁ ଠିକ୍ । ସମସ୍ୟା ହେଉଛି–ହୃଦୟଟା ମୋର, ଛାତିଟା ମୋର ! କୋଉଠି ଗୋଟାଏ ବଡ଼ ଧକ୍‍କା ବାଜିଚି ସେଥିରେ, ଗୋଟାଏ କଳକବ୍‍ଜା ଗୋଟାଏ ପିଷ୍ଟନ ଫିଷ୍ଟନ ବଦଳିବା ଦରକାର, ବେଳେବେଳେ ଏମିତି ଭୂଷି ହୋଇଯାଉଚି ଭଙ୍ଗାରୁଜା କ’ଣ ଗୋଟାଏ କିଛି ! ଏମିତି ଯନ୍ତ୍ରଣା ଦେଉଚି, ବୁଝିପାରୁନି ସେତେବେଳେ, କ’ଣ ମୁଁ କରୁଚି, କ’ଣ ନ କରୁଚି ! ଡର ମାଡ଼ୁଚି, ଦିନେ ଶୋଇଥିବି ମରିଯିବି, ଆଉ ଡରି ଚିରଚିରେଇ ଉଠିବ ପୁଅଟି ମୋର ! ସେତିକି କେବଳ ନୁହେଁ, ପ୍ରତି ରାତିରେ ପ୍ରାୟ ସ୍ୱପ୍ନରେ ଦେଖୁଚି ମୁଁ, ମୋର ସେଇ ପ୍ରାଣର ପ୍ରିୟତମଗୁଡ଼ିଙ୍କୁ, ଯାହାଙ୍କୁ ହରେଇଚି ମୁଁ । ଅଧିକାଂଶ ସମୟରେ ଦେଖିଚି ସତେ ଯେମିତି ମୁଁ ରହିଚି ଗୋଟାଏ ତାରବାଡ଼ ପଛରେ, ଘେରରେ ଆଉ ସେମାନେ ସବୁ ଅଛନ୍ତି ବାହାରେ । ବାଡ଼ ଆରପାଖରେ, ବୁଲାବୁଲି କରୁଚନ୍ତି ଅବାଧରେ ସ୍ଵାଧୀନ ଭାବରେ । ଟିକିନିଖି ସବୁ ବିଷୟରେ କଥାବାର୍ତ୍ତା ହେଉଚି ମୁଁ ଇରିନା ସଙ୍ଗରେ । ପିଲାଗୁଡ଼ିକ ସାଙ୍ଗରେ ମୋର-କିନ୍ତୁ ଭାଇ, ଯେମିତି ବାହାରୁଚି ଚେଷ୍ଟା କରୁଚି, ତାର ବାଡ଼ଟାକୁ ଭିଡ଼ିଓଟାରି ବିଭ୍ରାଟ କରିଦେବି, ମେଲା କରି ଦେବି, ସେମିତି କୁଆଡ଼େ ଚାଲି ଯାଉଚନ୍ତି ସେମାନେ-ମିଳେଇ ଯାଉଚନ୍ତି, ଅନ୍ତର୍ଦ୍ଧାନ ହୋଇ ଯାଉଚନ୍ତି ମୋ ଆଖି ଆଗରେ । ଏହା ଛଡ଼ା ଆଉ ଗୋଟିଏ ଅଦ୍ଭୁତ ଘଟଣା ଘଟୁଚି, ଏ ସମ୍ପର୍କରେ ବୁଝିଲ ! ଦିନବେଳେ ଖୁବ୍ ଦୃଢ଼ ରହୁଚି, ନିଜକୁ ବେଶ୍ ଅକ୍ତିଆରରେ ରଖୁଚି । ଟିକିଏ ହେଲେ ସୁଁ ସାଁ କି ଦୀର୍ଘନିଃଶ୍ଵାସଟିଏ ଶୁଣିବାକୁ ପାଇବନି କେବେହେଲେ, କିନ୍ତୁ ରାତିରେ ବେଳେବେଳେ ଉଠି ପଡ଼ୁଚି ମୁଁ ଆଉ ମୋର ତକିଆ ଭିଜିଯାଉଛି ଲୁହରେ, ଲୁହରେ ଖାଲି !

 

ନଈଗର୍ଭରୁ ଭାସିଆସିଲା ମୋ ବନ୍ଧୁର ସ୍ଵରଟି, ଆଉ ପାଣିରେ ଖଳଖାଳ ଶବ୍‍ଦ ଆହୁଲାର ।

 

ଏଇ ଅଜଣା ଅଚିହ୍ନା ଲୋକଟି, ଯିଏ ଏବେ ଲାଗୁଥିଲେ ମତେ ଅତି ଆପଣାର ମୋର, ଘନିଷ୍ଠ ବନ୍ଧୁ ଭଳି-ବଢ଼େଇ ଦେଲେ ଲମ୍ବାଳିଆ ବିରାଟ ହାତଟି ତାଙ୍କର, କାଠ ପରି ଶକ୍ତ ଆଉ ସୁଦୃଢ଼ ହାତଟି, ମୋ ହାତକୁ ଯାପି ଧରି କହିଉଠିଲେ,” ବିଦାୟ ଭାଇ ! ମଙ୍ଗଳ ହେଉ !”

 

“ଶୁଭ ହେଉ ତୁମର ! ଶୁଭ ହେଉ କାମେରୀକୁ ଯାତ୍ରା ତୁମର ।”

 

“ଧନ୍ୟବାଦ ! ଧନ୍ୟବାଦ ! -ହେ, ଏ ପୁଅ ! ଏ ବାପ ! ଆ ! ଡଙ୍ଗା ଆସିଥିଲା, ଆ, ସେଥିକି ଯିବା ଆ !”

 

ପିଲାଟି ଧାଇଁଗଲା ବାପ କତିକି, ଧରି ପକେଇଲା ବାପର କୁର୍ତ୍ତା କାନିକୁ । ଟିକି ଟିକି ପାଦଟିମାନ ପକେଇ ପକେଇ ଧାଇଁଲା ଲମ୍ବା ଲମ୍ବା ପାଦର ଚାଲି ପାଖେ ପାଖେ ବାପର !

 

ଦୁଇଟି ଛେଉଣ୍ଡ, ବାଲିର ରେଣୁ ଦୁଇଟି, ଯୁଦ୍ଧରେ ପ୍ରବଳ ତୋଫାନରେ ଝଡ଼ାଟାଏ ଖାଇ ଉଡ଼ି ଉଡ଼ି ଆସିଥିଲେ, ଓଳେଇ ହୋଇ ପଡ଼ିଥିଲେ ବା ଅଦଦ୍ଭୁତ ଏକ ଭୂମିକାର କ୍ଷେତ୍ରରେ.....କ’ଣ ଥିଲା ଭବିଷ୍ୟତରେ ତାଙ୍କ ପାଇଁ ? କ’ଣ ରଖିଥିଲା ଭବିଷ୍ୟତଟା ! ଆସ୍ଥା ଆସିଲା ମନରେ, ବିଶ୍ୱାସ କରିବାକୁ ଚାହିଁଲି ମୁଁ ରୁଷ୍‍ର ଅଧିବାସୀ ଏଇ ଅବଶ୍ୟ ଏକ, ଅଭଗ୍ନ, ଅଲଂଘ୍ୟ ଏକ ସୁଦୃଢ଼ ସଂକଳ୍ପର ମନୁଷ୍ୟଟି-ଶେଷ ପର୍ଯ୍ୟନ୍ତ ଅଟଳ ରହିବ, ସୁଲଗ୍ନ ରହିବ ସେଥିରେ, ସେହି ସଂକଳ୍ପରେ-ଆଉ ପିଲାଟି ସେଇ ବଢ଼ି ଉଠିବ, ବିକଶି ଉଠିବ ମନୁଷ୍ୟ ହୋଇ ବାପାର ପାଖେ ପାଖେ, ବାପାର ଛାୟା ତଳେ ତଳେ-ଯିଏ ସହ୍ୟ କରିବ ସମସ୍ତ ଦୁଃଖ ସମସ୍ତ ଯନ୍ତ୍ରଣା, ଲଂଘନ କରିବ ସେ କୌଣସି ବିଘ୍ନ, ଯେ କୌଣସି ବିପଦ, ଦେଶ ତା’ର ଆହ୍ୱାନ ଦେବ ଯଦି ତାକୁ, ତାହା ହିଁ କରିବାକୁ ।

 

କେମିତି ଏକ ବିଷର୍ଣ୍ଣତାରେ କାରୁଣ୍ୟରେ ଭରିଉଠିଲା ମନଟି, ଚାହିଁଥାଏ ଖାଲି ଯାଉଥାନ୍ତି, ଚାଲିଯାଉଥାନ୍ତି ସେମାନ, ଦୂରରୁ ଦୂରକୁ, ବିଦାୟବେଳେ ସବୁ ସଙ୍ଗତ ହୋଇଥାନ୍ତା, ସବୁ ଠିକ୍ ହୋଇଥାନ୍ତା । ହୁଏତ ଭାନିୟାଟି ଯଦି କେତୋଟି ପାଦ ଆଗେଇ ଯାଇ ତା’ର ଗହମ ବୁଦାଭଳି ଛୋଟ ପେଣ୍ଡାଦିଓଟିକୁ, ଛୋଟ ଗୋଡ଼ ଦିଓଟିକୁ ବଙ୍କେଇ ଦେଇ ବୁଲି ପଡ଼ିନଥାନ୍ତା ମୋ ଆଡ଼କୁ, ତା’ର ସେଇ କୁନି କୁନି କଅଁଳ କଅଁଳ ଗୋଲାପୀ ହାତକୁ ହଲେଇ ଦେଇ ନଥାନ୍ତା, ମତେ ଟିକିଏ ଅନେଇ ଅନେଇ ହଠାତ୍ ଗୋଟାଏ ନରମ ନରମ ନଖମୟ ହିଂସ୍ର ପଞ୍ଝାଟା ମୋର ହୃଦୟକୁ ଜାବୁଡ଼ି ଯାପି ଧରିଲା ଯେମିତି ! ତରବରରେ ବୁଲିପଡ଼ି ମୁହ ଫେରେଇ ନେଲି ମୁଁ-ନା, ନା, ଖାଲି ନିଦରେ ଖାଲି ସ୍ଵପ୍ନରେ ! କାନ୍ଦୁ ନାହାନ୍ତି, ଝରୁ ନାହାନ୍ତି ସେମାନେ । ଏଇ ଏଇ ହାଡ଼ୁଆ ହାଡ଼ୁଆ ଶିରାଳ ଶିରାଳ ମନୁଷ୍ୟଗୁଡ଼ାକ ବର୍ଷ ବର୍ଷ କାଳ ଯୁଦ୍ଧରେ ବାଳସବୁ ପାଚି ଶୁଭ୍ର ହୋଇଯାଇଚି, ଧୂସର ହୋଇଯାଇଛି, ଯାହାଙ୍କର ଉନ୍ନିଦ୍ର ରହି । ସଚେତ ବେଳେ କି କାନ୍ଦୁଛନ୍ତି ଝୁରୁଛନ୍ତି ସେମାନେ-। ଚେଇଁ ଚେଇଁ ଚାହିଁ ଚାହିଁ ଖୋଲା ଖୋଲା ଆଲୁଅରେ କାନ୍ଦୁଛନ୍ତି, କାନ୍ଦୁଛନ୍ତି ସେମାନେ-। ପ୍ରଶ୍ନ ହେଉଚି ସମୟକୁ ଚାହିଁ ମୁହୂର୍ତ୍ତକୁ ଚାହିଁ ବୁଲି ପଡ଼ିବାକୁ ହେବ ମୋଡ଼ଟାକୁ, ବୁଲି ପଡ଼ିବାକୁ ହେବ-। ସବୁଠୁ ବଡ଼ ଗୁରୁତ୍ଵପୂର୍ଣ୍ଣ ହେଉଛି, ପିଲାଟିର ହସ ହସ ମନରେ ନ ବାଜୁ, ଆଘାତ ନ ବାଜୁ, ଆଞ୍ଚ ନ ଲାଗୁ ନ ଦେଖୁ ସେ, ନ ଦେଖୁ ସେ ଶୁଖିଲା ଶୁଖିଲା ଜଳନ୍ତା ଜଳନ୍ତା ଲୁହ ମଣିଷର ମୁହଁରେ-ମଣିଷର ଗାଲରେ, ଓଠରେ, କପାଳରେ-ସେଇ ଶୁଖିଲା ଶୁଖିଲା ଜଳନ୍ତା ଆମାନିଆ ଅମାନିଆ ଲୁହ !

Image